ବିଭିନ୍ନ ଜିଲାର ବର୍ଷା ସ୍ଥିତି ନେଇ ସମୀକ୍ଷା କଲେ ଏସଆରସି, ପ୍ରଭାବିତ ଲୋକଙ୍କୁ ସମସ୍ତ ସହାୟତା ଯୋଗାଇବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର : ରାଜ୍ୟରେ ତୁହାକୁ ତୁହା ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ବର୍ଷା ସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ବିଭିନ୍ନ ଜିଲାର ସ୍ଥିତି ସମ୍ପର୍କରେ ଜିଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି । ପ୍ରଭାବିତ ଲୋକଙ୍କୁ ସମସ୍ତ ସହାୟତା ଯୋଗାଇବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ।
ମୌସୁମୀ ସକ୍ରିୟ ଥିବାରୁ ରାଜ୍ୟରେ ବର୍ଷା ଲାଗି ରହିଛି। ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବା ସହ ରାସ୍ତାଘାଟରେ ଆଣ୍ଠୁଏ ଲେଖାଏଁ ପାଣି । ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଯୋଗୁଁ ଜଗତସିଂହପୁର ଜିଲ୍ଲାରେ ଦୁଇଟି ବଡ଼ ଘାଇ ସୃଷ୍ଟି ହୋଇଛି । ଏଥିଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାଣି ପଶିଯାଇଛି।
ଶାସନକୁ ଆଲର୍ଟ ରହିବା ପାଇଁ ପରାମର୍ଶ ଦେଇଛନ୍ତି ଏସଆରସି । ବର୍ଷାରେ ପ୍ରଭାବିତ ଲୋକଙ୍କୁ ସମସ୍ତ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଲଗାଣ ବର୍ଷାରେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ବିଶେଷ ଭାବରେ ପ୍ରଭାବିତ ହୋଇଛି । ଏହାଛଡା ପ୍ରବଳ ବର୍ଷା କାରଣରୁ ରାସ୍ତଘାଟ ସଫା କରିବାକୁ ଟିମ୍ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଟ୍ରାଫିକ ସମସ୍ୟା ସୁଧାରିବାକୁ ମଧ୍ୟ କହିଛନ୍ତି ଏସଆରସି । ଗତ ୨ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । କିଛି ନଦୀରେ ଜଳସ୍ତର ବୃଦ୍ଧି ପାଇଥିବା ବେଳେ ଅନେକ ଅଞ୍ଚଳ ଏବେ ଜଳମଗ୍ନ ମଧ୍ୟ ହୋଇଥିବା ସୂଚନା ମିଳିଛି ।
ସୂଚନା ମିଳିଛି ଯେ, ଦଳେଇଘାଇ ନିକଟ ମାଛଗାଁ କେନାଲ ବନ୍ଧ ଭାଙ୍ଗି ହନୁମନ୍ତବ୍ରହ୍ମପୁର ଗାଁ ରାସ୍ତା ଓ ଚାଷ ଜମିରେ ପାଣି ଉବୁଟୁବୁ ହେଉଛି। ତରିକୁନ୍ଦ ନିକଟରେ ଆଉ ଏକ ଘାଇ ହୋଇଥିବା ଯୋଗୁଁ ଜଗତସିଂହପୁର-କଟକ ରାସ୍ତାରେ ପାଣି ଚାଲିଛି। ଏହାଫଳରେ ଏହି ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଘର ଦ୍ବାର, ପଞ୍ଚାୟତ ଅଫିସ ଓ ଫାଣ୍ଡିରେ ପାଣି ପଶିଛି ।
