ଆଜି ଲଘୁଚାପରେ ପରିଣତ ହୋଇପାରେ ଘୂର୍ଣ୍ଣିବଳୟ
ଭୁବନେଶ୍ୱର : ବଙ୍ଗୋପସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଅନେକ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଆଗାମୀ ୩ ଘଣ୍ଟା ପାଇଁ ୩ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
କନ୍ଧମାଳ, ଦେବଗଡ଼ ଓ ରାୟଗଡ଼ା ଜିଲାକୁ ଜାରି କରାଯାଇଛି ୟେଲୋ ୱାର୍ଣ୍ଣିଂ । ଏହି ୩ ଜିଲାରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଅତି ଜରୁରୀ ନଥିଲେ ଘରୁ ନ ବାହାରିବାକୁ କୁହାଯାଇଛି । ସେହିପରି ୪ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ସମସ୍ତ ଜିଲ୍ଲା ଓ ୫ ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୫ ତାରିଖରେ ବର୍ଷା କମିବା ସମ୍ଭାବନା ରହିଛି ।
ସୂଚନା ଯେ, ଗତକାଲି ଭୟଙ୍କର ବିଜୁଳି ଓ ଘଡ଼ଘଡ଼ିରେ ଥରିଲା ରାଜଧାନୀ । ଭୁବନେଶ୍ବରରେ ସର୍ବାଧିକ ୧୨୬ ମିଲିମିଟିର ବର୍ଷା ରେକର୍ଡ ହୋଇଥିଲା ।ଦୁଇ ଘଣ୍ଟା ଧରି ପ୍ରବଳ ବର୍ଷା ଲାଗି ରହିଥିଲା । ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇଯାଇଥିଲା। ସମ୍ଭାବ୍ୟ ଲଘୁଚାପ ବର୍ଷା ରାଜ୍ୟରେ ନିଅଣ୍ଟିଆ ସ୍ଥିତିକୁ ସାମାନ୍ୟ ଭରଣା କରିବ ବୋଲି ଆଶା ରହିଛି। ଅଗଷ୍ଟରେ ବର୍ଷା ପରିମାଣ କମିଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମରୁଡ଼ି ଭଳି ସ୍ଥିତି ଉପୁଜିଛି। ଆଗକୁ ବର୍ଷା ନହେଲେ ମରୁଡ଼ି ହୋଇପାରେ ।
