ଜମ୍ମୁ କଶ୍ମୀରରେ ସେନାକୁ ସଫଳତା, ମିଳିତ ଅପରେସନରେ ୪ ଆତଙ୍କବାଦୀ ନିପାତ
ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରରେ ସେନାକୁ ସଫଳତା । ପୁଞ୍ଚରେ ସୁରକ୍ଷା ବାହିନୀ ଅପରେସନରେ ୪ ଜଣ ଆତଙ୍କବାଦୀ ନିପାତ । ପୁଞ୍ଚର ସିନ୍ଧ୍ରା ଅଞ୍ଚଳରେ ବିଳମ୍ବିତ ରାତିରେ ଏହି ମିଳିତ ଅପରେସନ ହୋଇଥିଲା। ଅପରେସନରେ ଡ୍ରୋନ୍ ଏବଂ ନାଇଟ୍ ସର୍ଭିଲାନ୍ସର ମଧ୍ୟ ସହାୟତା ନିଆଯାଇଥିଲା। ଆଜି ସକାଳେ ପୁଣି ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସେନା ସହିତ ଭାରତୀୟ ସେନା ସ୍ପେଶାଲ୍ ଫୋର୍ସ, ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ଜାମ୍ମୁ କାଶ୍ମୀର ପୋଲିସ୍ ମଧ୍ୟ ଏହି ଅପରେସନରେ ସାମିଲ ହୋଇଥିଲେ । ଭାରତୀୟ ସେନାର ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ଅପରେସନରେ ନିହତ ଚାରି ଜଣ ହେଉଛନ୍ତି ବିଦେଶୀ ଆତଙ୍କବାଦୀ ଏବଂ ସେମାନଙ୍କ ପରିଚୟ ଚିହ୍ନଟ ପାଇଁ ଉଦ୍ୟମ ଜାରି ରହିଛି ।
ପୁଞ୍ଚର ସିନ୍ଧ୍ରା ଅଞ୍ଚଳରେ ସୁରକ୍ଷାବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ସୋମବାର ରାତିରୁ ଗୁଳି ବିନିମୟ ଜାରି ରହିଥିଲା । ରାତି ୧୧.୩୦ ରେ ଆତଙ୍କୀ ଏବଂ ସୁରକ୍ଷା ବଳ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏହାପରେ ଡ୍ରୋନ ଏବଂ ଅନ୍ୟ ସର୍ଭିଲାନ୍ସ ଜରିଆରେ ଆତଙ୍କୀକୁ ଖୋଜି ଏନକାଉଣ୍ଟର କରାଯାଇଥିଲା । ଏହି ଅପରେସନର ନାମ ତ୍ରିନେତ୍ର ରହିଥିଲା । ସେନାର ସ୍ୱତନ୍ତ୍ର ବଳ, ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ଜମ୍ମୁ କଶ୍ମୀର ପୋଲିସ ଯବାନ ଏବଂ ଅନ୍ୟ ଯବାନମାନେ ଅପରେସନରେ ସାମିଲ ରହିଥିଲେ । ନିହତ ହୋଇଥିବା ଆତଙ୍କବାଦୀଙ୍କ ଜାଣିବା ପାଇଁ ପୋଲିସ ଚେଷ୍ଟା କରୁଛି । ଘଟଣା ସ୍ଥଳରୁ ପୋଲିସ ଗ୍ରେନେଡ ଏବଂ ଅନ୍ୟ ସାମଗ୍ରୀ ଜବତ କରିଛି । ସର୍ଚ୍ଚ ଅପରେସନ ପରେ ସୁରକ୍ଷା ବଢାଇଦିଆଯାଇଛି ।
ସୂଚନା ଯେ, ଜମ୍ମୁ-କଶ୍ମୀରର ପୁଞ୍ଛ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୨ ଅନୁପ୍ରବେଶକାରୀ ନିହତ ହୋଇଛନ୍ତି । ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ସେମାନେ ଭାରତକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ସୁରକ୍ଷାକର୍ମୀ ସେମାନଙ୍କ ଉଦ୍ୟମକୁ ବିଫଳ କରି ଦେଇଛନ୍ତି । ସେଠାରେ ସର୍ଚ୍ଚ ଅପରେସନ୍ ପୂର୍ବରୁ ହିଁ ଜାରି ରହିଥିଲା । ଏହାପୂର୍ବରୁ ଜମ୍ମୁ-କଶ୍ମୀରର ପୁଞ୍ଛ ସେକ୍ଟରରେ କିଛି ସନ୍ଦେହଜନକ କାର୍ଯ୍ୟକଳାପ ଦେଖାଯିବା ପରେ ସୋମବାର ଭାରତୀୟ ସେନା ଏବଂ ଜମ୍ମୁ-କାଶ୍ମୀର ପୋଲିସ ଏଲ୍ଓସି ଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସୋମବାର ସକାଳେ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି ।
