ଭାରତକୁ ୪.୧ କୋଟି ଡଲାରର ଅତିରିକ୍ତ ସହାୟତା କରିବ ଆମେରିକା
ନୂଆଦିଲ୍ଲୀ : କୋଭିଡ-୧୯ ମହାମାରୀର ମୁକାବିଲା ଓ ଭବିଷ୍ୟତରେ ଦେଶର ସ୍ୱାସ୍ଥ୍ୟ ସମ୍ପର୍କିତ ଜରୁରି ପରିସ୍ଥିତି ନିମନ୍ତେ ଭାରତକୁ ଆମେରିକା ଅତିରିକ୍ତ ୪.୧ କୋଟି ଡଲାରର ଅତିରିକ୍ତ ସହାୟତା ପ୍ରଦାନ ଲାଗି ଘୋଷଣା କରିଛି। ଏହି ଘୋଷଣା ସହ ଭାରତର କରୋନା ବିରୋଧରେ ସଂଗ୍ରାମ ଲାଗି ଆମେରିକାର ମୋଟ ସହାୟତା ରାଶି ୨୦ କୋଟି ଡଲାରରୁ ବି ଅଧିକ ହେବ। ଗତ ଏପ୍ରିଲ-ମେ ମାସରେ ଭାରତରେ ଦୈନିକ କରୋନା ସଂକ୍ରମଣ ହାର ୩ ଲକ୍ଷ ଉପରକୁ ଉଠିଥିଲା। ସେତେବେଳେ ଦେଶରେ ହସ୍ପିଟାଲ ବେଡ, ଅକ୍ସିଜେନ ଏବଂ ଔଷଧ ଆଦି ସମସ୍ୟା ମଧ୍ୟ ଗୁରୁତର ହୋଇଥିଲା।
ୟୁଏସ୍ ଏଜେନ୍ସୀ ଫର ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ (ୟୁଏସଏଡ) ଏକ ବୟାନରେ ଆମେରିକାର ଆବଶ୍ୟକତା ସମୟରେ ଭାରତ ସହଯୋଗର ହାତ ବଢାଇଥିଲା। ଏଣୁ ଏବେ ଆମେରିକା କୋଭିଡ-୧୯ ବିରୋଧରେ ସଂଗ୍ରାମ କରୁଥିବା ଭାରତର ଲୋକଙ୍କ ସହ ଛିଡାହେବ ବୋଲି ଘୋଷଣା କରିଛନ୍ତି। ଭାରତକୁ କୋଭିଡ-୧୯ ମୁକାବିଲା ଲାଗି ସହାୟତା ସମେତ ଭବିଷ୍ୟତରେ ଉପୁଜିବାକୁ ଥିବା ସ୍ୱାସ୍ଥ୍ୟ ଜରୁରିକାଳୀନ ପରିସ୍ଥିତିର ମୁକାବିଲା ଲାଗି ଅତିରିକ୍ତ ସହାୟତ କରିବ ବୋଲି ୟୁଏସ୍ଏଡ କହିଛନ୍ତି। ଏଥିରେ ଆମେରିକା ଭାରତକୁ ଅତିରିକ୍ତ ୪.୧ କୋଟି ଡଲାର ସହାୟତା କରିବ। ୟୁଏସଏଡ ଆମେରିକା ସରକାରଙ୍କ ସ୍ୱତନ୍ତ୍ର ଏଜେନ୍ସୀ। ଯିଏ ମୁଖ୍ୟତଃ ବିଦେଶରେ ଆମେରିକାର ମାନବୀକ ସହାୟତା ଓ ବିକାଶ କାର୍ଯ୍ୟରେ ଆର୍ଥିକ ସହଯୋଗ କରିଥାନ୍ତି। କରୋନା ଭାଇରସ ମହାମାରୀ ସଂକ୍ରମଣ ପରଠାରୁ ଆମେରିକା ଭାରତକୁ ସବୁପ୍ରକାର ସହାୟତା କରିଆସିଛି। ଏଥିରେ ଦ୍ୱିତୀୟ ଲହର କାଳରେ ଆମେରିକା ରିଲିଫ ସାମଗ୍ରୀ ମଧ୍ୟ ପଠାଇଥିଲା। ସେତେବେଳେ ଆବଶ୍ୟକ ପଡିଲେ ଭାରତକୁ ସବୁପ୍ରକାର ସହାୟତା କରାଯିବ ବୋଲି ମଧ୍ୟ ଆମେରିକା ଘୋଷଣା କରିଥିଲା।
