ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତୀରଥ ସିଂହ ରାଓ୍ଵତ
ଡେରାଡୁନ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ତୀରଥ ସିଂହ ରାୱତତ । ଦାୟିତ୍ଵ ଗ୍ରହଣ କରିବାର ମାତ୍ର ୪ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇଛନ୍ତି। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟଙ୍କୁ ଭେଟି ଶୁକ୍ରବାର ରାତି ନିଜର ଇସ୍ତଫା ପତ୍ର ଦେଇଛନ୍ତି । ଇସ୍ତଫା ଦେବା ପରେ ରାୱତ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ଦେଇଥିବା ପାର୍ଟିର ହାଇକମାଣ୍ଡଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତୀରଥ ସିଂହ ରାୱତ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଉଛି । କେନ୍ଦ୍ରୀୟ ନେତୃତ୍ୱ ମୋତେ ବିଭିନ୍ନ ସମୟରେ ଅବସର ଦେଇଛି । ତେଣୁ ପାର୍ଟିକୁ ମୁଁ ଧନ୍ୟବାଦ ଜଣାଉଛି । ଏହା ପୂର୍ବରୁ ଶୁକ୍ରବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଚିଠି ଲେଖି ଇସ୍ତଫା ଦେବାକୁ ଚାହୁଁଥିବା କହିଥିଲେ। ଚିଠିରେ ଉଲ୍ଲେଖ କରିଥିଲେ ଯେ, ‘ଭାରତୀୟ ସମ୍ପିଧାନର ଧାରା ୧୬୪-ଏ ଆଧାରରେ ମୁଖ୍ୟମନ୍ତ୍ରୀ ହେବାର ୬ ମାସ ମଧ୍ୟରେ ବିଧାନସଭାର ସଦସ୍ୟ ହେବାର ଥିଲା । କିନ୍ତୁ ଧାରା ୧୫୧ ଆଧାରରେ ଯଦି କୌଣସି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଏକ ବର୍ଷରୁ କମ ସମୟ ଥାଏ ତେବେ ସେଠାରେ ଉପ-ନିର୍ବାଚନ ହୋଇପାରିବ ନାହିଁ । ତେଣୁ ଉତ୍ତରାଖଣ୍ଡରେ ସାମ୍ବିଧାନିକ ସଙ୍କଟ ନଦେଖାଯାଉ ସେଥିପାଇଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାହୁଁଛି’।
ଅନ୍ୟପକ୍ଷରେ ଏନେଇ ବିଜେପିର ରାଜ୍ୟ ବିଧାନମଣ୍ଡଳ ଦଳ ଶନିବାର ବୈଠକ କରିବ । ଏଥିରେ ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରାଯାଇପାରେ । ଜାତୀୟ ଗଣମାଧ୍ୟମୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେପି ବିଧାନମଣ୍ଡଳ ଦଳର ଶନିବାର ଡେରାଡୁନରେ ବୈଠକ ହେବ । ଏଥିରେ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଉପସ୍ଥିତ ରହିବେ । ବୈଠକରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇପାରେ । ସୂଚନା ଯେ, ଉତ୍ତରାଖଣ୍ଡରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ବତ ଏବଂ ଆଉ ୨ ଜଣ ବିଜେପି ନେତାଙ୍କୁ ଦିଲ୍ଲୀ ଡକାଯାଇଛି । ତୀରଥ ସିଂହ ରାଓ୍ବତଙ୍କ ବ୍ୟତୀତ ୨ ବରିଷ୍ଠ ବିଜେପି ନେତା ସତପାଲ ମହାରାଜ ଏବଂ ଧନ ସିଂହ ରାଓ୍ବତଙ୍କୁ ଦିଲ୍ଲୀ ଡକାଯାଇଛି । କିଛି ଦିନ ପୂର୍ବରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ବତ ଦିଲ୍ଲୀ ଆସିଥିଲେ । ସେବେଠାରୁ ଉତ୍ତରାଖଣ୍ଡରେ କିଛି ବଡ ଧରଣର ଅଦଳବଦଳ ହୋଇପାରେ ବୋଲି ଶୁଣିବାକୁ ମିଳୁଥିଲା ।
