ବାଲେଶ୍ୱର : ପ୍ରାଚୀନ କଳା ଓ ଭାସ୍କର୍ଯ୍ୟର ଉତ୍ଥାନ ନିମନ୍ତେ କର୍ମଶାଳା
ବାଲେଶ୍ୱର : ଇନ୍ଟାକ୍ ବାଲେଶ୍ୱର ଚାପ୍ଟର ତରଫରୁ ‘କଳାକ୍ଷେତ୍ର’ ପରିସରରେ ବିଲୁପ୍ତପ୍ରାୟ ପ୍ରାଚୀନ କଳା ଓ ଭାସ୍କର୍ଯ୍ୟର ପୁନରୁଦ୍ଧାର ନିମନ୍ତେ ଏକ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆମର ଭବିଷ୍ୟତ ବଂଶଧରଙ୍କ ସଚେତନତା ଓ ତାଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଅଭିପ୍ରାୟ ।

କର୍ମଶାଳାକୁ ସମାଜ ବାଲେଶ୍ୱର ସଂସ୍କରଣ ମୁଖ୍ୟ ମଧୁସୂଦନ ଦାସ ଉଦ୍ଘାଟନ କରିଥିଲେ । ବାଲେଶ୍ୱର ଇନ୍ଟାକ୍ ଚାପଟର୍ ମୁଖ୍ୟ ପୁରୋଧା କନ୍ଭେନର୍ ଉଦୟ ରଞ୍ଜନ ଦାସ, ସହ କନଭେନର ନିକୁଞ୍ଜ ବିହାରୀ ଦାସ ଓ ସୁଶ୍ରୀ ଅର୍ଚ୍ଚନା ନନ୍ଦୀ ଏହି ମହତ୍ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଏହାକୁ ସୁପ୍ତରୁ ଜାଗ୍ରତ ଅବସ୍ଥାରେ ପରିଣତ କରିବାକୁ ପ୍ରେରଣା ପ୍ରଦାନ କରିଥିଲେ । କର୍ମଶାଳାରେ ବାଲେଶ୍ୱର ସ୍ଥିତ ୧୨ଟି ବିଦ୍ୟାଳୟର ୪୯ଜଣ ଛାତ୍ରୀଛାତ୍ର ଅଂଶଗ୍ରହଣ କରି ଆଦିବାସୀ ସଂସ୍କୃତିର ପଟ୍ଟଚିତ୍ରମାନ ଅଙ୍କନ କରିଥିଲେ । ଏ ସମ୍ବନ୍ଧରେ ପିଲାମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ କଳାକ୍ଷେତ୍ରର ଶିକ୍ଷକ ଆକାଶ ବାଲ୍ମିକୀ ଏବଂ ଶିକ୍ଷୟିତ୍ରୀ ଆର୍ଯ୍ୟପ୍ରଜ୍ଞା ବାସବଦତ୍ତା । ଏହି ଅଙ୍କିତ ପଟ୍ଟଚିତ୍ର ମଧ୍ୟରୁ ଶ୍ରେଷ୍ଠ ୩ଟି ଚିତ୍ର ଇନ୍ଟାକ୍ର ମୁଖ୍ୟାଳୟ ନୂଆଦିଲ୍ଲୀକୁ ପଠାଇ ଦିଆଯାଇ ଉତ୍କୃଷ୍ଟମାନର ୧ମ, ୨ୟ ଓ ୩ୟ ଭାବେ ବିବେଚନା ପରେ କୃତି ପ୍ରତିଯୋଗୀମାନଙ୍କୁ ସଂସ୍ଥା ତରଫରୁ ପୁରସ୍କୃତ କରାଯିବ । କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । ଇନ୍ଟାକ୍ର ସଭ୍ୟ ସତ୍ୟନାରାୟଣ ନନ୍ଦ, ଭାବଗ୍ରାହୀ ମହାନ୍ତି, ଅଖିଳ କୁମାର ଦାସ, ଯଶୋଦା ନନ୍ଦନ ଆଶ୍, ଦେବାଶିଷ ମିଶ୍ର, ଶିତିକଣ୍ଠ ଦିକ୍ଷିତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
