ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ନିଷ୍କାସନ ନେଇ ଡାକବାଜିରେ ସତର୍କ ସୂଚନା
ସମ୍ବଲପୁର : ଆସନ୍ତା ୨୩ ତାରିଖ ରବିବାର ସକାଳ ୯ଟାରେ ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିପାଇଁ ଆଜି ସକାଳୁ ଡାକବାଜି ଯନ୍ତ୍ରରେ ପ୍ରଚାର ଆରମ୍ଭ ହୋଇଛି। ହୀରାକୁଦର ଗେଟ ଖୋଲିବା ଦ୍ବାରା ମହାନଦୀ ଓ ଏହାର ଶାଖା ନଦୀ ଗୁଡିକର ଜଳପତ୍ତନ ବଢିବ। ତେଣୁ ହୀରାକୁଦର ତଳମୁଣ୍ଡ ନଦୀ ଅଞ୍ଚଳକୁ ନ ଯିବାକୁ ବନ୍ଧ କର୍ତ୍ତୃପକ୍ଷ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରୁଛନ୍ତି। ଏଥିପାଇଁ କୌଣସି ଦୁର୍ଘଟଣା ଘଟିଲେ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ସତର୍କ କରାଇଛନ୍ତି। ସେପଟେ ହୀରାକୁଦ ଜଳସ୍ତର ଦ୍ରୁତ ଗତିରେ ବଢିବାକୁ ଲାଗିଛି। କାଲି ସନ୍ଧ୍ୟାରେ ୬୧୧ ଫୁଟ ଥିବା ବେଳେ ଆଜି ମଧ୍ୟାହ୍ନ ୧୨ ଟା ବେଳକୁ ୬୧୩.୩୩ ଫୁଟରେ ପହଞ୍ଚିଲାଣି। ରବିବାର ସୁଦ୍ଧା ଜଳସ୍ତର ୬୧୬ ଫୁଟ ଟପିବାର ସମ୍ଭାବନା ରହିଛି।
ସୂଚନା ଯେ, ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢୁଛି । ଆଜି ସକାଳ ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୩ ଫୁଟ ଥିଲା । ପ୍ରତି ସେକେଣ୍ଡରେ ୧ ଲକ୍ଷ ୪୦ ହଜାର ୫୭୫ ଘନଫୁଟ ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୪୦ ହଜାର ଘନଫୁଟ ବନ୍ୟାଜଳ । ସେପଟେ ଆସନ୍ତା ୨୩ ତାରିଖରେ ହୀରାକୁଦର ଛଡାଯିବ ବର୍ଷର ପ୍ରଥମ ବନ୍ୟାଜଳ । ଆସନ୍ତା ରବିବାର ସକାଳ ୯ଟାରେ ପୂଜାର୍ଚ୍ଚନା ପରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ । ଏଥିପାଇଁ ସତର୍କତା ଜାରି କରିଛନ୍ତି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ।
