ରାଜ୍ୟରେ ଆସନ୍ତା ୪ ଦିନ ଯାଏଁ ବର୍ଷା ସମ୍ଭାବନା, ଆଜି ୧୦ ଜିଲାକୁ ୱାର୍ଣ୍ଣିଂ ଜାରି
ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ହୋଇଥିବା ବେଳେ ସେପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମଧ୍ୟ ନିଷ୍କ୍ରିୟ ରହିଛି । ମୌସୁମୀ ଜନିତ ନିମ୍ନ ଚାପରେଖାର ପଶ୍ଚିମ ଭାଗ ହିମାଳୟ ପାଦଦେଶ ଯାଏ ଲମ୍ବିଥିବା ବେଳେ ଏହାର ପୂର୍ବ ଭାଗ ବାହରିଚରୁ ମଣିପୁର ଯର୍ଯ୍ୟନ୍ତ ଲମ୍ବିଛି । ଅନ୍ୟପଟେ ପୂର୍ବ ବିହାର ଉପରେ ଥିବା ଏକ ଟ୍ରଫ ଲାଇନ ବର୍ତ୍ତମାନ ପଶ୍ଚିମବଙ୍ଗ ଓ ସିକିମ୍ ଦେଇ ଉତ୍ତର- ପଶ୍ଚିମ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଯାହାର ପ୍ରଭାବରେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ମୟୁରଭଞ୍ଜ, ଢେଙ୍କାନାଳ, ବାଲେଶ୍ବର, କେନ୍ଦୁଝର, କନ୍ଧମାଳ ଓ ବୌଦ୍ଧ ଆଦି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ତେବେ ଆସନ୍ତା ୪ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପକ୍ଷରୁ ଆକଳନ କରାଯାଇଛି।
ସୂଚନା ଅନୁଯାୟୀ, ରବିବାର ଦିନ କଳାହାଣ୍ତି, ସୋନପୁର, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଦେବଗଡ଼, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରପଡ଼ା ଆଦି ଜିଲ୍ଲାରେ ବର୍ଷା ହେବା ନେଇ ସମ୍ଭାବନା ଥିବାରୁ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଆଗମୀ ୧୬ ତାରିଖ ଯାଏଁ ରାଜ୍ୟର କିଛି ସ୍ଥାନରେ ଅଳ୍ପ ଓ ମଧ୍ଯମ ଧରଣ ବର୍ଷା ଲାଗି ରହିବ । ଅନ୍ୟପଟେ ମୌସୁମୀ ବାୟୁ ଦୁର୍ବଳ ହୋଇଥିବାରୁ ଏହାର ପ୍ରଭାବରେ ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ସାଧାରଣତଃ ଅଗଷ୍ଟ ମାସରେ ମୌସୁମୀ ସକ୍ରିୟ ରହିବା ଯୋଗୁଁ ସର୍ବୋଚ୍ଚ ତାପମାତ୍ରା ୩୨ରୁ ୩୫ ଡିଗ୍ରୀ ଭିତରେ ରହିଥାଏ । ମାତ୍ର ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଗତ ଶୁକ୍ରବାର ଦିନ ପୁରୀରେ ସର୍ବୋଚ୍ଚ ତାପମାତ୍ରା ୩୬ ଡ଼ିଗ୍ରୀ ରହିଥିବା ବେଳେ ଭୁନେଶ୍ବରରେ ୩୬ ଡ଼ିଗ୍ରୀ, ପାରଲାଖେମୁଣ୍ତିରେ ୩୬.୯ ଡ଼ିଗ୍ରୀ, ତାଳଚେରରେ ୩୬.୪ ଡ଼ିଗ୍ରୀ, କଟକ ୩୫.୫ ଡିଗ୍ରୀ, ପାରଦୀପରେ ୩୫.୪, ଅନୁଗୁଳରେ ୩୫.୧ ଡ଼ିଗ୍ରୀ, ଜଗତସିଂତପୁର ୩୬.୫ ଡିଗ୍ରୀ ରେକର୍ଡ଼ କରାଯାଇଛି । ମୌସୁମୀ ବାୟୁ ପ୍ରଭାବ ଯୋଗୁଁ ବର୍ଷା ହେବା ଦ୍ବାରା ଅଗଷ୍ଟ ମାସରେ ତାପମାତ୍ରା ହ୍ରାସ ପାଇଥାଏ । ତେଣୁ ଏହି ମାସରେ କମ୍ ଗରମ ଅନୁଭୂତ ହୋଇଥାଏ । ମୌସୁମୀ ସମୟରେ ବାୟୁରେ ଆର୍ଦ୍ରତା ରହୁଥିବାରୁ ଜଳୀୟ ବାଷ୍ପ ଅଧିକ ରହିଥାଏ । ତେଣୁ ଅସ୍ବାଭାବିକ ସ୍ଥିତି ଅନୁଭୂତ ହୁଏ । କେବଳ ଓଡ଼ିଶା ନୁହେଁ, ବର୍ତ୍ତମାନ ସାରା ଦେଶରେ ଏବେ ମୌସୁମୀ ନିଷ୍କ୍ରିୟ ରହିଛି। ଓଡ଼ିଶାକୁ ପଶ୍ଚିମା ପବନ ପ୍ରବାହିତ ହେଉଥିବାରୁ ଗରମ ଅନୁଭୂତ ହେଉଛି। ସାମୁଦ୍ରିକ ପବନ ଆସୁ ନ ଥିବାରୁ ତାପମାତ୍ରା କମୁ ନାହିଁ। ଏଭଳି ସ୍ଥିତି ଆଉ କିଛି ଦିନ ଲାଗି ରହିବ।
ପ୍ରକାଶ ଥାଉ କି, ଗତ ଜୁନ ମାସରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସର୍ବମୋଟ ୬୫୩.୮ ମିମି ବର୍ଷା ହୋଇଛି । ସାଧାରଣତଃ ଏହି ସମୟ ମଧ୍ଯରେ ରାଜ୍ୟରେ ୬୯୮.୪ ମିମି ବର୍ଷା ହୋଇଥାଏ । ତେବେ ବର୍ତ୍ତମାନ ରାଜ୍ୟରେ ୬ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ତେବେ ଏବେ ସୁଦ୍ଧା ରାଜ୍ୟର ୧୬ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୧୦ଟି ଜିଲ୍ଲାରେ ନିଅଣ୍ଟିଆ ଓ ଅବଶିଷ୍ଟ ୪ ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ସୂଚନା ରହିଛି ।
