ଦୂତୀ ଚାନ୍ଦଙ୍କୁ ବଡ଼ ଝଟକା : ଡୋପ ଟେଷ୍ଟରେ ବିଫଳ, ୪ ବର୍ଷ ପାଇଁ ବାସନ୍ଦ
ଭୁବନେଶ୍ୱର : ଦୌଡ଼ରାଣୀ ଦୂତି ଚାନ୍ଦ କୌଣସି ନା କୌଣସି ପ୍ରସଙ୍ଗ ପାଇଁ ସେ ସର୍ବଦା ଚର୍ଚ୍ଚାରେ ଥାଆନ୍ତି । ତେବେ, ବର୍ତ୍ତମାନ ଆଥଲେଟ୍ ଦୂତି ଚାନ୍ଦଙ୍କୁ ନେଇ ଏକ ଖବର ଆସିଛି । ଆଥଲେଟ୍ ଦୂତି ଚାନ୍ଦଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଛି। ଡୋପ୍ ଟେଷ୍ଟରେ ଫେଲ୍ ମାରିବା ପରେ ଦୂତୀଙ୍କ ଉପରେ ୪ ବର୍ଷର ବ୍ୟାନ୍ ଲାଗିଛି। ଏହି ସମୟରେ ଦୂତି କୌଣସି ଜାତୀୟ, ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିପାରିବେନି । ସିଲେକ୍ଟିଭ୍ ଆଣ୍ଡ୍ରୋଜେନ୍ ରିସେପ୍ଟର ମଡ୍ୟୁଲେଟର ଟେଷ୍ଟରେ ଫେଲ୍ ମାରିଛନ୍ତି ଦୂତି । ନ୍ୟାସନାଲ୍ ଆଣ୍ଟି ଡୋପିଂ ଏଜେନ୍ସି ଦ୍ୱାରା ନିଷିଦ୍ଧ ଘୋଷିତ ସିଲେକ୍ଟିଭ୍ ଆଣ୍ଡ୍ରୋଜେନ୍ ରିସେପ୍ଟର ମଡ୍ୟୁଲେଟର ଦୂତିଙ୍କ ନମୁନାରେ ମିଳିଛି।
ଗତ ୨୦୨୨ ମସିହା ଡିସେମ୍ବର ୫ରେ ଦୂତିଙ୍କ ନାଡାର ସ୍ବତନ୍ତ୍ର ଅଧିକ୍ଷକଙ୍କ ଦ୍ବାରା ରାଜଧାନୀ ଭୁବନେଶ୍ବରରେ ଦୂତୀଙ୍କର ଦୁଇଥର ଡୋପ୍ ଟେଷ୍ଟ ହୋଇଥିଲା। ଆଉ ଏଥିରେ ବିଫଳ ହୋଇଥିଲେ ଧାବିକା । ଏହି ଟେଷ୍ଟରେ ଦୂତିଙ୍କ ଶରୀରରେ ସେଲେକ୍ଟିଭ୍ ପ୍ରଥମ ନମୁନାରେ ନିଷିଦ୍ଧ ଔଷଧ ଆଣ୍ଡାରିନ୍, ଓଷ୍ଟାରିନ୍ ଓ ଲିଗାଣ୍ଡ୍ରୋଲ୍ ଆସିଥିଲା ବେଳେ ଦ୍ୱିତୀୟ ନମୁନାରେ ଆଣ୍ଡାରିନ୍ ଓ ଓଷ୍ଟାରିନ୍ ଥିବା ସ୍ପଷ୍ଟ ହୋଇଥିଲା । ଏହାଫଳରେ ଦୂତିଙ୍କ ପାଖରେ ଆଡଭର୍ସ ଆନାଲିଟିକାଲ୍ ଫାଇଣ୍ଡିଂ ନୋଟିସ୍ ପାଇବାର ୭ ଦିନ ମଧ୍ୟରେ ବି ନମୁନା ପରୀକ୍ଷା ପାଇଁ ସମୟ ରହିଥିଲା । ହେଲେ ଦୂତୀ ଏହି ପରୀକ୍ଷା ପାଇଁ ଆଗ୍ରହ ଦେଖାଇନଥିଲେ । ଏହି ମାମଲାର ଶୁଣାଣୀ ସମୟରେ ଦୂତୀ ଏହା କହିଥିଲେ ଯେ, ସେ ନିଷିଦ୍ଧ ଔଷଧ ସେବନ କରିଥିଲେ, କିନ୍ତୁ ସେ ନିଜକୁ ନିର୍ଦୋଷ ପ୍ରମାଣିତ କରି ପାରି ନଥିଲେ । ଯେଉଁଥିପାଇଁ ତାଙ୍କ ଉପରେ ନାଡା ନିୟମ ଅନୁସାରେ ବାସନ୍ଦାଦେଶ ଲାଗୁ କରାଇଛି।
ସୂଚନା ଅନୁସାରେ, ୨୦୨୨ ମସିହା ଡିସେମ୍ବର ୫ରେ ଦୂତିଙ୍କ ନମୁନା ସଂଗ୍ରହ କରାଯାଇଥିବାରୁ ଏହାପରେ ଦୂତି କ୍ରୀଡ଼ାରେ ହାସଲ କରିଥିବା ସମସ୍ତ ରେକର୍ଡ, ମେଡାଲ୍, ପୁରସ୍କାର ଏବଂ ପଏଣ୍ଟସ୍କୁ ଖାରଜ କରିଛନ୍ତି ନ୍ୟାସନାଲ୍ ଆଣ୍ଟି ଡୋପିଂ ଏଜେନ୍ସି । ୨୦୨୩ ମସିହା ୩ ଜାନୁଆରୀ ଠାରୁ ଦୂତିଙ୍କ ଉପରେ ଏହି କଟକଣା ଲାଗୁ କରାଯାଇଛି। ଆସନ୍ତା ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ଏହି ବ୍ୟାନ୍ ବଳବତ୍ତର ରହିବ। ଡୋପିଂ ନିରୋଧ ଆଇନକୁ ନେଇ ଶୃଙ୍ଖଳାଗତ କମିଟି ଏହି ନିଷ୍ପତ୍ତି ନେଇଛି । ନାଡାର ଦଣ୍ଡବିଧାନ ଧାରା ୨.୧ ଓ ୨.୨ ଅନୁସାରେ, ଦୂତିଙ୍କ ବିରୋଧରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ଦଣ୍ଡାଦେଶ ହେବାର ୨୧ ଦିନ ମଧ୍ୟରେ ଦୂତି ଆଣ୍ଟି ଡୋପିଂ ଅପିଲ୍ ପ୍ୟାନେଲ ନିକଟରେ ପୁନଃ ବିଚାର ପାଇଁ ଆବେଦନ କରିପାରିବେ।
