ପିଏକ୍ସଇ ଦ୍ୱାରା ଯୁଦ୍ଧାସ୍ତ୍ର ପରୀକ୍ଷଣ ସମୟରେ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
ବାଲେଶ୍ୱର : ବାଲେଶ୍ୱର ଚାନ୍ଦିପୁର ସ୍ଥିତ ଡିଆର୍ଡିଓ ଅଧୀନସ ପ୍ରୁଫ୍ ଆଣ୍ଡ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିଶମେଣ୍ଟ (ପିଏକ୍ସଇ) ତରଫରୁ ଗୁଡୁପାହି ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀରେ ବୁଧବାର ଗୋଳାବାରୁଦ ପରୀକ୍ଷଣ ‘ସୁରକ୍ଷା’ ସମ୍ବନ୍ଧିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
କାର୍ଯ୍ୟକ୍ରମରେ ପିଏକ୍ସଇର ନିର୍ଦ୍ଦେଶକ ଡିକେ ଯୋଶୀ, ବୈଜ୍ଞାନିକ ‘ଏଚ୍’ (ଉତ୍କୃଷ୍ଟ ବୈଜ୍ଞାନିକ) ସଭାପତିତ୍ୱ କରି ପିଏକ୍ସଇ, ଡିଆର୍ଡିଓ ଅଧୀନସ୍ଥ ଏକ ପ୍ରମୁଖ ପ୍ରୟୋଗଶାଳା, ଯିଏକି ବିଭିନ୍ନ ଗୋଳାବାରୁଦ ଓ ଯୁଦ୍ଧାସ୍ତ୍ରର ପରୀକ୍ଷଣ ଓ ମୂଲ୍ୟାୟନ କାର୍ଯ୍ୟ କରି ଆସୁଛି । ଏହି ପରିପ୍ରେକ୍ଷୀରେ ଯୁଦ୍ଧାସ୍ତ୍ର ପରୀକ୍ଷଣ ସମୟରେ ସମୁଦ୍ର ମଧ୍ୟକୁ ପ୍ରବେଶ କରିବାରେ ଥିବା ସମ୍ଭାବ୍ୟ ବିପଦ ବାବଦରେ ସ୍ଥାନୀୟ ଅଧିବାସୀଙ୍କୁ ସଚେତନ କରିବା, ସୁରକ୍ଷା ସମ୍ବନ୍ଧୀୟ ସତର୍କତା ବିଷୟରେ ପ୍ରଶିକ୍ଷଣ କରିବା ତଥା ପିଏକ୍ସଇର ମୂଳ ମନ୍ତ୍ର “ସୁରକ୍ଷା ସର୍ବପ୍ରଥମ ଓ ସର୍ବଦା”କୁ ସୁନିଶ୍ଚିତ କରାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଦେଶର ପ୍ରତିରକ୍ଷା ଶକ୍ତିକୁ ସୁଦୃଢ଼ କରିବାରେ ପିଏକ୍ସଇର ଭୂମିକା ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ । ଅତିଥି ଭାବେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଉପସ୍ଥିତ ରହି ସୁରକ୍ଷା ଓ ନିରାପତ୍ତା ବିଷୟରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ପିଏକ୍ସଇର ବରିଷ୍ଠ ବୈଜ୍ଞାନିକ, ସେନା ଅଧିକାରୀ ଓ ଟେକନିକ୍ ଅଧିକାରୀଗଣ ନିଜ ନିଜ ବକ୍ତବ୍ୟରେ ଫାୟାରିଂ ସହିତ ସମ୍ପୃକ୍ତ ବିପଦ ତଥା ଯେକୌଣସି ବିପଦ ଏଡ଼ାଇବା ପାଇଁ ପିଏକ୍ସଇ ଦ୍ୱାରା ନିଆଯାଉଥିବା ସତର୍କତା ମୂଳକ ପଦକ୍ଷେପ ସମ୍ବନ୍ଧରେ ସୂଚନା ଦେଇଥିଲେ । ଫାୟାରିଂ ପରେ ଅଫୁଟା ଗୋଳା ଓ ଅବ୍ୟବହୃତ ଯନ୍ତ୍ରାଂଶ ସଂଗ୍ରହ କରି ବିପଦଜନକ କାର୍ଯ୍ୟରୁ ନିବୃତ୍ତ ହେବା ଉପରେ ଜୋର୍ ଦିଆଯାଇଥିଲା । ଯାହାକି ଦୁର୍ଭାଗ୍ୟ ଜନକ ଓ ମାରାତ୍ମକ ଦୁର୍ଘଟଣାର କାରଣ ହୋଇପାରେ ଏବଂ ଏହି ଅପୂରଣୀୟ କ୍ଷତି ବଦଳରେ ମିଳୁଥିବା ପ୍ରାପ୍ୟର ମୂଲ୍ୟ କିଛି ବି ନୁହେଁ ବୋଲି ଦର୍ଶାଯାଇଥିଲା । ପିଏକ୍ସଇ କର୍ମଚାରୀଙ୍କ ଦ୍ୱାରା ଏହି ସମ୍ବନ୍ଧରେ ଏକ ଲଘୁ ନାଟକ ପ୍ରସ୍ତୁତ କରାଯାଇଥିଲା । ବିଭିନ୍ନ ଯୁଦ୍ଧାସ୍ତ୍ର ପରୀକ୍ଷଣ ବାବଦରେ ଶବ୍ଦ ଦୃଶ୍ୟ ଭିତ୍ତିକ ଚଳଚ୍ଚିତ୍ର ଉପସ୍ଥିତ ବ୍ୟକ୍ତି ବିଶେଷଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ ହୋଇଥିଲା । ଅଧିକାଂଶ ବକ୍ତବ୍ୟ ସମସ୍ତଙ୍କ ବୁଝିବା ଭଳି ସ୍ଥାନୀୟ ଭାଷାରେ ଥିଲା । ଆଖପାଖରେ ସ୍କୁଲ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଓ ଦୋଶତ୍ମବୋଧକ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ପିଏକ୍ସଇ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ପ୍ରୋତ୍ସାହିତ ଓ ପୁରସ୍କୃତ କରାଯାଇଥିଲା । ସଚେତନତା କାର୍ଯ୍ୟକ୍ରମରେ ତହସିଲଦାର ବାଲେଶ୍ୱର, ଗୁଡୁପାହି ସରପଞ୍ଚ ଓ ସମିତିସଭ୍ୟଙ୍କ ସହିତ ପିଏକ୍ସଇର ଅନେକ ବୈଜ୍ଞାନିକ, ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ଏଥିସହିତ ଗୁଡୁପାହି ତଥା ଏହାର ପାଶ୍ୱର୍ବର୍ତ୍ତୀ ଅନେକ ଗ୍ରାମର ୧୫୦୦ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଏବଂ ଗୁଡୁପାହି ଉଚ୍ଚ ବିଦ୍ୟାଳୟ ଓ ହରପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଯୋଗଦେଇଥିଲେ ।
