ବାଲେଶ୍ୱର : ବୋଟରୁ ଖସି ମତ୍ସ୍ୟଜୀବୀଙ୍କ ମୃତ୍ୟୁ
ବାହାବଳପୁର : ବାଲେଶ୍ୱର ଜିଲା ବାହାବଳପୁର ସାମୁଦ୍ରିକ ଥାନା ଅନ୍ତର୍ଗତ ବାହାବଳପୁର ମାଛଧରା ମୁହାଣ ନିକଟରେ ବୋଟରୁ ଖସି ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ । ମୃତକ ହେଲେ ଏହି ଥାନା ଅଧୀନ ବଗଦା ଗ୍ରାମର ଜଳନ୍ଧର ସିଂ (୪୨) । ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ସୂଚନା ଯେ, ସେ ଗତ ୨୧ ତାରିଖରେ ଦିବ୍ୟଶକ୍ତି ନାମକ ବୋଟରେ ଅନ୍ୟ ମତ୍ସ୍ୟଜୀବୀଙ୍କ ସହ ମୁହାଣ ନିକଟରୁ ସମୁଦ୍ର ଭିତରକୁ ମାଛ ଧରିବା ପାଇଁ ବାହାରିଥିଲେ । ଅସାବଧାନତା କାରଣରୁ ସେ ମୁହାଣ ନିକଟ ଜଳକା ନଦୀରେ ଖସି ପଡ଼ିଥିଲେ । ସ୍ଥାନୀୟ ପୋଲିସ, ତଟରକ୍ଷୀ ବାହିନୀ ଓ ବାଲେଶ୍ୱର ଅଗ୍ନିଶମ ବିଭାଗ ପହଞ୍ôଚ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ହେଲେ କୌଣସି ସନ୍ଧାନ ମିଳି ନଥିଲା । ମଙ୍ଗଳବାର ମୁହାଣ ନିକଟରେ ଉକ୍ତ ମତ୍ସ୍ୟଜୀବୀଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଥାନାଧିକାରୀ ସଚ୍ଚିଦାନନ୍ଦ ଗିରି, ଏଏସ୍ଆଇ ଏମ୍ ଆର୍ ନାୟକ ପ୍ରମୁଖ ପହଞ୍ôଚ ମୃତଦେହ ଜବତ କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏ ସମ୍ପର୍କରେ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୭/୨୩) ରୁଜୁ କରି ତଦନ୍ତ ଜାରି ରଖିଛି । ମୃତ ମତ୍ସ୍ୟଜୀବୀଙ୍କର ଜଣେ ପୁଅ ଓ ସ୍ତ୍ରୀ ଅଛନ୍ତି ।
