କେବଳ ସେବାୟତ ଟାଣିବେ ଶ୍ରୀଜୀଉଙ୍କ ରଥ
- କୋଭିଡ଼୍ କଟକଣାରେ ଅନୁଷ୍ଠିତ ହେବ ରଥଯାତ୍ରା
- ରଥ ଉପରେ ଶ୍ରୀଜୀଉଙ୍କ ସମ୍ମୁଖରେ ବସିବେ ନାହିଁ ସେବାୟତ
- ବଡଦାଣ୍ଡର ଉଭୟ ପାର୍ଶ୍ୱରେ ଲାଗୁ ହେବ ୧୪୪ ଧାରା
- ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଘର ଛାତ ଉପରେ ରଥଯାତ୍ରା ଦେଖିପାରିବେ ନାହିଁ ଶ୍ରଦ୍ଧାଳୁ : ଜିଲ୍ଲାପାଳ
ପୁରୀ : ଚଳିତ ବର୍ଷ ରଥଯାତ୍ରା ଶୃଙ୍ଖଳିତ ଭାବେ କୋଭିଡ଼୍ କଟକଣା ମଧ୍ୟରେ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ଭର୍ଚୁଆଲ ମୋଡ୍ ରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ନିଷ୍ପତି ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. କ୍ରିଷନ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ୨୩୦୦ ସେବାୟତଙ୍କ କୋଭିଡ଼୍ ଟେଷ୍ଟ କରାଯିବା ସହିତ ସେମାନଙ୍କର ଟୀକାକରଣ ପ୍ରକ୍ରିୟା ଖୁବ୍ ଶୀଘ୍ର ଶେଷ ହେବ । ରଥଯାତ୍ରାରେ ଅଂଶଗ୍ରହଣକାରୀ ସେବାୟତଙ୍କୁ ମାସ୍କ ଓ ଗାମୁଛା ପ୍ରଦାନ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ନିକଟରେ ୬୦୦୦ ଲିଟର ସାନିଟାଇଜର୍ ମଧ୍ୟ ମହଜୁଦ ରହିଛି । ପୋଲିସ ମାନେ ରଥକୁ ଦକ୍ଷିଣ ମୋଡ଼ କରିବେ । ଖରା ଯୋଗୁଁ ସେବାୟତ ମାନେ ବସିବା ପାଇଁ ସିଂହଦ୍ୱାର ଓ ଗୁଣ୍ଡିଚା ମନ୍ଦିର ନିକଟରେ ସ୍ୱତନ୍ତ୍ର ସେଡ୍ ର ବ୍ୟବସ୍ଥା କରାଯିବ । ସେମାନଙ୍କୁ ପାନୀୟ ଜଳ ଓ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ସେବାୟତ ମାନେ ସିଂହଦ୍ୱାରରୁ ରଥ ଟାଣି ଗୁଣ୍ଡିଚା ମନ୍ଦିର ନିକଟରେ ପହଂଚାଇବା ପରେ ସେମାନଙ୍କୁ ଘରେ ଛାଡିବା ପାଇଁ ସ୍ୱତନ୍ତ୍ର ଗାଡିର ବ୍ୟବସ୍ଥା କରାଯିବ । ସେହିପରି ରଥଯାତ୍ରା ସମୟରେ କୌଣସି ଭକ୍ତ ବଡ଼ଦାଣ୍ଡରେ ପ୍ରବେଶ କରିପାରିବେ ନାହିଁ, ଏଥିପାଇଁ ବଡଦାଣ୍ଡର ଉଭୟ ପାଶ୍ୱର୍ରେ ୧୪୪ ଧାରା ଜାରୀ କରାଯିବ । ରଥ ଉପରେ କୌଣସି ସେବାୟତ ବସି ପାରିବେ ନାହିଁ କିମ୍ବା ସେଲଫି ନେଇପାରିବେ ନାହିଁ । ପ୍ରତି ରଥରେ ଯେତେ କମ୍ ସଂଖ୍ୟକ ସେବାୟତ ରହିପାରିବେ ତାକୁ ଦୃଷ୍ଟି ଦିଆଯିବ । ଖୁବ୍ ଶୀଘ୍ର ଶ୍ରୀମନ୍ଦିରରେ ରୂପା ଛାଉଣି କବାଟ ନିର୍ମାଣ କରାଯିବ । ରଥଯାତ୍ରା ସମୟରେ ଶ୍ରୀମନ୍ଦିରରେ ଲେଜର୍ ସ୍କାନିଂ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ପୁରୀ ବଡ଼ଦାଣ୍ଡରେ ଛାତ ଉପରେ ଶ୍ରଦ୍ଧାଳୁ ମାନେ ରଥଯାତ୍ରା ଦେଖିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ଫଳରେ ଚଳିତ ବର୍ଷ ବଡ଼ଦାଣ୍ଡର ଉଭୟ ପାଶ୍ୱର୍ରେ ଘର ଛାତ ଉପରେ ରଥଯାତ୍ରା ଦେଖିପାରିବେ ନାହିଁ ଶ୍ରଦ୍ଧାଳୁ । ରଥଯାତ୍ରା ସମୟରେ ଶ୍ରଦ୍ଧାଳୁ ମାନେ ଘର ଭିତରେ ରହିବେ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ନିର୍ଦ୍ଦେଶ ଜାରୀ କରିଛନ୍ତି । ଏନେଇ ପୂର୍ବ ନିଷ୍ପତିରେ ପରିବର୍ତନ କରିଛି ଜିଲ୍ଲା ପ୍ରଶାସନ ।
ସେହିପରି ବଡ଼ଦାଣ୍ଡରେ ଥିବା ହୋଟେଲ ସର୍ଭେ କରି ଏହାକୁ ଖାଲି କରାଯିବ । ରଥଯାତ୍ରା ବେଳେ ଟାଉନ୍ ରେ କର୍ଫ୍ୟୁ ବଳବତର ରହିବ । ରଥ ଯାତ୍ରାର ଗୋଟିଏ ରାତି ପୂର୍ବରୁ ଓ ପରଦିନ ଅପରାହ୍ନ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତର ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତବର୍ଷ ରଥଯାତ୍ରା ସମୟରେ ମଧ୍ୟ କୋଭିଡ଼୍ କଟକଣା ଯୋଗୁଁ ବଡ଼ଦାଣ୍ଡର ଉଭୟ ପାଶ୍ୱର୍ରେ ଘର ଛାତ ଉପରେ ଶ୍ରଦ୍ଧାଳୁ ମାନେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିନଥିଲେ ।
