ଆଜିଠୁ ଅନିର୍ଦ୍ଦିଷ୍ଟକାଳ ଯାଏ ୟୁନିଟ୍ ୨ ମାର୍କେଟ୍ ବିଲ୍ଡିଂ ବନ୍ଦ
ଶୁଣିଲାନି ବିଏମସି, ତୀବ୍ର ହେଲା ଉଠା ଓ ସ୍ଥାୟୀ ଦୋକାନୀଙ୍କ ବିବାଦ
ଭୁବନେଶ୍ୱର : ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀଙ୍କ ବିବାଦର ସମାଧାନ ହେଲାନି । ଶେଷରେ ବ୍ୟବସାୟୀ ସଂଘ ପକ୍ଷରୁ ଆଜି ୟୁନିଟ-୨ ସ୍ଥିତ ମାର୍କେଟ ବିଲ୍ଡିଂକୁ ଅନିର୍ଦ୍ଦିଷ୍ଟକାଳ ଯାଏ ବନ୍ଦ କରିଦିଆଯାଇଛି । ପ୍ରତିବାଦରେ ଆଜିଠୁ ୧୬୫ ବ୍ୟବସାୟୀ ଧାରଣାରେ ବସିବେ ବୋଲି ପ୍ରକାଶ କରିଛନ୍ତି ।
ଭୁବନେଶ୍ୱରର ସବୁଠୁ ଜନଗହଳିପୂର୍ଣ୍ଣ ମାର୍କେଟ ବିଲ୍ଡିଂ । ଏଠାକୁ ମାର୍କେଟିଂ କରିବା ପାଇଁ ଭୁବନେଶ୍ୱରର ସବୁ ଦିଗରୁ ଲୋକେ ଆସିଥାନ୍ତି । ସର୍ବଦା ଭିଡ ଏଠାରେ ଦେଖିବାକୁ ମିଳିଥାଏ । ଦୋକାନୀଙ୍କ ବିବାଦର ସମାଧାନ ନ ହେବାରୁ ମାର୍କେଟ୍ ବିଲ୍ଡିଂ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ । ମାର୍କେଟ ବିଲ୍ଡିଂ ପରିସରରେ ଥିବା ସ୍ଥାୟୀ ଓ ଅସ୍ଥାୟୀ ବିବାଦର ସମାଧାନ ହୋଇପାରିନାହିଁ । ପ୍ରକାଶଯୋଗ୍ୟ, ସମସ୍ୟାର ସମାଧାନ ଲାଗି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ ପକ୍ଷରୁ ବିଏମସିକୁ ତିନି ଦିନ ସମୟ ଦିଆଯାଇଥିଲା ।
ସୂଚନା ଯେ, ଉଠାଦୋକାନୀ-ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ମଧ୍ୟରେ ବିବାଦ ଘନେଇଛି । ଏନେଇ ସୋମବାରଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମାର୍କେଟ ବିଲ୍ଡିଂ ବନ୍ଦ ରହିବ । ଏହି ସଂଘ ଏକତ୍ରିତ ହୋଇ ସୋମବାର ମାର୍କେଟ ସମେତ ମେୟର୍ ଓ କମିଶନରଙ୍କ ଘର ଆଗରେ ଧାରଣା ଦେବେ ମାର୍କେଟରେ ଉଠାଦୋକାନୀମାନେ ଜୋର ଜବରଦସ୍ତ ବସୁଛନ୍ତି । ପ୍ରତିବାଦ କଲେ ସେମାନେ ନାଲି ଆଖି ଦେଖାଉଛନ୍ତି । ସେମାନଙ୍କୁ ଉଚ୍ଛେଦ ବଦଳରେ ବିଏମ୍ସି ବସାଉଥିବା ନେଇ ସଂଘ ସଭାପତି ପ୍ରଦ୍ୟୁମ୍ନ ଜେନା ଅଭିଯୋଗ କରିଛନ୍ତି । ବର୍ତ୍ତମାନ ୫୯ ଜଣ ହାଇକୋର୍ଟରୁ ରହିତାଦେଶ ଆଣିଛନ୍ତି । ତାଙ୍କୁ ଛାଡ଼ି ପ୍ରାୟ ୩୨୦ରୁ ଅଧିକ ଉଠାଦୋକାନୀ ମାର୍କେଟ ବିଲ୍ଡିଂ ଭିତରେ ବସୁଛନ୍ତି । ଫଳରେ ଅନ୍ୟ ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ ହେଉଛି । ତେଣୁ ସେମାନଙ୍କୁ ତୁରନ୍ତ ହଟାଇବାରୁ ସଂଘ ଦାବି କରିଛି ।
