ଅଷ୍ଟ୍ରେଲିଆ ଗସ୍ତ ବାତିଲ କଲେ ଆମେରିକା ରାଷ୍ଟ୍ରପତି, ‘କ୍ୱାଡ’ ବୈଠକ ରଦ୍ଦ
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବନିସ୍ ‘କ୍ୱାଡ’ ବୈଠକ ରଦ୍ଦ ହୋଇଥିବା ବୁଧବାର ଘୋଷଣା କରିଛନ୍ତି। ଅଲବନିସ୍ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତିଙ୍କ ବିନା ଆଗାମୀ ସପ୍ତାହରେ ସିଡନୀରେ ପ୍ରସ୍ତାବିତ ‘କ୍ୱାଡ’ ଶିଖର ସମ୍ମିଳନୀ ଆଗକୁ ବଢି ପାରିବନି। ଉଲ୍ଲେଖଯୋଗ୍ୟ ଯେ ଆମେରିକା ଋଣ ସଂକଟ ଯୋଗୁ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କର ଅଷ୍ଟ୍ରେଲିଆ ଯାତ୍ରା ରଦ୍ଦ ଘୋଷଣା କରିଛନ୍ତି। ବାଇଡେନଙ୍କ ଏହି ଘୋଷଣା ପରେ କ୍ୱାଡ ବୈଠକ ରଦ୍ଦ ହୋଇଥିବା ଖବର ଆସିଛି।
ଅଷ୍ଟ୍ରେଲିଆ ସିଡନୀରେ ମେ ୨୪ ତାରିଖ ଦିନ କ୍ୱାଡ ବୈଠକ ଅନୁଷ୍ଠିତ ହେବାର ଥିଲା। ତେବେ ଅଲବନିସ୍ କ୍ୱାଡ ବଦଳେ ଚଳିତ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ହିରୋସିମା ଜି-୭ରେ ଅଷ୍ଟ୍ରେଲିଆ, ଆମେରିକା, ଭାରତ ଓ ଜାପାନ ନେତା ମିଳିତ ହେବେ ବୋଲି କହିଛନ୍ତି। ବିଶ୍ୱର ୭ ବିତ୍ତଶାଳୀ ଦେଶ ବ୍ରିଟେନ, କାନାଡା, ଫ୍ରାନସ, ଜର୍ମାନୀ, ଜାପାନ, ଆମେରିକା ଓ ଇଟାଲୀଙ୍କ ଜି-୭ ସମୂହରେ ଭାରତ ଓ ଅଷ୍ଟ୍ରେଲିଆ ସାମିଲ ନୁହନ୍ତି। ତେବେ ଏହି ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ଓ ଅଷ୍ଟ୍ରେଲିଆକୁ ଆମନ୍ତ୍ରିତ କରାଯାଇଛି। ଏହି ଶିଖର ସମ୍ମିଳନୀ ୧୯ରୁ ୨୧ ମେ ମଧ୍ୟରେ ଅନୁଷ୍ଠିତ ହେବ।
ଆନ୍ଥୋନୀ ଅଲବନିସ ଏକ ସାମ୍ବାଦିକ ସମ୍ମିଳନୀରେ ଆଗାମୀ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ ସମ୍ମିଳନୀ ହେବନି ବୋଲି କହିଛନ୍ତି। ତେବେ ଜାପାନାରେ କ୍ୱାଡ ନେତାଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆ ସିଡନୀରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଦ୍ୱିପାକ୍ଷୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରେ। ଏହାକୁ ନେଇ ଖୁବ ଶୀଘ୍ର ଭାରତ ନିଷ୍ପତ୍ତି ନେଇପାରେ ବୋଲି ଅଲବନିସ କହିଛନ୍ତି।
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ କ୍ୱାଡ ନେତାଙ୍କ ସହ ଏ ସମ୍ପର୍କରେ ଚର୍ଚ୍ଚା କରୁଛୁ। ଏ ନେଇ ଆମେ ଆହୁରି ଅନେକ ଘୋଷଣା କରିବୁ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଶ୍ଚିତ ରୂପେ ଆଗାମୀ ସପ୍ତାହରେ ଏଠାରେ ଅତିଥି ହେବେ ବୋଲି ସେ କହିଛନ୍ତି। ନଭେମ୍ବର ୨୦୧୭ରେ ଭାରତ, ଜାପାନ, ଆମେରିକା ଓ ଅଷ୍ଟ୍ରେଲିଆ ମିଳିତ କ୍ୱାଡ ଗଠନ କରିଥିଲେ। ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗକୁ ଯେ କୌଣସି ପ୍ରକାର ପ୍ରଭାବରୁ ମୁକ୍ତ ରଖିବା ପାଇଁ ଏକ ନୂଆ ରଣନୀତି ବିକଶିତ କରିବା ନିମନ୍ତେ କ୍ୱାଡର ଗଠନ ହୋଇଥିଲା।
