ଦ୍ଵିତୀୟ ଦିନିକିଆ : ଗିଲ୍ ଓ ଆୟରଙ୍କ ଧୂଆଁଧାର ଶତକ, ଅଷ୍ଟ୍ରେଲିଆକୁ ୪୦୦ ରନ୍ର ବିଜୟ ଲକ୍ଷ୍ୟ ଦେଲା ଭାରତ
ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋର ସ୍ଥିତ ହଲକର୍ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିତୀୟ ଦିନିକିଆ ଜାରି ରହିଛି । ମ୍ୟାଚରେ ଅଷ୍ଟ୍ରେଲିଆ ବୋଲରଙ୍କ ହୋସ୍ ଉଡ଼ାଇ ଦେଲେ ଭାରତୀୟ ବ୍ୟାଟର । ନିର୍ଦ୍ଧାରିତ ୫୦ ଓଭରରେ ୩୯୯ ରନ୍ କରିଛି ଟିମ୍ ଇଣ୍ଡିଆ। ୪୦୦ ରନ୍ ଲକ୍ଷ୍ୟକୁ ନେଇ ପଡ଼ିଆକୁ ଓହ୍ଲାଇବ କଙ୍ଗାରୁ ଦଳ। ଶୁଭମନ ଗିଲ୍ ଓ ସ୍ରେୟାଶ ଆୟାରଙ୍କ ଶତକ ଏବଂ ସୂର୍ଯ୍ୟକୁମାର ଓ କେଏଲ୍ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଦଳକୁ ଏକ ମଜଭୁତ ସ୍ଥିତିରେ ପହଞ୍ଚାଇଛି। ଏହାସହ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଏହା ସର୍ବାଧିକ ସ୍କୋର।
ରବିବାର ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଯୁବ ବ୍ୟାଟରମାନେ ଅଷ୍ଟ୍ରେଲିଆ ବିପକ୍ଷରେ ବିସ୍ପୋରକ ବ୍ୟାଟିଂ କରିଛନ୍ତି। ଉଦୟମାନ ବ୍ୟାଟର ଶୁବମନ୍ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ ଓ କେଏଲ୍ ରାହୁଲ କଙ୍ଗାରୁ ଦଳର ବୋଲରଙ୍କୁ ନିରାଶ କରିଛନ୍ତି। ଶ୍ରେୟସ ଓ ଶୁବମନ ଗିଲ ଶତକ ହାସଲ କରିବା ସହିତ ୨୦୦ ରନ୍ର ଭାଗିଦାରୀ ହୋଇ ପାରିଛନ୍ତି। ସୂର୍ଯ୍ୟକୁମାର ଯାଦବ ଓ କେଏଲ୍ ରାହୁଲ ବ୍ୟକ୍ତିଗତ ଭାବେ ଅର୍ଦ୍ଧଶତକ ରନ ସଂଗ୍ରହ କରିଛନ୍ତି। ଭାରତୀୟ ବ୍ୟାଟର ଋତୁରାଜ ଗାଏକ୍ବାଡ ପାଳି ଆରମ୍ଭ କରିଥିଲେ। ଉଭୟ ଖେଳାଳି ପ୍ରଥମ ୱିକେଟ୍ରେ ୧୯ ରନ୍ ସଂଗ୍ରହ କରିଥିଲେ। ଋତୁରାଜ ୧୨ଟି ବଲ୍ ସାମ୍ନା କରି ୨ଟି ଚୌକା ବଳରେ ବ୍ୟକ୍ତିଗତ ଭାବେ ମାତ୍ର ୮ ରନ୍ ସଂଗ୍ରହ କରି ପାଭଲିଅନ୍ ଫେରି ଆସିଥିଲେ। ଶ୍ରେୟସ ଆୟର ବ୍ୟକ୍ତିଗତ ଭାବେ ମୋଟ୍ ୯୦ଟି ବଲ୍ ଖେଳି ୧୦୫ ରନ୍ କରି ପାଭଲିଅନ ଫେରି ଆସିଥିଲେ। ଶୁବମନ ଗିଲ୍ ୯୭ଟି ବଲ୍ ଖେଳି ୧୦୪ ରନ୍ କରି ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ଅପରାଜିତ ୭୨ ରନ୍ ସଂଗ୍ରହ କରିଥିଲେ। ସେ ୩୭ଟି ବଲ୍ ଖେଳି ୬ଟି ଚୌକା ଓ ୬ଟି ଛକା ମାରିଥିଲେ। ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଅପରାଜିତ ରହି ୯ଟି ବଲ୍ ଖେଳିଥିଲେ। ସେ ଗୋଟିଏ ଚୌକା ସହାୟତାରେ ୧୩ ରନ୍ ସଂଗ୍ରହ କରିଥିଲେ। କେଏଲ୍ ରାହୁଲ ୩୮ଟି ବଲ୍ ସାମ୍ନା କରିଥିଲେ। ସେ ୩ଟି ଚୌକା ଓ ୩ଟି ଛକା ବଳରେ ୫୨ ରନ୍ ସଂଗ୍ରହ କରିଥିଲେ। ସେହିପରି ଈଶାନ କିଶନ ୧୮ଟି ବଲ୍ରୁ ୩୧ ରନ୍ କରିଥିଲେ। ସେ ୨ଟି ଚୌକା ଓ ୨ଟି ଛକା ମାରିଥିଲେ।
ସୂଚନା ଯେ, ୩ ମ୍ୟାଚ୍ ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟ ଭାରତ ୧-୦ରେ ଆଗୁଆ ରହିଛି। ପ୍ରଥମ ଦିନିକିଆରେ ଭାରତ ଅଷ୍ଟ୍ରେଲିଆକୁ ୫ ଓ୍ୱିକେଟ୍ରେ ହରାଇଥିଲା।
