ବାଲେଶ୍ୱର : ବାସୁଚକୁରାଇ ପଞ୍ଚାୟତ କାର୍ଯ୍ୟାଳୟ ଫଳକ ଭଙ୍ଗା ଘଟଣା, କଂଗ୍ରେସ ପକ୍ଷରୁ ଆନ୍ଦୋଳନର ଚେତାବନୀ
ବସ୍ତା : ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ବାସୁଚକୁରାଇ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟାଳୟ ଉଦ୍ଘାଟନ ସମୟରେ ଲାଗିଥିବା ଫଳକକୁ ବର୍ତ୍ତମାନର ସରପଞ୍ଚ, ସମିତି ସଭ୍ୟ ଓ ସମର୍ଥକମାନେ ଭାଙ୍ଗି ଦେବା ହୀନ ରାଜନୀତି । ଏହାକୁ କଂଗ୍ରେସ ତୀବ୍ର ନିନ୍ଦା କରିବା ସହିତ ଶାସକ ଦଳର ଏହା ଏକ ହୀନ ରାଜନୈତିକ ଚିନ୍ତାଧାରା ବୋଲି ବାହାର୍ଦ୍ଦା ଡାକ ବଙ୍ଗଳାରେ ଆୟୋଜିତ ଖବରଦାତା ସମ୍ମିଳନୀରେ କଂଗ୍ରେସ ନେତୃବୃନ୍ଦ ଯୋଗଦେଇ କହିଛନ୍ତି ।
ଏଥିସହ ଅଧିକାଂଶ ସମୟରେ ରାତି ୧୨ଟା ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟ ଖୋଲା ରଖି ସରକାରୀ ଦଳର ସରପଞ୍ଚ ଓ ସେମାନଙ୍କ ସମର୍ଥକ ମାନେ ବିଭିନ୍ନ ଅସାମାଜିକ କାର୍ଯ୍ୟକୁ ପ୍ରଶ୍ରୟ ଦେଉଛନ୍ତି । ଏହା ସରକାରୀ ନିୟମକୁ ଉଲ୍ଲଂଘନ କରୁଛି । ଉକ୍ତ ଫଳକରେ ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଦାସ, ପୂର୍ବତନ ସମିତିସଭ୍ୟ ଶମ୍ଭୁ ନାଥ ସିଂଙ୍କ ସମେତ ସେତେବେଳର ବିଡ଼ିଓ କୁକୁମିନା ଦାସ, ସେତେବେଳେର ପଞ୍ଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମୀଧର ଦାସ ଓ ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ନାମ ଉଲ୍ଲେଖ ଥିଲା । ଉକ୍ତ ଫଳକକୁ ଭାଙ୍ଗି ଦେବା ଏକ ଜଘନ୍ୟ ଓ ବର୍ବରୋଚିତ ଘଟଣା ବୋଲି ସମ୍ମିଳନୀରେ ଅଭିଯୋଗ ହୋଇଛି । ଏ ସମ୍ପର୍କରେ ବିଡ଼ିଓ ସତ୍ୟଜିତ୍ ମହାନ୍ତି ଓ ଆଇଆଇସି ଗୋବିନ୍ଦ ବେହେରାଙ୍କୁ ଲିଖିତ ଭାବେ ଜଣାଯାଇଛି । ପ୍ରଶାସନ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ନହେଲେ ଜୋରଦାର ଆନ୍ଦୋଳନ ହେବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ଖବରଦାତା ସମ୍ମିଳନୀରେ ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଦାସ, ପୂର୍ବତନ ସମିତିସଭ୍ୟ ଶମ୍ଭୁ ନାଥ ସିଂଙ୍କ ସମେତ ବ୍ଲକ କଂଗ୍ରେସ ସଭାପତି ସତ୍ୟନାରାୟଣ ଗୁପ୍ତା, ଜିଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଯେନା, ଜିଲା କଂଗ୍ରେସ କିଶାନ ସଭାପତି ଜୟନ୍ତ କୁମାର ମହାପାତ୍ର, ବ୍ଲକ କଂଗ୍ରେସ ଉପ-ସଭାପତି ନରେନ୍ଦ୍ର ଦାସ, ମାୟାଧର ବେହେରା, ଜୟନାରାୟଣ ଦାସ, ମଦନ ଭକ୍ତା, ଅରୁଣ ମଣ୍ଡଳ, ଚନ୍ଦନ ନାୟକ, ଶମ୍ଭୁ ନାଥ ଚଣ୍ଡ, ଅକ୍ଷୟ ଦେ, ରାଜେଶ ମୁଦୁଲି, ପ୍ରଦୀପ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
