ଏସିଆ କପ୍ ୨୦୨୩ : ଆଜି ନେପାଳ-ଭାରତ ମ୍ୟାଚ୍, ମ୍ୟାଚରେ ରହିଛି ବର୍ଷାର ଭୟ
କାଣ୍ଡି : ଏସିଆ କପ୍ ୨୦୨୩ରେ ଆଜି ଭାରତ ଖେଳିବ ୨ୟ ମ୍ୟାଚ୍ । ସୋମବାର ଭାରତ-ନେପାଳ ମଧ୍ୟରେ କାଣ୍ଡିର ପାଲେକାଲି ଇଣ୍ଟରନେସନାଲ କ୍ରିକେଟ ଷ୍ଟାଡିୟମରେ ଖୋଳାଯିବ ମ୍ୟାଚ । ଗତ ସେପ୍ଟେମ୍ବର ୨ରେ ବର୍ଷା ଲାଗି ଭାରତ-ପାକିସ୍ତାନ ବର୍ଷାରେ ରଦ୍ଦ ହୋଇଥିଲା । ଯାହା ଲାଗି ଉଭୟ ଟିମ୍ ମଧ୍ୟରେ ପଏଣ୍ଟ ଭାଗ କରାଯାଇଥିଲା ।
ଏସିଆ କପରେ ସୁପର-୪ କୁ ଯିବ କି ଟିମ ଇଣ୍ଡିଆ ? ଆଜି ଭାରତ-ନେପାଳ ଲଢ଼େଇ । କାଣ୍ଡିର ପାଲେକାଲି ଇଣ୍ଟରନେସନାଲ କ୍ରିକେଟ ଷ୍ଟାଡିୟମରେ ମ୍ୟାଚ ଖୋଳାଯିବ। ଏହି ମ୍ୟାଚ୍ ଯିଏ ଜିତିବ ସୁପର ଫୋର୍ ଯିବ । ଭାରତ ହାତର ସବୁ ସୁଯୋଗ ରହିଛି । ନେପାଳ ପାଇଁ ଶକ୍ତିଶାଳୀ ଟିମ୍ ଇଣ୍ଡିଆକୁ ହରାଇବା ଏତେ ସହଜ ନୁହେଁ । ତେଣୁ ରୋହିତ ବାହିନୀର ପଲ୍ଲା ଭାରି ରହିଛି ।
ସୂଚନା ଯେ, ଏସିଆ କପ୍ରେ ପ୍ରଥମ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୬୬ ରନ୍ କରିଥିଲା । ପାକିସ୍ତାନ କିଛି ସମୟ ପାଇଁ ବ୍ୟାଟିଂ ଆରମ୍ଭ କରିଥିଲା । କିନ୍ତୁ ବାଧକ ସାଜିଥିଲା ବର୍ଷା । ଲଗାତର ବର୍ଷା ଲାଗି ଖେଳ ଅସମ୍ଭବ ହୋଇଥିଲା । ଶେଷରେ ମ୍ୟାଚ୍କୁ ରଦ୍ଦ କରିଥିଲେ ରେଫରୀ । ଯାହାପରେ ପଏଣ୍ଟକୁ ଉଭୟ ଟିମ୍ ମଧ୍ୟରେ ଭାଗ କରାଯାଇଥିଲା । ସେପଟେ ନେପାଳ ତାର ପ୍ରଥମ ମ୍ୟାଚ୍ ପାକିସ୍ତାନଠୁ ପରାସ୍ତ ହୋଇଛି । ଯାହାଫଳରେ ଉଭୟ ଟିମ୍ ପାଇଁ ଆଜିର ମ୍ୟାଚ୍ କର ବା ମର ସ୍ଥିତି । ଯେଉଁ ଟିମ୍ ସୋମବାର ଖେଳାଯିବାକୁ ଥିବା ମ୍ୟାଚ୍କୁ ଜିତିବ । ସେହି ଟିମ୍ ହିଁ ଟୁର୍ଣ୍ଣାମେଣ୍ଟ ଆଗାମୀ ପର୍ଯ୍ୟାୟକୁ ଯିବ । ଆଉ ପରାସ୍ତ ଟିମ୍ ଟୁର୍ଣ୍ଣାମେଣ୍ଟରୁ ବିଦା ହେବ ।
ସେହିପରି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍କୁ ଲାଗିଛି ଝଟ୍କା । ଦୀର୍ଘ ୧୩ ମାସ ପରେ ଟିମ୍କୁ ଫେରିଥିବା ବୁମରା ବ୍ୟକ୍ତିଗତ କାରଣ ଲାଗି ସ୍ୱଦେଶ ଫେରିଛନ୍ତି । ନେପାଳ ବିପକ୍ଷରେ ହେବାକୁ ଥିବା ମ୍ୟାଚ୍ରେ ବି ସେ ଅନୁପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ଅନ୍ୟପଟେ ଦୀର୍ଘ ଦିନ ପରେ ଟିମ୍କୁ ଫେରିଛନ୍ତି କେଏଲ୍ ରାହୁଲ । ନେପାଳ ବିପକ୍ଷ ମ୍ୟାଚ୍ ପୂର୍ବରୁ ରାହୁଲଙ୍କ ଫିଟ୍ନେସ୍ ଟେଷ୍ଟ କରାଯିବ । ଯଦି ରାହୁଲ୍ ଏଥିରେ ପାସ୍ ହୁଅନ୍ତି, ତେବେ ସେ ଟିମ୍ରେ ଖେଳିପାରିବେ ବୋଲି ସୂଚନା ମିଳିଛି ।
ଭାରତ ସମ୍ଭାବ୍ୟ ଦଳ : ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟର , ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଶର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ମହମ୍ମଦ ସାମି ।
ନେପାଳ ସମ୍ଭାବ୍ୟ ଦଳ : ରୋହିତ ପାଡେଲ (ଅଧିନାୟକ), କୁଶାଲ ଭୂର୍ଟେଲ, ଅସିଫ୍ ସୈଖ, ଆରିଫ ସୈଖ, ସୋମପାଲ କାମ, ଦିପେନ୍ଦ୍ର ସିଂ, ଗୁଲସନ ଝା, କୁଶଲ ମଲ୍ଲ, କରଣ କେସି, ସନ୍ଦୀପ ଲାମିଛାନେ, ଲଳିତ ବାଜବଂଶୀ ।
