ଜେଲ ଯିବେ ପୂର୍ବତନ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ଜାକୋବ ଜୁମା
- ଅଦାଲତ ଅବମାନନା ଲାଗି ଦୋଷୀ ସାବ୍ୟସ୍ତ, ୧୫ମାସ ଜେଲ ଦଣ୍ଡାଦେଶ
ଜୋହନ୍ସବର୍ଗ : ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ରପତି ଜାକୋବ ଜୁମାଙ୍କୁ ଅଦାଲତ ଅବମାନନା ଲାଗି ଦୋଷୀ ସାବ୍ୟସ୍ତ କରାଯାଇଛି। ଏଥି ପାଇଁ କୋର୍ଟ ତାଙ୍କୁ ୧୫ମାସ ଜେଲଦଣ୍ଡାଦେଶ କରିଥିବା ଜଣାପଡିଛି। ୭୯ ବର୍ଷ ବୟସ୍କ ଦକ୍ଷିଣ ଆଫ୍ରିକୀୟ ନେତା ଚଳିତବର୍ଷ ପ୍ରାରମ୍ଭରେ ଏକ ଦୁର୍ନୀତି ମାମଲାରେ ହାଜର ହେବା ଲାଗି କୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରିଥିଲେ। ଜୁମାଙ୍କ ଶାସନକାଳରେ ହୋଇଥିବା ବିଭିନ୍ନ ଭ୍ରଷ୍ଟାଚାରର ଏବେ ଯାଞ୍ଚ ହେଉଛି। ତେବେ ସେ ଏଥିରେ ସହଯୋଗ କରୁନଥିବାର ଅଭିଯୋଗ ମଧ୍ୟ ହେଉଛି।
ଜୁମା ୨୦୦୯ରୁ ୨୦୧୮ ପର୍ଯ୍ୟନ୍ତ ଦେଶର ସର୍ବୋଚ୍ଚ ଶାସନ ମୁଖ୍ୟ ଥିଲେ। ଏହି ସମୟରେ ହୋଇଥିବା ବ୍ୟାପକ ଭ୍ରଷ୍ଟାଚାରରେ ତାଙ୍କୁ ଅଭିଯୁକ୍ତ କରାଯାଇଥିବା ବେଳେ ତାଙ୍କ ଭ୍ରଷ୍ଟାଚାରର ଯାଞ୍ଚ ଲାଗି ଉପମୁଖ୍ୟ ବିଚାରପତି ରେମଣ୍ଡଙ୍କ ଅଧ୍ୟକ୍ଷତାରେ ସର୍ବୋଚ୍ଚ ନ୍ୟାୟାଳୟ ଆୟୋଗ ଗଠନ କରିଥିଲେ। ତେବେ ସେ ଯାଞ୍ଚରେ ସହଯୋଗ କରିବେନି ବୋଲି କହି ସର୍ବୋଚ୍ଚନ୍ୟାୟାଳୟଙ୍କୁ ଅବମାନନା କରିଥିବା ସାମ୍ବାଧାନିକ କୋର୍ଟ କହିଛନ୍ତି। ଏଥିଲାଗି କୋର୍ଟ ଜ୍ୟାକୋବ ଜି. ଜୁମାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ୧୫ମାସ ଜେଲଦଣ୍ଡାଦେଶ କରିଛନ୍ତି। ଜୁମାଙ୍କ ଅନୁପସ୍ଥିତିରେ କୋର୍ଟ ଏହି ରାୟ ଦେଇଛନ୍ତି। ଏଣୁ ସୁପ୍ରିମକୋର୍ଟ ଜୁମାଙ୍କୁ ୫ ଦିନ ମଧ୍ୟରେ କ୍ୱଜଲୁ ନ୍ୟାସନାଲ ପ୍ରୋଭିନ୍ସ ନକାଣ୍ଡଲା ପୋଲିସରେ ହେଉ ଅଥବା ଜୋହନସବର୍ଗରେ ନିଜର ଆତ୍ମସମର୍ପଣ କରିଦିଅନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଦକ୍ଷିଣ ଆଫ୍ରିକା ରାଜନୈତିକ ଇତିହାସରେ ଜୁମା ପ୍ରଥମ ରାଷ୍ଟ୍ରପତି ଯାହାଙ୍କୁ କୋର୍ଟ ଜେଲଦଣ୍ଡାଦେଶ କରିଛନ୍ତି।
