ଶ୍ରମିକଙ୍କୁ ରାଜ୍ୟ ସରକାରଙ୍କ ଦଶହରା ଭେଟି, ବଢାଇଲେ ଏତିକି ଟଙ୍କା ମଜୁରୀ
ଭୁବନେଶ୍ୱର: ଆଗକୁ ଆସୁଛି ଦଶହରା। ଏନେଇ ରାଜ୍ୟ ସରକାର ଶ୍ରମିକ ମାନଙ୍କୁ ଏକ ପୂଜା ଭେଟି ଦେଇଛନ୍ତି। ଶ୍ରମିକ ମାନଙ୍କ ମଜୁରୀକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଶ୍ରମିକଙ୍କ ମଜୁରିରେ ୭ଟଙ୍କା ବୃଦ୍ଧି ହୋଇଛି । ରାଜ୍ୟ ସରକାର ଶ୍ରମିକଙ୍କ ଦୈନିକ ମଜୁରୀରେ ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା ( ଭାରିଏବଲ୍ ଡିଏ) ବଢ଼ାଇବା ଦ୍ୱାରା ଏହି ବୃଦ୍ଧି ଘଟିଛି। ଏହାଦ୍ୱାରା ଏବେ ଅଣକୁଶଳୀ ଶ୍ରେଣୀର ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ୩୪୫ ଟଙ୍କାରୁ ଦୈନିକ ୩୫୨ଟଙ୍କା ହୋଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୩୯୨ ଟଙ୍କା ଏବଂ କୁଶଳୀ ଶ୍ରମିକଙ୍କ ମଜୁରୀ ଦୈନିକ ୪୪୨ ଟଙ୍କାରେ ପହଞ୍ଚିଛି। ଉଚ୍ଚ କୁଶଳୀ ଶ୍ରମିକମାନେ ଏଣିକି ଦୈନିକ ୫୦୨ ଟଙ୍କା ମଜୁରୀ ପାଇବେ। ଏନେଇ ରାଜ୍ୟ ଶ୍ରମ କମିଶନର ଆବଶ୍ୟକ ବିଜ୍ଞପ୍ତି ଜାରି କରିଛନ୍ତି।
ଚଳିତ ମାସ ପହିଳାରୁ ଏହି ବର୍ଦ୍ଧିତ ମଜୁରୀ ପିଛିଲା ଭାବେ ଲାଗୁ ହେବ। ସରକାର ଗତ ଏପ୍ରିଲ୍ ୫ ତାରିଖରେ ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ। ସେତେବଳେ ୧୨ଟଙ୍କା ବୃଦ୍ଧି ହୋଇଥିଲା। ବର୍ତ୍ତମାନ ମଜୁରୀ ବୃଦ୍ଧି ଦ୍ୱାରା ଏବର୍ଷ ମହଙ୍ଗା ଭତ୍ତାରେ ୧୯ ଟଙ୍କା ବୃଦ୍ଧି ଘଟିଛି। ପ୍ରତି ଛଅ ମାସରେ ଥରେ ମଜୁରୀ ପରାମର୍ଶଦାତା କମିଟି ବୈଠକର ନିଷ୍ପତ୍ତି ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଥାଏ। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ୮୯ଟି କ୍ଷେତ୍ରରେ ନିୟାଜିତ ଶ୍ରମିକମାନେ ବିଶେଷ ଉପକୃତ ହେବେ ବୋଲି ଜଣାପଡି଼ଛି।
