ବାଲେଶ୍ୱର : ୧କୋଟି ୧୦ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ୪ ଗିରଫ
ବାଲେଶ୍ୱର : ବାଲେଶ୍ୱର ଜିଲାରୁ ପୁଣି ଜବତ ହେଲା ବିପୁଳ ପରିମାଣର ବ୍ରାଉନ ସୁଗର। ସହର ସମେତ ଗ୍ରାମାଞ୍ଚଳରେ ଧଳା ଜହର ରୂପି ବ୍ରାଉନ ସୁଗାର କାରବାର ଧୀରେଧୀରେ ବଢ଼ିବାରେ ଲାଗିଛି। ପୋଲିସ, ଅବକାରୀ ପୋଲିସ ଓ ଏସଟିଏଫ ପକ୍ଷରୁ ବାରମ୍ବାର ଚଢ଼ାଉ କରାଯାଉ ଥିଲେ ମଧ୍ୟ ଏହି ସ୍ଲୋ ପୋଇଜନ କାରବାରକୁ ଜିଲାରେ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ପାରୁ ନାହିଁ। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସହର ରେଳ ଷ୍ଟେସନ ରାସ୍ତାରୁ ଭୁବନେଶ୍ୱର ଏସ୍ଟିଏଫ୍ ଟିମ ଦ୍ୱାରା ଚଢ଼ାଉ କରାଯାଇ ୧କେଜି ୧୦୦ ଗ୍ରାମ ଓଜନର ବ୍ରାଉନ ସୁଗର ଜବତ କରାଯିବା ସହ ୪ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନଙ୍କ ଘର ଟାଉନ ଥାନା ଅନ୍ତର୍ଗତ ବାଲୁବଜାର ଓ ପାତ୍ରପଡା ଅଞ୍ଚଳର ବୋଲି ଜଣାପଡ଼ିଛି।
ବିଶେଷ ସୂତ୍ରରୁ ଖବରପାଇ ଭୁବନେଶ୍ୱର ବ୍ରାଞ୍ଚର ଏସଟିଏଫ୍ ଟିମ୍ ବାଲେଶ୍ୱର ପହଞ୍ଚିଥିଲା । ସହଦେବଖୁଣ୍ଟା ପୋଲିସ୍ ସହାୟତାରେ ରେଳ ଷ୍ଟେସନ ରାସ୍ତାରେ ଛଦ୍ମ ବେଶରେ ଛକି ରହିଥିଲା । ଗତ ରବିବାର ସନ୍ଧ୍ୟା ସମୟରେ ବ୍ରାଉନସୁଗାର କାରବାର ପାଇଁ ଏକ ବଡ଼ ମସୁଧା ଚାଲିଥିବା ବେଳେ ଛଦ୍ମ ବେଶରେ ଛକି ରହିଥିବା ଏସଟିଏଫ୍ ଅଫିସରମାନେ ଚଢ଼ାଉ କରି ୪ ଅଭିଯୁକ୍ତଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ୧କେଜି ୧୦୦ ଗ୍ରାମ ଓଜନର ବ୍ରାଉନ ସୁଗାର ଯାହାର ଆନୁମାନିକ ମୂଲ୍ୟ ୧କୋଟି ୧୦ଲକ୍ଷ ଟଙ୍କା ଏବଂ ଗୋଟିଏ ବାଇକ୍ ଜବତ କରିଥିଲେ । ଅଭିଯୁକ୍ତମାନେ ହେଲେ ବାଲୁବଜାର ଅଞ୍ଚଳର ସେକ ଫାୟାଜ, ସେକ ସାମସେଦ, ସେକ ମୁରାଦ ଏବଂ ପାତ୍ରପଡା ଅଞ୍ଚଳର ସନ୍ଦୀପ ନାୟକ। ଏନେଇ ଏସଟିଏଫ ଥାନା ମାମଲା (ନଂ-୧୬/୨୩) ୟୁ/ଏସ ୨୧(ସି)/୨୯ ଅଫ ଏନଡିପିଏସ ଆକ୍ଟ-୧୯୮୫ମୂଳେ ଗିରଫ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୂଚନା ଥାଉକି, ବାଲେଶ୍ୱର ଜିଲାରେ ଗତ ୨୦୨୦ ମସିହା ଠାରୁ ଏସଟିଏଫ୍ ପୋଲିସ ୭୧ କେଜି ବ୍ରାଉନସୁଗର, ୨୦୨ ଗ୍ରାମ କୋକେନ୍, ୧୧୬ କ୍ଵିଣ୍ଟାଲ ଗଞ୍ଜେଇ, ଏବଂ ୭୫୦ ଗ୍ରାମର ଅଫିମ ଜବତ କରିଛି। ଏଥିସହିତ ୧୭୬ ଜଣ ନିଶାଦ୍ରବ୍ୟ ବେପାରୀଙ୍କୁ ଏସଟିଏଫ୍ ଗିରଫ କରିଛନ୍ତି ।
