କିଏ ହେବେ ଉତ୍ତରାଖଣ୍ଡର ଆଗାମୀ ମୁଖ୍ୟମନ୍ତ୍ରୀ?
ଡେରାଡୁନ : ଦାୟିତ୍ଵ ଗ୍ରହଣ କରିବାର କେଇ ମାସ ପରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ଵତ ଶୁକ୍ରବାର ରାତିରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପୂର୍ବରୁ ସେ ଗଣମାଧ୍ୟମ ପ୍ରତିନିଧିକୁ ସମ୍ବୋଧିତ କରିଥିଲେ। ହେଲେ ଏହି ସମୟରେ ସେ ଇସ୍ତଫା ଘୋଷଣା କରି ନଥିଲେ। ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ଏହାର ନିଷ୍ପତ୍ତି ଶନିବାର ଦିନ ୩ଟାରେ ବିଧାୟକଙ୍କ ବୈଠକରେ ନିଆଯିବ। ତେବେ ତୀରଥ ଇସ୍ତଫା ଦେବା ପୂର୍ବରୁ ୩ ଦିନ ମଧ୍ୟରେ ୨ ଥର ସେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ସାକ୍ଷାତ କରିଥିଲେ ।
ଉତ୍ତରାଖଣ୍ଡରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କୁ ପୁଣି ଥରେ ନୂଆ ମୁଖ୍ୟମନ୍ତ୍ରୀ ମିଳିବାକୁ ଯାଉଛି । ସାମ୍ବିଧାନିକ ବାଧ୍ୟତା ଯୋଗୁଁ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ଶୁକ୍ରବାର ନିଜର ପଦରୁ ଇସ୍ତଫା ଦେଇଛନ୍ତି । ସେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ଏବେ ବିଜେପି ନେତୃତ୍ୱ ବର୍ତ୍ତମାନର ବିଧାୟକଙ୍କ ମଧ୍ୟରୁ କାହାରିକୁ ନୂଆ ମୁଖ୍ୟମନ୍ତ୍ରୀ କରିପାରେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଦୌଡ଼ରେ ଅଛନ୍ତି ରାଜ୍ୟ ସରକାରରେ ମନ୍ତ୍ରୀ ଧନସିଂହ ରାୱତ, ବଂଶୀଧର ଭଗତ, ହରକ ସିଂହ ରାୱତ ଓ ସତପାଲ ମହାରାଜ । ପାଖାପାଖି ୪ ମାସ ପରେ ତ୍ରିବେନ୍ଦ୍ର ସିଂହ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ୨୦୨୧ ମାର୍ଚ୍ଚ ୧୦ ତାରିଖରେ ପୌଡି ଲୋକସଭା ଆସନରୁ ସାଂସଦ ତୀରଥ ସିଂହ ରାୱତଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ନିୟମ ଅନୁସାରେ ମୁଖ୍ୟମନ୍ତ୍ରୀ ପଦରେ ରହିବା ଲାଗି ରାୱତଙ୍କୁ ସେପଟେମ୍ବର ୧୦ ପର୍ଯ୍ୟନ୍ତ ବିଧାନସଭା ନିର୍ବାଚନ ଜିତିବାକୁ ହେବ । ରାଜ୍ୟରେ ବିଧାନସଭାର ୨ଟି ସିଟ ଗଂଗୋତ୍ରୀ ଓ ହଲଦାନୀ ଖାଲି ରହିଛି । କିନ୍ତୁ ଉପନିର୍ବାଚନ ନେଇ ନିର୍ବାଚନ କମିଶନଙ୍କ ଉପରେ ନିର୍ଭର କରୁଛି । ମୁଖ୍ୟମନ୍ତ୍ରୀ ପଦର ଦୌଡ଼ରେ ରାଜ୍ୟ ସରକାରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଧନସିଂହ ରାୱତଙ୍କ ନାମ ଆଗରେ ଥିବା କୁହାଯାଉଛି । ରାୱତ ଶ୍ରୀନଗର ବିଧାନସଭା ଆସନରୁ ବିଧାୟକ ଅଛନ୍ତି । ୬୦ ବର୍ଷୀୟ ନେତା ରାଜନୀତି ବିଜ୍ଞାନ ବିଷୟରେ ପିିଏଚ୍ଡି କରିଛନ୍ତି । ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ ବଂଶୀଧର ଭଗଦ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଅଛନ୍ତି । କାଲାଢୁଙ୍ଗୀ ବିଧାନସଭା ଆସନରୁ ବିଧାୟକ ଏବଂ ସେ ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ସରକାରରେ ମନ୍ତ୍ରୀ ରହିଛନ୍ତି । କ୍ୟାବିନେଟ ମନ୍ତ୍ରୀ ହରକ ସିଂହ ରାୱତ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସାମିଲ ହୋଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ସେ ଏବେ ଆୟୁଷ ଏବଂ ଆୟୁଷ ଶିକ୍ଷା ସମେତ କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଅଛନ୍ତି । ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜଙ୍କ ନାମ ମଧ୍ୟ ସମ୍ଭାବିତ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚର୍ଚ୍ଚା ହେଉଛି । ସେ ଉତ୍ତରାଖଣ୍ଡ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ସେହିପରି ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଭାବରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ା, ଆଇକେ ଗୁଜରାଲ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ଉପରେ ଉତ୍ତରାଖଣ୍ଡକୁ ଏକ ଭିନ୍ନ ରାଜ୍ୟ ଭାବେ ଗଢ଼ିବାକୁ ଚାପ ପ୍ରୟୋଗ କରିଥିଲେ । ୨୦୧୪ ମାର୍ଚ୍ଚ ୨୧ରେ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିଲେ । ତେବେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା ଆଜି ଆୟୋଜିତ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ହେବ ।
