ମନେ ପଡନ୍ତି ଗାନ୍ଧି ଏବଂ ଶାସ୍ତ୍ରୀ, ଆଜି ଦୁଇ ଜନନାୟକଙ୍କୁ ସ୍ମରଣ କରୁଛି ସାରା ଦେଶ
ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧି ଏବଂ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର୍ ଶାସ୍ତ୍ରୀଙ୍କ ଜୟନ୍ତୀ । ଜାତିର ପିତା କେବଳ ଭାରତ ଇତିହାସରେ ନୁହେଁ ସମଗ୍ର ବିଶ୍ୱରେ ଜଣେ ମହାମାନବ ଭାବରେ ସୁପରିଚିତ । ଭାରତୀୟ ରାଜନୀତିରେ ମହାତ୍ମା ଗାନ୍ଧିଙ୍କ ପ୍ରବେଶ ଭାରତର ମୁକ୍ତି ସଂଗ୍ରାମକୁ ଏକ ନୂଆ ମୋଡ ଦେଇଥିଲା । ମହାତ୍ମା ଗାନ୍ଧିଙ୍କ ଡାକରାରେ ଲାଲ ବାହାଦୂର ଶାସ୍ତ୍ରୀ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ।
୧୮୬୯ ମସିହାରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ ଆମ ସମସ୍ତଙ୍କ ପ୍ରିୟ ବାପୁ । ଆମରଣ ଅନଶନରେ ବସି ସ୍ୱାଧୀନତାର ସ୍ୱପ୍ନ ଦେଖୁଥିବା ବାପୁ ବର୍ଷ ବର୍ଷ ଧରି ଫିରିଙ୍ଗୀଙ୍କ କାଳକୋଠରୀରେ ଜେଲଦଣ୍ଡ ଭୋଗିଥିଲେ। ଲାଠି ଓ ସତ୍ୟାଗ୍ରହ ଆଗରେ ସେଦିନର ସାମ୍ରାଜ୍ୟବାଦୀ ବ୍ରିଟିଶ୍ ସେନାର ଶକ୍ତି ହାର ମାନିବାକୁ ବାଧ୍ୟ ହୋଇଥିଲା। ସେହି ମହାପୁରୁଷଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ସବୁଆଡେ ତାଙ୍କ ଜୟନ୍ତୀ ପାଳନ କରାଯାଉଛି ।
ବ୍ରିଟିଶମାନଙ୍କ ଦ୍ୱାରା ଭାରତୀୟ ସମାଜରେ ଦାସତ୍ୱର ଶୃଙ୍ଖଳା ଭାଙ୍ଗିବା ପାଇଁ ସେ ଅହିଂସା ମାର୍ଗକୁ ଆପଣାଇଥିଲେ । ସେ ସବୁ ସମୟରେ ଅନ୍ୟାୟ ବିରୋଧରେ ସଂଘର୍ଷ କରିଥିଲେ । ସେ ଧାରଣା ଏବଂ ସତ୍ୟର ମାର୍ଗରେ ସର୍ବଦା ଯିବାକୁ କୁଣ୍ଠାବୋଧ କରିନଥିଲେ । ସତ୍ୟ ଓ ଅହିଂସାକୁ ନେଇ ସର୍ବଦା ବାପୁଙ୍କ ବିଚାର ସାରା ବିଶ୍ବରେ ମାର୍ଗଦର୍ଶନ କରିବା ସହ ପ୍ରେରଣା ଦେଇଥାଏ । ତାଙ୍କର ସେହି ବିଚାରକୁ ନେଇ ଅକ୍ଟୋବର ୨ ତାରିଖ ଦିନଟିକୁ ସାରା ବିଶ୍ୱରେ ଅନ୍ତରାଷ୍ଟ୍ରୀୟ ଅହିଂସା ଦିବସ ଭାବରେ ପାଳନ କରାଯାଏ । ଏହିଦିନ ଭାରତର ସ୍ଵାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ଭଳି ଜାତୀୟ ଦିବସ ଭାବରେ ପାଳନ କରାଯାଏ । ଗାନ୍ଧୀ ଜୟନ୍ତୀରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ବିଭିନ୍ନ ପ୍ରତିଯୋଗିତା ହୋଇଥାଏ । ମହାତ୍ମା ଗାନ୍ଧୀଙ୍କ ବିଚାରଧାରା ତାଙ୍କୁ ସାରା ବିଶ୍ବରେ ଗୋଟିଏ ସ୍ଵତନ୍ତ୍ର ସ୍ଥାନ ଦେଇ ପାରିଛି । ତାଙ୍କର ନିଜ ଜନ୍ମ ଭୂମି ପ୍ରତି ନିଷ୍ଠା, କାର୍ଯ୍ୟ ଓ ଉଦାର ମନୋଭାବକୁ ଦେଖି ସମସ୍ତେ ତାଙ୍କୁ ବାପୁ ନାମରେ ଡାକୁ ଥିଲେ । ଭାରତ ଯେତେବେଳେ ଇଂରେଜ ସରକାର ଅଧିନରେ ଥିଲା ସେତେବେଳେ ଗୋଟିଏ ଆଗ ଧାଡ଼ିର ଯୋଦ୍ଧା ଭଳି ଇଂରେଜ ସରକାର ବିରୋଦ୍ଧରେ ଲଢି ଥିଲେ । ଚଳିତ ବର୍ଷ ଅକ୍ଟୋବର ୨ ତାରିଖ ଦିନଟି ଭାରତରେ ୧୫୨ ତମ ଗାନ୍ଧୀ ଜୟନ୍ତୀ ପାଳନ କରାଯିବ ।
ଦେଶକୁ ଇଂରେଜ ଶାସନରୁ ମୁକ୍ତ କରିଥିବା ମହାନ ଯୁଗପୁରୁଷ ହେଉଛନ୍ତି ମହାତ୍ମା ଗାନ୍ଧି । ମହାତ୍ମା ଗାନ୍ଧି ନିଜର ଆଦର୍ଶ ଓ ଅହିଂସାର ବାର୍ତ୍ତା ପ୍ରଦାନ କରିଥିବା ପାଇଁ ବିଶ୍ୱରେ ଆଜି ତାଙ୍କୁ ଲୋକେ ମନେ ରଖିଛନ୍ତି। ଜାତିର ପିତା କେବଳ ଭାରତ ଇତିହାସରେ ନୁହେଁ ସମଗ୍ର ବିଶ୍ୱରେ ଜଣେ ମହାମାନବ ଭାବରେ ସୁପରିଚିତ । ଭାରତୀୟ ରାଜନୀତିରେ ମହାତ୍ମା ଗାନ୍ଧିଙ୍କ ପ୍ରବେଶ ଭାରତର ମୁକ୍ତି ସଂଗ୍ରାମକୁ ଏକ ନୂଆ ମୋଡ ଦେଇଥିଲା । ଏହି ସଂଗ୍ରାମ ସମୟରେ ସେ ସତ୍ୟ ଓ ଅହିଂସା ଉପରେ ଆଧାରିତ ନୂତନ ଅସ୍ତ୍ର ସତ୍ୟାଗ୍ରହର ପ୍ରବର୍ତ୍ତନ କରିଥିଲେ ।
ଗାନ୍ଧିଙ୍କ ଅହିଂସାର ମାର୍ଗକୁ ମନେ ପକାଇବା ପାଇଁ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ ଅର୍ନ୍ତଜାତୀୟ ଅହିଂସା ଦିବସ ଭାବେ ପାଳନ କରାଯାଉଛି । କଳା-ଗୋରା ଭେଦଭାବକୁ ଦୂର କରିବା ନେଇ ସେ ଆରମ୍ଭ କରିଥିଲେ ଆନ୍ଦୋଳନ। ୧୯୧୫ ମସିହାରେ ଭାରତ ଫେରି ଆସି ଦେଶର ସ୍ୱାଧିନତା ଆନ୍ଦୋଳନରେ ସାମିଲ ହୋଇଥିଲେ । ଇଂରେଜ ସରକାର ବିରୋଧରେ ଅସହଯୋଗ ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଭାରତ ଛାଡ଼ ଆନ୍ଦୋଳନ କରି ଅହିଂସା ପଥରେ ଦେଶ ପାଇଁ ସ୍ୱାଧୀନ ଆଣି ଦେଇଥିଲେ ଏହି ମହାନ ଜନନାୟକ । ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ନାଥୁରାମ ଗଡସେ ନାମକ ଜଣେ ଆତତାୟୀ ଗୁଳିରେ ସବୁ ଦିନ ପାଇଁ ଆଖି ବୁଜି ଦେଇଥିଲେ ବାପୁଜୀ ।
