ଜାଲରେ ପଡ଼ିଲା ବିରଳ ତେଲିଆ ମାଛ, ବିକି ହେଲେ କୋଟିପତି
ବାଲେଶ୍ୱର : ଜାଲରେ ପଡ଼ିଲା ବିରଳ ତେଲିଆ ମାଛ । ୧ କୋଟିରୁ ଅଧିକ ଟଙ୍କାରେ ବିକ୍ରି କରି କୋଟିପତି ହେଲେ ମତ୍ସଜୀବୀ । ଭୋଗରାଇ-ଦିଘା ସମୁଦ୍ର ମୁହାଁଣରେ ବିରଳ ତେଲିଆ ମାଛ ଜାଲରେ ପଡ଼ିଥିଲା। ଏହି ମାଛ ମତ୍ସଜୀବୀଙ୍କୁ କୋଟି ପତି କରିଦେଇଛି। ଦୁଇଟି ଟ୍ରଲରରେ ଦୁଇ ଦଳ ମତ୍ସଜୀବୀ ୧୬୧ଟି ତେଲପିଆ ଭେକ୍ଟି ମାଛ ଧରି ଆଣିଥିଲେ। ଗୋଟିଏ ଟ୍ରଲରରେ ୧୨୭ଟି ଏବଂ ଅନ୍ୟଟିରେ ୩୪ଟି ମାଛ ଧରା ପଡ଼ିଥିଲେ। କୋଲକାତାର ଏକ ମେରିନ କମ୍ପାନି ଏହି ତେଲିଆ ମାଛଙ୍କୁ କିଣିବା ଲାଗି ଆଗ୍ରହ ପ୍ରକାଶ କରିବା ସହିତ ଏସବୁକୁ କିଲୋ ପ୍ରତି ୧୨ ହଜାର ଟଙ୍କାରେ କିଣିଥିଲା। ଯାହାକି ମତ୍ସଜୀବୀଙ୍କୁ ପ୍ରାୟ ୧ କୋଟି ୧୨ ଲକ୍ଷ ଟଙ୍କାର ଫାଇଦା ଦେଇଛି।
ଅନ୍ୟପକ୍ଷରେ ପାଗ ଅନୁକୂଳ ହେଉନଥିବାରୁ ସମୁଦ୍ରରେ ଧରାଦେଉନି ଇଲିସି । ଗତ ୧୫ ତାରିଖରୁ ମତ୍ସ୍ୟଜୀବୀଙ୍କ ପାଇଁ ସମୁଦ୍ରରୁ ନିଷେଧାଦେଶ ଉଠିବା ପରେ ଦୀଘା ଉପକୂଳରୁ ସହସ୍ରାଧିକ ମାଛ ଧରା ଟ୍ରଲର ଇଲିସି ସନ୍ଧାନରେ ତଲାସୀ ଜାରି ରଖିଛନ୍ତି । ହେଲେ ଦୁଇ ସପ୍ତାହ ପରେ ଇଲିସି ବଦଳରେ ତେଲିଆ ଭେକଟି ମାଛ ଜାଲରେ ଧରାପଡ଼ିଛି । ଏଥିସହିତ ବିଭିନ୍ନ ପ୍ରଜାତିର ଲୁଣିମାଛ ପ୍ରଚୁର ପରିମାଣର ବଜାରରେ ଆମଦାନୀ ହେଉଥିବାରୁ ମାଚର ମୂଲ୍ୟ ହ୍ରାସ ହୋଇଛି । ଗତ ଶନିବାର ଦୀଘା ଉପକୂଳରୁ ୨ଟି ଟ୍ରଲରରେ ୬୨ ପିସ ଏହି ତେଲିଆ ଭେକଟି ମାଚ ଧରାଯାଇ ଦୀଘା ମାଛ ମାର୍କେଟ୍କୁ ଅଣାଯାଇ ବିକ୍ରି ପାଇଁ ନିଲାମ କରାଯାଇଥିଲା । ଏହି ମାଛ ଔଷଧୀୟ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ ବୋଲି କୁହାଯାଉଛି । ଅପରପକ୍ଷରେ ମୌସମୀ ବର୍ଷା ସାଙ୍ଗକୁ ପୂର୍ବାଳି ବାତ୍ୟା ହେଉନଥିବାରୁ ମତ୍ସ୍ୟଜୀବୀଙ୍କ ଜାଲରେ ଆଶାନୁରୂପ ଧରାଦଉନି ଇଲିସି । ପାଗ ଅନୁକୂଳ ହେଲେ ଭାରତ ସୀମାନ୍ତ ବାଂଲାଦେଶ, ମିଆଁମାର ଗଭୀର ସମୁଦ୍ରରୁ ଚାଣ ଚାଣ ଇଲିସି ବଙ୍ଗ ଓ ଓଡ଼ିଶା ଉପକୂଳକୁ ଯାଆଁଳ ଛାଡ଼ିବା ସହିତ ନଦୀ ଓ ସମୁଦ୍ର ସଙ୍ଗମ ସ୍ଥଳକୁ ମଧୁର ଜଳ ପାନ କରିବାକୁ ଆସି ଜାଳରେ ଧରାପଡ଼ିବେ ବୋଲି ମତ୍ସ୍ୟଜୀବୀମାନେ ଆଶା ବାନ୍ଧିଛନ୍ତି । ଦୀଘା ଠାରୁ ବାଲେଶ୍ୱର ଉପକୂଳ ଉଦୟପୁର, ତାଳସାରୀ, ରଣସିଂପୁର, କୀର୍ତ୍ତନିଆ, ଚୌମୁଖ, ଡଗରା, ବାହାବଳପୁର, କଷାଫଳ ପ୍ରଭୃତି ମତ୍ସ୍ୟ ଅବତରଣ କେନ୍ଦ୍ରରେ ବିଭିନ୍ନ ପ୍ରଜାତିର ଲୁଣିମାଛ ନିଲାମ କରାଯାଉଥିବା ବେଳେ କରୋନା କାଳରେ ହାତବାନ୍ଧି ବସିଥିବା ମତ୍ସ୍ୟଜୀବୀମାନଙ୍କ ରୋଜଗାର ବାଟ ପିଟିଥିବାରୁ ସେମାନେ ଖୁସୀବ୍ୟକ୍ତ କରିଛନ୍ତି । ମାଛ ମଧ୍ୟରେ ଶ୍ରେଷ୍ଠ ଇଲିସି ପ୍ରତମେ ଦୁଇଦିନ ଆଶାତିତ ଭାବେ ଜାଳରେ ଧରାଦେଇଥିବା ବେଳେ ଏବେ ସମୁଦ୍ରରେ ଇଲିସି ଲୁଚକାଳି ଖେଳୁଛି । ପେଟ୍ରୋଲଜାତ ଦ୍ରବ୍ୟର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁଁ ଟ୍ରଲର ମାଲିକମାନେ ମାଛ ପ୍ରଚୁର ନପଡ଼ିଲେ ଆର୍ଥିକ କ୍ଷତିଗ୍ରସ୍ତ ହେବେ ବୋଲି ସୂଚନା ଦେଇଛନ୍ତି ।


