ଭାରତ ବିପକ୍ଷ ସିରିଜ୍ରୁ ବାହାର ହେଲେ ଶ୍ରୀଲଙ୍କାର ତିନି କ୍ରିକେଟର
ନୂଆଦିଲ୍ଲୀ : ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ନିଜ ଦଳର ତିନି ଖେଳାଳି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶ୍ରୀଲଙ୍କାର ତିନି ଖେଳାଳି ନିରୋଶାନ ଡିକଓ୍ଵାଲେ, କୁଶଲ ମେଣ୍ଡିସ୍ ଓ ଧନୁଷ୍କା ଗୁଣତିଲକାଙ୍କୁ କଡା ସଜା ମିଳିଛି। ଏହି ତିନି ଖେଳାଳିଙ୍କୁ ଭାରତ ବିପକ୍ଷ ଘରୋଇ ଦିନିକିଆ ଓ ଟି-୨୦ ସିରିଜ୍ରେ ଦେଖିବାକୁ ମିଳିବ ନାହିଁ।
ସୂଚନା ଯେ, ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଏହି ତିନି ଖେଳାଳିଙ୍କୁ ଜୈବ ନିରାପତ୍ତା ବଳୟ ଅର୍ଥାତ ବାୟୋ ବବଲ ନିୟମର ଉଲ୍ଲଂଘନ କରିବା ଅଭିଯୋଗରେ ନିଲମ୍ବିତ କରିଛି। ତିନି ଖେଳାଳିଙ୍କୁ ଇଂଲଣ୍ଡ ଗସ୍ତରୁ ତୁରନ୍ତ ସ୍ଵଦେଶ ଫେରି ଯିବାକୁ ବୋର୍ଡ ଆଦେଶ ଦେଇଛି। ତିନି ଖେଳାଳି ତୃତୀୟ ଟି-୨୦ରେ ପରାଜୟ ପରେ ରବିବାର ରାତିରେ ଡରହମ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ସଂପାଦକ ମୋହନ ଡି ସିଲଭା କହିଥିଲେ, ଶ୍ରୀଲଙ୍କା କ୍ରିକେଟ୍ର କାର୍ଯ୍ୟକାରୀ କମିଟି କୁଶଲ ମେଣ୍ଡିସ, ଧନୁଷ୍କା ଗୁଣାତିଳକା ଓ ନିରୋଶାନ ଡିକଓ୍ଵାଲେଙ୍କୁ ଜୈବ ନିରାପତ୍ତା ବଳୟ ଉଲ୍ଲଂଘନ କରିବା ଅପରାଧରେ ଦଳରୁ ନିଲମ୍ବିତ କରିଛି। ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଜୁଲାଇ ୧୩ରୁ ତିନୋଟି ଦିନିକିଆ ଓ ତିନୋଟି ଟି-୨୦ ମ୍ୟାଚ୍ କରାଯିବ।
