Tomato Price : ୩୦ ଟଙ୍କାରେ ମିଳିବ ଟମାଟୋ: ମାତ୍ର ଏତିକି ଦିନର ଅପେକ୍ଷା
ବର୍ତ୍ତମାନ ପରିବା ବଜାରରେ ଟମାଟୋର ଦର ପଚାରିବା ପରେ ଘରକୁ ଆଣିବାକୁ ମନ ହେଉନି । କାରଣ ଅଧିକାଂଶ ଅଞ୍ଚଳରେ ୧ଶହରୁ ୧୫୦ ଟଙ୍କା ମଧ୍ୟରେ ଟମାଟୋ ମିଳୁଥିବାବେଳେ କିଛି ସ୍ଥାନରେ ଟମାଟୋ କିଲୋଗ୍ରାମ ପିଛା ୨ଶହ ଟଙ୍କାରେ ବିକ୍ରି ହେଉଛି । ତେବେ ଏପରି ସ୍ଥିତିରେ କେନ୍ଦ୍ର ସରକାର ସବସିଡି ଯୁକ୍ତ ଟମାଟୋକୁ କେଜି ପିଛା ୭୦ଟଙ୍କାରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଉଛନ୍ତି । ଯାହା ସାଧାରଣ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି । ତେବେ ଆପଣଙ୍କୁ କହିରଖୁଛୁ ଯେ, ଖୁବ୍ ଶୀଘ୍ର ଟମାଟୋ ଦରରେ ପରିବର୍ତ୍ତନ ହେବାକୁ ଯାଉଛି । ମାତ୍ର ୩୦ଟଙ୍କାରେ ହୋଇପାରେ ଟମାଟୋ ଦର ।
କେବେ ହେବ ୩୦ ଟଙ୍କା ?
ଟମାଟୋ ଦର ଉପରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ହେବାରୁ ଟମାଟୋ ମୂଲ୍ୟ ସାମାନ୍ୟ ହ୍ରାସ ପାଇବାରେ ଲାଗିଛି । ଅଗଷ୍ଟ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଏହି ଧାରା ଜାରି ରହିପାରେ। ବିଶେଷଜ୍ଞମାନେ କହିଛନ୍ତି ଯେ, ଆଗକୁ ଟମାଟୋ ମୂଲ୍ୟ ଧିରେଧିରେ ହ୍ରାସ ଘଟିବ । ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଟମାଟୋ ମୂଲ୍ୟ ସ୍ଥିର ହୋଇପାରେ । ବିଜନେସ୍ ଲାଇନ୍ ରିପୋର୍ଟ ହିସାବରେ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଟମାଟୋର ମୂଲ୍ୟ କେଜି ପିଛା ୩୦ ଟଙ୍କା ପର୍ଯ୍ୟନ୍ତ ରହିପାରେ ।
ଟମାଟୋ ସସ୍ ବ୍ୟବହାର କରନ୍ତୁ :
ଜାତୀୟ ଉଦ୍ୟାନ କୃଷି ଅନୁସନ୍ଧାନ ଏବଂ ବିକାଶ ଫାଉଣ୍ଡେସନର ନିର୍ଦ୍ଦେଶକ ପି.କେ ଗୁପ୍ତାଙ୍କ କହିବା ଅନୁଯାୟୀ ଟମାଟୋ ଦର ସାଧାରଣ ଅବସ୍ଥାକୁ ଫେରିବା ପୂର୍ବରୁ ଆସନ୍ତା ୧୦ ଦିନ ମଧ୍ୟରେ ମୂଲ୍ୟ ସାମାନ୍ୟ ହ୍ରାସ ଘଟି ୫୦ଟଙ୍କା ପାର୍ଯ୍ୟନ୍ତ ଖସିପାରେ । ଅଫ୍ ସିଜିନର ଚାହିଦା ପୂରଣ କରିବା ପାଇଁ ଟମାଟୋ ସସ୍ ବ୍ୟବହାର କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀଯୁକ୍ତ ପିକେ ଗୁପ୍ତା । କାରଣ ଟମାଟୋର ରେଫ୍ରିଜରେଟରରେ ସର୍ବାଧିକ ୨୦ ଦିନ ପର୍ଯ୍ୟନ୍ତ ରହିଥାଏ । ଟମାଟୋ ରଖିବା ପାଇଁ ନିୟନ୍ତ୍ରିତ ବାତାବରଣ ଶୀତଳ ଭଣ୍ଡାର ବ୍ୟବହାର କରିବା ଆର୍ଥିକ ଦୃଷ୍ଟିରୁ ସକ୍ଷମ ନୁହେଁ, କାରଣ ସେଠାରେ ଆପଲ୍ ରଖାଯାଏ ।
ଟମାଟୋର ମୂଲ୍ୟ ବୃଦ୍ଧିର କାରଣ :
ପ୍ରତିବର୍ଷ ଜୁଲାଇ ଏବଂ ଅଗଷ୍ଟ ମାସରେ ଟମାଟୋ ମୂଲ୍ୟ ପ୍ରାୟତଃ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଥାଏ । ଏହା ପଛର ମୁଖ୍ୟ କାରଣ ହେଉଛି କମ୍ ଉତ୍ପାଦନ ସହ ମୌସୁମୀ ବର୍ଷା । ପୂର୍ବ କିଛି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଅନେକ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାଦ୍ୱାରା ଚାଷ ଜମି ମଧ୍ୟ ପ୍ରଭାବିତ ହୋଇଛି । ତେଣୁ ଖାଉଟିଙ୍କ ନିକଟକୁ ଟମାଟୋ ଯୋଗାଣ ରେ ଅନେକ ବାଧା ସୃଷ୍ଟି ହୋଇଛି । ଅନେକ ସ୍ଥାନରେ ବ୍ୟାପକ ଟମାଟୋ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଏହିସବୁ କାରଣରୁ ଟମାଟୋ ଦର ଖୁବ୍ ଅଧିକ ହୋଇଥିବା ବିଶେଷଜ୍ଞ ପ୍ରକାଶ କରିଛନ୍ତି ।
