ଫିଲିପାଇନ୍ସରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ: ୧୭ ମୃତ, ୪୦ ଉଦ୍ଧାର
ମାନିଲା : ଦକ୍ଷିଣ ଫିଲିପାଇନ୍ସରେ ରବିବାର ଦିନ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ତିନିଜଣ ପାଇଲଟ ଏବଂ ଅନ୍ୟ ପାଞ୍ଚ ଜଣ କ୍ରୁ ସଦସ୍ୟ ମଧ୍ୟ ଥିଲେ। ଅନ୍ୟମାନେ ସୈନିକ ଥିବାବେଳେ ଏପର୍ଯ୍ୟନ୍ତ ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।
ଦକ୍ଷିଣ ଫିଲିପାଇନ୍ସରେ ୯୨ ଜଣଙ୍କୁ ନେଇ ଯାଉଥିବା ସେନା ବିମାନ ସି-୧୩୦ ସୁଲୁ ପ୍ରୋଭିନ୍ସର ପାଟିକୁଲ ସହରରେ ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସେଠାକାର ଜଣେ ସେନା ଅଧିକାରୀ କହିଛନ୍ତି ଯେ ବିମାନରେ ୯୨ ଜଣ ଥିଲେ। ଏହି ଦୁର୍ଘଟଣାରେ ୧୭ ଜଣ ସେନା ଯବାନ ପ୍ରାଣ ହରାଇଥିବା ବେଳେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ରଏଟର୍ସ ରିପୋର୍ଟ ଅନୁଯାୟୀ ଫିଲିପାଇନ୍ସର ବାୟୁସେନାର ସି-୧୩୦ ବିମାନ ଜୋଲୋ ଦ୍ୱୀପରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫିଲିପାଇନ୍ସର ସେନା ମୁଖ୍ୟ ସିରିଲିଟୋ ସୋବେଜାନା କହିଛନ୍ତି ଯେ ବିମାନରେ ୯୨ ଜଣ ଲୋକ ଥିଲେ, ସେଥିମଧ୍ୟରୁ ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ବାକି ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି । ସେ କହିଛନ୍ତି ଯେ ବିମାନଟି ସୈନିକମାନଙ୍କୁ ନେଇ ଦକ୍ଷିଣ କଗାୟନରୁ ଯାଉଥିଲା । ଆଉ ବିମାନ ଜୋଲୋ ଦ୍ୱୀପରେ ଅବତରଣ କରିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା ।


