ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ : ୧୨ଟାରୁ ବୋର୍ଡ ୱେବସାଇଟରୁ ଜାଣିପାରିବେ ଛାତ୍ରଛାତ୍ରୀ
କଟକ : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇବ । ବୋର୍ଡର କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବଂ ସଚିବ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ । ପ୍ରଥମେ ପରୀକ୍ଷା ପରିଚାଳନା କମିଟିର ଏକ ବୈଠକ ସକାଳ ୭ ଟା ୩୦ ମିନିଟରେ ଅନୁଷ୍ଠିତ ହୋଇ ପରୀକ୍ଷା ଫଳକୁ ଅନୁମୋଦନ କରାଯିବ । ଏହା ପରେ ପୂର୍ବାହ୍ନ ୧୦ଟାରେ ରେଜଲ୍ଟ ପ୍ରକାଶ ପାଇବ ।
ଦିନ ୧୨ ଟା ଠାରୁ ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟରୁ ପରୀକ୍ଷା ଫଳ ଜାଣିପାରିବେ । ବୋର୍ଡର ଦୁଇଟି ୱେବସାଇଟ୍ (www.bseodisha.ac.in) ଏବଂ (bseodisha.nic.in)ରେ ଏହି ପରୀକ୍ଷା ଫଳ ଉପଲବ୍ଧ ହେବ । ଏହାବ୍ୟତୀତ ଯେଉଁ ଅଞ୍ଚଳରେ ଇଣ୍ଟନନେଟ ସୁବିଧା ନଥିବ, ସମ୍ପୃକ୍ତ ଅଞ୍ଚଳର ଛାତ୍ରଛାତ୍ରୀମାନେ ଏସଏମଏସ ମାଧ୍ୟମରେ ନିଜର ପରୀକ୍ଷା ଫଳାଫଳ ବିଷୟରେ ଜାଣିପାରିବେ । ଏଥିନିମନ୍ତେ ମୋବାଇଲରୁ ଓଆର୧୦ ସହ ନିଜର ରୋଲ ନମ୍ବର ଲେଖି ୫୬୭୬୭୫୦କୁ ଏସଏମସ କଲେ ଫଳାଫଳ ଜାଣିହେବ । ପରୀକ୍ଷା ଫଳ ବାହାରିବା ପରେ କିଛି ଅସୁବିଧା ଥିଲେ କଣ୍ଟ୍ରୋଲ ରୁମ ନମ୍ବର ୦୬୭୧୨୪୧୫୪୬୦ ସହ ଛାତ୍ରଛାତ୍ରୀମାନେ ଯୋଗଯୋଗ କରିପାରିବେ ।
ସୂଚନା ଯେ, ଚଳିତବର୍ଷ ରାଜ୍ୟରେ ମୋଟ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ । ୩୦୨୯ କେନ୍ଦ୍ରରେ ହୋଇଥିଲା ପରୀକ୍ଷା । କିନ୍ତୁ ଚଳିତ ଥର ୪୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ । ଯାହାର କାରଣ ଏଯାଏଁ ମିଳିନି । ଚଳିତ ଥର ସାମାଜିକ ବିଜ୍ଞାନ ପରୀକ୍ଷାରେ ପ୍ରଶ୍ନପତ୍ର ସେଟ ଜନିତ ତୃଟି ଦେଖାଦେଇଥିଲା। ଯାହାଦ୍ବାର ଅନେକ ପରୀକ୍ଷାର୍ଥୀ ପ୍ରଭାବିତ ହୋଇଛନ୍ତି । ସେମାନଙ୍କର ଖାତାର ସ୍ବତନ୍ତ୍ର ଭାବେ ମୂଲ୍ୟାୟନ କରାଯାଇଛି। ମୋଟ ଉପରେ ରେଜଲ୍ଟ ତୃଟିଶୁନ୍ୟ ହେବ ବୋଲି ବୋର୍ଡ କର୍ତ୍ତୃପକ୍ଷ ଆଶାପୋଷଣ କରିଛନ୍ତି । ହେଲେ ରେଜଲ୍ଟ ସନ୍ତୋଷ ଜନକ ହେବ କି ନାହିଁ , ସେନେଇ ଶିକ୍ଷାବିତ ମାନେ ସନ୍ଦେହ ପ୍ରକଟ କରିଛନ୍ତି । କାରଣ ଗତ ୨ ବର୍ଷର ରେଜଲ୍ଟ ଏବଂ ପରୀକ୍ଷାର ଢାଞ୍ଚାଗତ ପରିବର୍ତ୍ତନ କରାଯାଇଥିବା ହେତୁ କିଛିବି ସ୍ପଷ୍ଟ କହିବା ମୁସ୍କିଲ ବୋଲି କହିଛନ୍ତି ଶିକ୍ଷାବିତ । ଚଳିତ ଥର ପରୀକ୍ଷା ସୁପରିଚାଳନା ଲାଗି ମାଓ ଅଧ୍ୟୁଷିତ ୨୨ ଟି ଥାନା ସହିତ ୩୧୬ ଟି ନୋଡାଲ ସେଣ୍ଟର କରାଯାଇଥିଲା।
