ବାଲେଶ୍ୱର ଜିଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୬ ଦଫା ଦାବିରେ ଗଣଧାରଣା
- ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ
ବାଲେଶ୍ୱର : ବାଲେଶ୍ୱର ଜିଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ବୟସ୍କ ବ୍ୟକ୍ତି ୬ ଦଫା ଦାବିପୂରଣ ପାଇଁ ଗଣଧାରଣାରେ ବସିଥିଲେ । ଆର୍ଥିକ ଅନଗ୍ରସର ବୟସ୍କ ବ୍ୟକ୍ତିମାନଙ୍କୁ ମାସିକ ବାର୍ଦ୍ଧକ୍ୟଭତ୍ତା ୫ ଶହ ଟଙ୍କାରୁ ୨ ହଜାର ଟଙ୍କାକୁ ବୃଦ୍ଧି କରିବା, ଅସହାୟ ବୟସ୍କ ବ୍ୟକ୍ତିଙ୍କ ଅଭିଯୋଗର ସମାଧାନ ପାଇଁ ସବ୍ଡିଭିଜନ୍ସ୍ତରରେ ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ପ୍ରତିଷ୍ଠିତ ଟ୍ରିବୁନାଲ୍କୁ କାର୍ଯ୍ୟକ୍ଷମ କରିବା, ସମନ୍ୱିତ ବହୁମୁଖି ଯୋଜନା (ଆଇଆଇସି) କାର୍ଯ୍ୟକ୍ଷମ ପାଇଁ ତୁରନ୍ତ ସ୍ଥାନ ନିରୂପଣ କରିବା, ଜିଲା ମୁଖ୍ୟ ଚିକିତ୍ସାଳୟରେ ବୟସ୍କ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଜରାରୋଗ ୱାର୍ଡ଼ ନିର୍ମାଣ କରିବା, ରେଳଯାତ୍ରାରେ ବରିଷ୍ଠ ନାଗରିକଙ୍କୁ ଦିଆଯାଉଥିବା ରିହାତିକୁ ପୁନଃ ପ୍ରଚଳନ କରିବା, ଅସହାୟ ଓ ନିଃସ୍ୱ ବରିଷ୍ଠନାଗରିକମାନଙ୍କ ସୁରକ୍ଷା ସକାଶେ ପୋଲିସ୍ ପରିଚୟ ପତ୍ର ପ୍ରଦାନ କରିବା ଆଦି ୬ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଅତିରିକ୍ତ ଜିଲାପାଳ ସୁଧାକର ନାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।

ମହାତ୍ମାଗାନ୍ଧୀଙ୍କ ଫଟୋଚିତ୍ରରେ ମଞ୍ଚର ସଭାପତି ତଥା ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ବୈଦ୍ୟନାଥ ଷଡ଼ଙ୍ଗୀ ମାଲ୍ୟାର୍ପଣ କରି ଗଣଧାରଣା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଉପ-ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ଓ ସଂପାଦକ ଦାମୋଦର ନାୟକ ୬ଦଫା ଦାବି ଓ ଗଣଧାରଣାର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜ୍ୟ ଓ କେନ୍ଦ୍ର ସରକାର ବରିିଷ୍ଠ ବ୍ୟକ୍ତିମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ପାଇଁ ପ୍ରଣୟନ କରିଥିବା ଆଇନଗୁଡ଼ିକ ସଠିକ୍ କାର୍ଯ୍ୟକାରୀ ହେଉନଥିବାର ବହୁ ବକ୍ତା ଧାରଣା ସ୍ଥଳରେ ଅଭିଯୋଗ କରିଥିଲେ । ପ୍ରକୃତ ହିତାଧିକାରୀ ଚୟନରେ ତ୍ରୁଟି ଥିବାରୁ ୭୦ବର୍ଷ ବୟସ ପରେ ବି ବାର୍ଦ୍ଧକ୍ୟ ଭତ୍ତା ମିଳୁନାହିଁ । ନିଃସହାୟ ବରିଷ୍ଠ ବ୍ୟକ୍ତିମାନଙ୍କୁ ସ୍ଥାନୀୟ ପୋଲିସ୍ ପରିଚୟ ପତ୍ର ଓ ସୁରକ୍ଷା ଦେବାରେ ବହୁ ଅବହେଳା ପ୍ରଦର୍ଶନ କରୁଛନ୍ତି ବୋଲି ବିଭିନ୍ନ ବ୍ଲକ୍ସ୍ତରରୁ ଧାରଣାରେ ଯୋଗ ଦେଇଥିବା ଆଞ୍ଚଳିକ ବରିଷ୍ଠ ନାଗରିକମାନଙ୍କ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଥିଲା । ବରିଷ୍ଠ ନାଗରିକମାନଙ୍କ ପକ୍ଷରୁ ଏହି ପ୍ରତୀକ ଗଣଧାରଣାର ଗୁରୁତ୍ୱକୁ ସରକାର ଓ ପ୍ରଶାସନ ଉପଲବ୍ଧି କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମଞ୍ଚର ଉପଦେଷ୍ଟା ତଥା ପୂର୍ବତନ ଜିଲା ପରିଷଦ ସଭାପତି ଗିରିଶ ଚନ୍ଦ୍ର ଦାଶ, ମେଡିକାଲ୍ କଲେଜ୍ କ୍ରିୟାନୁୁୁୁୁୁୁୁୁୁଷ୍ଠାନ କମିଟିର ସଭାପତି ତଥା ଆଇନଜୀବୀ ନିରଞ୍ଜନ ପରିଡ଼ା, ଦୀନବନ୍ଧୁ ଲେଙ୍କା, ମନମୋହନ ସେଠୀ, ରଘୁନାଥ ମହାନ୍ତି, ଚକ୍ରଧର ସେଠୀ, ମହେନ୍ଦ୍ରନାଥ ମହାପାତ୍ର, ଶରତ ବିଶ୍ୱାଳ, ଅନାମ ପଣ୍ଡା ପ୍ରମୁଖ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

ଜିଲା ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତାମାନଙ୍କ ସମେତ ବିଭିନ୍ନ ଆଞ୍ଚଳିକ କମିଟି ପକ୍ଷରୁ ସୀତାରାମ ପ୍ରଧାନ, ବିଷ୍ଣୁ ମହାନ୍ତି, ଅନୁସୂୟା ନାୟକ, ଡ. କ୍ଷିତୀଶ୍ୱର ଦାଶ, ପଦ୍ମଲୋଚନ ଦତ୍ତ, ଲ୍ମକ୍ଷ୍ମୀପ୍ରିୟା ଜେନା, ବେଣୁଧର ବାରିକ, ସରସ୍ୱତୀ ପଣ୍ଡା, ବେଣୁଧର ସାହୁ, ଦିଲ୍ଲୀପ ଗିରି, ଶ୍ୟାମସୁନ୍ଦର ଜେନା, କଲ୍ୟାଣୀ ନନ୍ଦ, ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ଦାମୋଦର ଦାସମହାପାତ୍ର, ତ୍ରିଦୀପ ନାୟକ, ବିଧାନ ରାୟ, ଲକ୍ଷ୍ମୀନାରାୟଣ ଘୋଷ, ଶରତ ଚନ୍ଦ୍ର ଦାଶ, ପ୍ରଦୀପ ଚାଟାର୍ଜୀଙ୍କ ସମେତ ଉମେଶ ନାୟକ, କୁମୁଦ ରଂଜନ ଗିରି, ଜାମସେଦ୍ ଅଲି୍ଲ ଖାଁ, କ୍ରିଷ୍ଣା ଶାହା, ଅଜିତ ବରାଳ, ଡ. ଲଳିତ ରଞ୍ଜନ ସେନାପତି, ସୋମନାଥ ନାୟକ, ରମେଶ ଚନ୍ଦ୍ର ଜେନା ପ୍ରମୁଖ ଧାରଣା ସ୍ଥଳରେ ଉପସ୍ଥିତ ରହି ଦାବି ସପକ୍ଷରେ ସେମାନଙ୍କ ମତ ପ୍ରଦାନ କରିଥିଲେ । ପୂର୍ଣ୍ଣଚନ୍ଦ୍ର ପାତ୍ର, ଶରତ ଚନ୍ଦ୍ର ଦଳାଇ ଓ ପୁରୁଷୋତ୍ତମ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଯଶୋଦା ନନ୍ଦନ ଆଶ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

