ଘୂର୍ଣ୍ଣିବଳୟ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ଆଜି ୯ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ବଙ୍ଗୋପ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ନିକଟରେ ଏକ ଘୂର୍ଣ୍ଣିବଳୟ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ସହ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆଜି ୯ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ସହ ଅନ୍ୟ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି ।
ସେହିଭଳି ୯ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ହେବ। ୧୦ଓ ୧୧ରେ ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ଭାରୀ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୧୦ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ଏହା ପ୍ରଭାବରେ ୧୨ ଓ ୧୩ରେ ରାଜ୍ୟରେ ଭଲ ବର୍ଷା ହେବ। ଉପକୂଳ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ମଧ୍ୟମରୁ ଭାରୀ ବର୍ଷା ହୋଇପାରେ। ଗତ ୨୪ ଘଣ୍ଟାରେ ମାଲକାନଗିରି ମାଥିଲିରେ ସର୍ବାଧିକ ୯୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେପଟେ ଚଳିତ ମୌସୁମୀ ଋତୁରେ ଜୁନ୍ ୧ରୁ ଜୁଲାଇ ୭ ତାରିଖ ଭିତପେ ୨୦୬.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସ୍ୱାଭାବିକ ବର୍ଷା ତୁଳନାରେ ଏଠାରେ ୨୮ ପ୍ରତିଶତ କମ୍ ବର୍ଷା ହୋଇଛି।
