ରେମୁଣା ଗୋଲେଇରେ ଲାଗିଲା ସିସିଟିଭି କ୍ୟାମେରା, ଅପରାଧ ଓ ଅପରାଧୀଙ୍କ ଉପରେ ରହିବ ନଜର
ବାଲେଶ୍ୱର : ବାଲେଶ୍ୱର ପୋଲିସ ପକ୍ଷରୁ ‘ପ୍ରୋଜେକ୍ଟ ସହଯୋଗ’ ଅଭିଯାନରେ ଟ୍ରାଫିକ ବ୍ୟବସ୍ଥା ସହ ଅପରାଧ ଓ ଅପରାଧୀଙ୍କ ଉପରେ ନିୟନ୍ତ୍ରଣ ପାଇଁ ସହରର ବିଭିନ୍ନ ଛକମାନଙ୍କରେ ସିସିଟିଭି କ୍ୟାମେରା ଲଗାଯାଉଥିବା ବେଳେ ରେମୁଣା ଗୋଲେଇ ଠାରେ ଅନୁରୂପ ସିସିଟିଭି କ୍ୟାମେରା ବ୍ୟବସ୍ଥା ଉଦ୍ଘାଟିତ ହୋଇଯାଇଛି । ଜିଲା ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ସିସିଟିଭି କ୍ୟାମେରା ବ୍ୟବସ୍ଥାର ଉଦ୍ଘାଟନ କରିବା ସହିତ ‘ପ୍ରୋଜେକ୍ଟ ସହଯୋଗ’ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।
କ୍ରାଉଡ୍ ଫଣ୍ଡିଂ ଜରିଆରେ ବାଲେଶ୍ୱର ସହରର ସାଧାରଣ ଜନତାଙ୍କ ଦ୍ୱାରା ମିଳିତ ଭାବେ ଗୁରୁତ୍ୱପୂର୍ଣ୍ଣ ଛକମାନଙ୍କରେ ସିସିଟିଭି ଲଗାଯାଉଛି । ବାଲେଶ୍ୱର ସହରର ୩୦ ଗୋଟି ଛକ ଏହି ଅଭିଯାନ ପାଇଁ ଚିହ୍ନଟ ହୋଇଛି । ନୂତନ ଭାବେ ଲଗାଯାଉଥିବା ସମସ୍ତ କ୍ୟାମେରା ବାଲେଶ୍ୱର ଟ୍ରାଫିକ ଥାନାର କେନ୍ଦ୍ରୀୟ କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର ସହିତ ସଂଯୁକ୍ତ କରାଯାଇଛି । ଏଥିପାଇଁ ବାଲେଶ୍ୱରର ଅଗ୍ରଣୀ ବ୍ରଡ୍ବ୍ୟାଣ୍ଡ ସେବା ପ୍ରଦାନ କାରୀ ସଂସ୍ଥା ଓଡ଼ିନେଟ୍ ଇନ୍୍ଫୋକମ୍ର ଫାଇବର ନେଟୱାର୍କ ବ୍ୟବହାର କରାଯାଉଛି । ରେମୁଣା ଗୋଲେଇ ଠାରେ ଲଗାଯାଇଥିବା ସିସିଟିଭି କ୍ୟାମେରା ପାଇଁ ସୋମନାଥପୁର ଶିଳ୍ପାଞ୍ଚଳ ସ୍ଥିତ ଏଚଆଇଏଲ ଲିମିଟେଡ୍ ସହଯୋଗ ପ୍ରଦାନ କରିଥିବାରୁ ଶିଳ୍ପାନୁଷ୍ଠାନର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ଆଗାମୀ ଦିନରେ ସହରର ବିଭିନ୍ନ ବ୍ୟାଙ୍କ, ଜୁୟେଲାରୀ ଦୋକାନ, ବ୍ୟବସାୟିକ ସଂସ୍ଥା ସହିତ ଆବାସିକ କଲ୍ୟାଣ ସଂଗଠନମାନଙ୍କରେ ଏହି ସିସିଟିଭି କ୍ୟାମେରା ବ୍ୟବସ୍ଥା ସଂଯୋଗ ସହିତ ଅପରାଧ ନିୟନ୍ତ୍ରଣ ଓ ଅପରାଧୀଙ୍କୁ ଚିହ୍ନଟ ଓ ସେମାନଙ୍କ ଗତିବିଧି ଉପରେ ସଠିକ୍ ଢଙ୍ଗରେ ନିୟନ୍ତ୍ରଣ ରଖାଯାଇପାରିବ ବୋଲି ଜିଲା ଆରକ୍ଷୀ ଅଧିକ୍ଷକ କହିଥିଲେ ।
ଏଚଆଇଏଲ ଲିମିଟେଡ ବାଲେଶ୍ୱର ପ୍ଲାଣ୍ଟ ମୁଖ୍ୟ ପିତବାସ ବେହେରା ଦ୍ଘାଟନୀ ଉତ୍ସବରେ ଉପସ୍ଥିତ ରହି ବାଲେଶ୍ୱର ସହରରେ ଅପରାଧୀକ କାର୍ଯ୍ୟକଳାପ ରୋକିବା ଦିଗରେ ପୋଲିସ ବିଭାଗକୁ ସହଯୋଗ ପାଇଁ ଆଗେଇ ଆସିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଡିଏସ୍ପି ବ୍ରଜ ମୋହନ ପ୍ରଧାନ, ଆଲୋକ ରଞ୍ଜନ ରାୟ, ମାନସ କୁମାର ଦେଓ, ବ୍ରଜେଶ୍ୱରୀ ବଳ, ଖିତିକ୍ଷା ଜେନା, ବଳରାମ ନାୟକ, ବିଲଚିସନେସା ବିବି, ଶିଳ୍ପାଞ୍ଚଳ ଥାନା ଆଇଆଇସି ସାଲଖାନ ମୁର୍ମୁ, ରେମୁଣା ଥାନା ଆଇଆଇସି ପ୍ରେମପ୍ରଜ୍ଞା ମହାନ୍ତି, ଟାଉନ ଥାନା ଆଇଆଇସି ପର୍ଶୁରାମ ସାହୁ, ସହଦେବଖୁଣ୍ଟା ଥାନା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ ପ୍ରମୁଖଙ୍କ ସମେତ ଓଡ଼ିନେଟ୍ ଇନ୍ଫୋକମ୍ର ନିର୍ଦ୍ଦେଶକ ଦେବଜ୍ୟୋତି ଦାସ ମହାପାତ୍ର, ଏଚଆଇଏଲ ଲିମିଟେଡ ଫାଇନାନ୍ସ ହେଡ ମନୋଜ କୁମାର ସାମଲ, ସେଫଟି ହେଡ ପରମାନନ୍ଦ ମହାନ୍ତ, ଏଚ୍ଆର୍ ଜ୍ୟୋତିପ୍ରକାଶ ପାତ୍ର, ପ୍ରୋଗ୍ରାମ କୋ-ଅର୍ଡ଼ିନେଟର ଦିବ୍ୟକାନ୍ତ ବେହେରା, ପ୍ରତୀକ୍ଷା ଦଳେଇ, ଅଙ୍କିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
