ତୃତୀୟ ଶ୍ରୀକ୍ଷେତ୍ରର ବାହୁଡ଼ା ଯାତ୍ରା ସମ୍ପନ୍ନ, ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ନିଳାଦ୍ରିବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି
ନୀଳଗିରି : ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ବାହୁଡ଼ା ଯାତ୍ରା ସମ୍ପନ୍ନ । ଶ୍ରଦ୍ଧାଳୁମାନେ ରଥକୁ ଟାଣି ଟାଣି ନେଇ ଶ୍ରୀମନ୍ଦିର ନିକଟରେ ପହଞ୍ଚାଇଥିଲେ । ପରେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ନିଳାଦ୍ରିବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି । ଏହି ସମୟରେ ଅରୁଣସ୍ତମ୍ଭ ସମୁଖରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ଦେଖିବାକୁ ମିଳିଥିଲା ।
ପରମ୍ପରା ଅନୁସାରେ ୨ଦିନ ଧରି ନୀଳଗିରି ତୃତୀୟ ଶ୍ରୀକ୍ଷେତ୍ରରେ ବାହୁଡାଯାତ୍ରା ଅନୁଷ୍ଠିତ ହୋଇଥାଏ । ପ୍ରଥମ ଦିନରେ ଶ୍ରଦ୍ଧାଳୁ ରଥଟାଣି ବଡ଼ଦାଣ୍ଡ ଶଙ୍କରାଖୁଣ୍ଟା ପୋଖରୀ ପାର୍ଶ୍ୱରେ ପହଞ୍ଚାଇ ଥିଲେ । ଅଧା ବାଟରେ ଚତୁର୍ଦ୍ଧାମୂର୍ତ୍ତି ଗୋଟିଏ ରାତି ବିତାଇବା ପରେ ଶେଷଦିନ ଶୁକ୍ରବାର ପୂର୍ବାହ୍ନରୁ ଶ୍ରଦ୍ଧାଳୁମାନେ ରଥ ଉପରେ ଚଢ଼ି ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଅପରାହ୍ନରେ ପୁଣି ଥରେ ବାହୁଡ଼ାଯାତ୍ରା ଆରମ୍ଭ ହୋଇଥିଲା । ବାହୁଡ଼ାଯାତ୍ରାରେ ସେବାୟତ, ଭକ୍ତ ଓ ଶ୍ରଦ୍ଧାଳୁ ଜୟ ଜଗନ୍ନାଥ ଧ୍ୱନି ଦେଇ ଢୋଲ, ମହୁରା, ଶଙ୍ଖ, ହୁଳହୁଳି ପକାଇ ରଥକୁ ଟାଣି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶ୍ରୀମନ୍ଦିର ସମ୍ମୁଖରେ ଶାନ୍ତି ଶୃଙ୍ଖଳା ଭିତରେ ପହଞ୍ଚାଇଥିଲେ । ରଥଟଣା କାର୍ଯ୍ୟକ୍ରମକୁ ନୀଳଗିରି ବିଡିଓ ରାହୁଲ ମଣ୍ଡଳ ଓ ଭାରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ପରିଚାଳନା କରିଥିଲା ବେଳେ ପ୍ରଦୀପ୍ତ ମିଶ୍ର ଓ ଶରତ ଚନ୍ଦ୍ର ଦାସ ଧାରା ବିବରଣୀ ପ୍ରଦାନ କରିଥିଲେ । ସନ୍ଧ୍ୟା ସମୟରେ ମନ୍ଦିର ସମ୍ମୁଖରେ ଜଗନ୍ନାଥ ଧ୍ୱନିରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇ ଉଠି ଥିବା ବେଳେ ଭକ୍ତ ଆରାଧ୍ୟ ଦେବତା କାଳିଆ ସାଆନ୍ତଙ୍କୁ ହାତ ଟେକି ନିଜ ନିଜର ଦୁଃଖ କଷ୍ଟ ଭାବର ଠାକୁର କାଳିଆକୁ ସମର୍ପି ଦେଇଥିଲେ । ଶେଷରେ ଯଥା ରୀତିନୀତି ଅନୁସାରେ ରାଜପୂରୋହିତ ରବୀନ୍ଦ୍ର ମହାପାତ୍ର ଲକ୍ଷ୍ମୀ ନାରାୟଣଙ୍କ ଭେଟ, ମହାପ୍ରଭୁଙ୍କର ଦକ୍ଷିଣାୟନ ବନ୍ଦାପନା, ଅଧରପଣା, ପୁଷ୍ପାଞ୍ଜଳି, ରାଜନୀତି ବନ୍ଦାପନା ସାରି ରାଜପୂରୋହିତ ଛେରାପହଁରା କରି ଗୋଟି ପହଣ୍ଡିରେ ପ୍ରଥମେ ରାମକୃଷ୍ଣ ମଦନମୋହନ, ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ନିଳାଦ୍ରୀ ବିଜେ କରାଇଥିଲେ । ବାହୁଡ଼ାଯାତ୍ରାରେ କାର୍ଯ୍ୟକ୍ରମରେ ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ନୀଳଗିରିର ବିଧାୟକ ଇଂ. ସୁକାନ୍ତ କୁମାର ନାୟକ, ଉପ-ଜିଲାପାଳ ମନ୍ଦରଧର ମହାଳିକ, ଏସ୍ଡିପିଓ ରିତେଶ କୁମାର ମହାପାତ୍ର, ବିଜୁ ଜନତା ଦଳର ରାଜ୍ୟଯୁବ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ, ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଏନ୍ଏସି ଅଧ୍ୟକ୍ଷା ଅମ୍ବିକା ଦାସ, ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ, ଏନ୍ଏସି ଅନୁସୂଚିତ ଜାତି ସଭାପତି ଶରତ ଦାସ, ସନ୍ତୋଷ ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରଦ୍ଧାଳୁଙ୍କ ଭିଡକୁ ନିୟନ୍ତ୍ରଣ କରି ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡ ସମେତ ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିଲା ।
