ଆଜି ପ୍ରକାଶ ପାଇବ ଓଜେଇଇ ଫଳ
ଭୁବନେଶ୍ୱର : ଆଜି ପ୍ରକାଶ ପାଇବ ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ । ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। ଏହାପରେ ଛାତ୍ରଛାତ୍ରୀମାନେ ୱେବସାଇଟ www.ojee.nic.in ରୁ ରେଜଲ୍ଟ ଜାଣିପାରିବେ। ଏସ୍ସିଟିଇ ଆଣ୍ଡ ଭିଟି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ଫଳ ଉନ୍ମୋଚନ କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ଉଷା ପାଢ଼ୀଙ୍କ ସମେତ ଓଜେଇଇର ଅଧିକାରୀମାନେ ଉପସ୍ଥିତ ରହିବେ।
ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନର ଏମ୍ବିଏ, ଏମ୍ସିଏ, ଏମ୍ଏସ୍ସି, ଏମ୍ଟେକ୍, ଏମ୍ ପ୍ଲାନ, ଲାଟେରାଲ୍ ଏଣ୍ଟ୍ରି ବିଏମ୍ବିଏ, ଲାଟେରାଲ ଏଣ୍ଟ୍ରି ବିଏସ୍ସି ଭଳି ୧୧ଟି ପାଠ୍ୟକ୍ରମରେ ନାମଲେଖା ଲାଗି ଗତ ମେ’ ମାସ ୮ରୁ ୧୫ତାରିଖ ପର୍ଯ୍ୟନ୍ତ ଓଜେଇଇର ପ୍ରବେଶିକା ପରୀକ୍ଷା ରାଜ୍ୟର ପ୍ରତି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯିବା ସହ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରରେ ୩ଟି ପରୀକ୍ଷା କେନ୍ଦ୍ର ହୋଇଥିଲା। ମୋଟ ୩୩ଟି ସହରରେ ୪୭ ପରୀକ୍ଷା କେନ୍ଦ୍ର ହୋଇଥିଲା।
ସୂଚନା ଯେ, ଚଳିତବର୍ଷ ମୋଟ ୫୫ ହଜାର ୯୭୯ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେବା ପାଇଁ ନାମ ପଞ୍ଜୀକରଣ କରିଥିଲେ। ଲାଟେରାଲ ଏଣ୍ଟ୍ରି ଡିପ୍ଲୋମାରେ ସର୍ବାଧିକ ଛାତ୍ରଛାତ୍ରୀ ୧୭ ହଜାର ୭୬୩, ବି ଫାର୍ମାରେ ୧୩ ହଜାର ୮୧୩, ଏମବିଏରେ ୯,୩୦୫, ଏମସିଏ ଓ ଏମଏସସି କମ୍ପ୍ୟୁଟର ସାଇନ୍ସରେ ୮,୮୪୧ ଛାତ୍ରଛାତ୍ରୀ ରହିଛନ୍ତି। ବାକି ଛାତ୍ରଛାତ୍ରୀ ବି କ୍ୟାଟ୍, ଏମ ଆର୍କ, ଏମ ଫାର୍ମା, ଏମ ଟେକ୍ ପରି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପରୀକ୍ଷା ଦେଇଥିଲେ।