ଗାନ୍ଧିଜୀଙ୍କ ଜୀବନୀ ସଂପର୍କରେ ସମସ୍ତେ ଜାଣନ୍ତି। କିନ୍ତୁ ଗାନ୍ଧିଙ୍କ ଜୀବନ ସହିତ ଜଡ଼ିତ ଅନେକ ଘଟଣା ହୁଏତ ସାଧାରଣ ଲୋକଙ୍କୁ ଜଣା ନ ଥାଇ ପାରେ। ଏକଦା ବିଶ୍ୱର ମହାନ ବୈଜ୍ଞାନିକ ଆଇନଷ୍ଟାଇନ୍ କହିଥିଲେ, କିଛି ବର୍ଷ ପରେ ଲୋକ ଭୁଲିଯିବେ ଯେ, ମହାତ୍ମା ଗାନ୍ଧି ନାଁରେ ଜଣେ କେହି ଲୋକ ରକ୍ତ-ମାଂସରେ ତିଆରି ହୋଇଥିବା ମଣିଷ ଚଳପ୍ରଚଳ ହେଉଥିଲେ, ମାତ୍ର ତାଙ୍କର କାର୍ଯ୍ୟ, ଚିନ୍ତାଧାରା ଓ ଆଦର୍ଶ ଚିରକାଳ ମନେରହିବ। ମହାତ୍ମା ଗାନ୍ଧୀ ଦେଶ ସ୍ୱାଧୀନତା ପାଇଁ ନିଜର ଜୀବନକୁ ବଳି ଦେଇଥିଲେ। ସେ କେବେ ବି କ୍ଷମତା ଓ ବ୍ୟକ୍ତିଗତ ଲାଭ ପାଇଁ ପଦପଦବି ପାଇଁ ମନ ବଳାଇ ନ ଥିଲେ।
ସେହିପରି ଆଜି ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ମଧ୍ୟ ଜନ୍ମଦିନ। ସମଗ୍ର ଦେଶରେ ପାଳିତ ହେଉଛି ରାଷ୍ଟ୍ରନାୟକ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ । ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ୧୯୦୪ ମସିହାରେ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଲାଲ ବାହାଦୂର ଶାସ୍ତ୍ରୀ। ପିଲାଟି ବେଳୁ ସେ ବେଶ୍ ନମ୍ର, ଶାନ୍ତ ଓ ସରଳ ଥିଲେ। ମହାତ୍ମା ଗାନ୍ଧିଙ୍କ ଡାକରାରେ ସେ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ। ଦେଶ ସ୍ୱାଧୀନ ହେବା ପରେ ଜବାହାରଲାଲ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ରେଳମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ଶାସ୍ତ୍ରୀଜୀ। ପରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇଥିଲେ ସେ । ଶାସ୍ତ୍ରୀଜୀ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ପାକିସ୍ତାନ ସହ ଯୁଦ୍ଧଲଢ଼ି ନିଜର ପରାକ୍ରମ ଦେଖାଇପାରିଥିଲା ଭାରତ । ତାଙ୍କ ସ୍ଲୋଗାନ ‘ଜୟ ଜବାନ ଏବଂ ଜୟ କିଶାନ’ ଆଜି ଦେଶ ପାଇଁ ଅମର ହୋଇ ରହିଛି ।
