ଆଇପିଏଲ-୨୦୨୩ : ୫୯ ରନ୍ରେ ଅଲଆଉଟ୍ ରାଜସ୍ଥାନ, ଆରସିବିର ବଡ଼ ବିଜୟ
ଜୟପୁର: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)-୨୦୨୩ର ୬୦ତମ ମ୍ୟାଚରେ ରବିବାର ରାଜସ୍ଥାନ ରୟାଲ୍ସକୁ ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୧୨ ରନରେ ପରାସ୍ତ କରିଛି। ଜୟପୁର ସ୍ଥିତ ସୱାଇ ମାନସିଂହ ଷ୍ଟାଡିୟମରେ ୧୭୨ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ରାଜସ୍ଥାନ ଟିମ୍ ୧୦.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୫୯ ରନରେ ଅଟକି ଯାଇଥିଲା। ସେପଟେ ୧୧୨ ରନ୍ର ବିଶାଳ ବିଜୟ ସହିତ ରନ୍ ରେଟ୍କୁ ବୃଦ୍ଧି କରିଛି ଆରସିବି । ପ୍ଲେୟାର ଅଫ୍ ଦି ମ୍ୟାଚ୍ ଓ୍ବେନ ପାର୍ନେଲ୍ ହୋଇଛନ୍ତି ।
ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ବାଙ୍ଗାଲୋର। ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୭୧ ରନ୍ କରିଥିଲେ । ଏଥିରେ ଫାବ୍ ଡୁପ୍ଲେସି ଓ ଗ୍ଲେନ୍ ମ୍ୟାକ୍ସଓ୍ବେଲ ଚମତ୍କାର ଅର୍ଦ୍ଧଶତକ ରହିଛି । କ୍ୟାପଟେନ୍ ଡୁପ୍ଲେସି ୪୪ ବଲରୁ ୫୫ ରନ ଏବଂ ମ୍ୟାକ୍ସଓ୍ବେଲ ୩୩ ବଲରୁ ଦ୍ରୁତତମ ୫୪ ରନ ସଂଗ୍ରହ କରିଥିଲେ । ଅନ୍ତିମ ପର୍ଯ୍ୟାୟରେ ଅନୁଜ ରାଓତ୍ ମାତ୍ର ୧୧ଟି ବଲ୍ ଖେଳି ୨୯ ସଂଗ୍ରହ କରି ରାଜସ୍ଥାନ ରୟାଲ୍ସରୁ ୧୭୨ ରନ୍ର ଟାର୍ଗେଟ୍ ଦେଇଥିଲେ । ଆର୍ଆର୍ ପକ୍ଷରୁ ଆଡାମ ଜମ୍ପା ଓ କେଏମ ଆସିଫ୍ ୨ଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ । ସେହିପରି ସନ୍ଦୀପ ଶର୍ମାଙ୍କୁ ଗୋଟିଏ ଓ୍ବିକେଟ୍ ମିଳିଥିଲା ।
୧୭୨ର ବିଜୟ ଲକ୍ଷ୍ୟକୁ ପିଛା କରି ପଡ଼ିଆକୁ ଓହ୍ଲାଇଥିଲା ରାଜସ୍ଥାନ ରୟାଲ୍ସ । ହେଲେ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦଳ । ପ୍ରଥମ ଓଭରରେ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ଘାତକ ବୋଲିଂର ଶିକାର ହୋଇଥିଲେ ଦୁର୍ଦ୍ଦାନ୍ତ ହିଟର ଜୟସ୍ବାଲ । ସେ ମାତ୍ର ୨ଟି ବଲ୍ ଖେଳି ଶୂନରେ ଆଉଟ୍ ହୋଇଥିଲେ । ସେହିପରି ଦ୍ବିତୀୟ ଓଭରରେ ଜସ୍ ବଟଲର ଓ ଅଧିନାୟକ ସଞ୍ଜୁ ସାମସନଙ୍କ ଓ୍ବିକେଟ୍ ନେଇ ଓ୍ବେନ ପାର୍ନେଲ୍ ଆର୍ଆର୍ ଅଣ୍ଟା ଭାଙ୍ଗି ଦେଇଥିଲେ । ଏହା ପରେ ଓ୍ବିକେଟ୍ ଝଡ଼ି ଲାଗିଥିଲା । ପରେ ଦେବଦତ୍ତ ପାଡ଼ିକଲ ଓ ଜୋ ରୁଟ୍ ପାଭେଲିୟନକୁ ଫେରିଥିଲେ । ସିମରନ୍ ହେଟମାୟର କିଛି ସମୟ ପାଇଁ ପଡ଼ିଆରେ ଛକା-ଚୌକା ବର୍ଷା କରିଥିଲେ ମଧ୍ୟ ଦଳକୁ ବିଜୟ ଦ୍ବାରଦେଶକୁ ନେଇ ପାରିନଥିଲେ । ହେଟମାୟର ୩୫ ରନ କରି ବ୍ରାସଓ୍ବେଲଙ୍କ ଶିକାର ହୋଇଥିଲା । ସବୁଠାରୁ ଦୁର୍ଭାଗ୍ୟଜନକ କଥା ହେଲା ରାଜସ୍ଥାନ ରୟାଲ୍ସ ୫ଜଣ ଖେଳାଳି ଶୂନରେ ଆଉଟ୍ ହୋଇଛନ୍ତି । ଆରସିବି ପକ୍ଷରୁ ଓ୍ବେନ ପାର୍ନେଲ୍ ୩ ଓଭର ବୋଲିଂ କରି ସର୍ବାଧିକ ୩ଟି ଓ୍ବିକେଟ୍ ନେଇଛନ୍ତି । ସେହିପରି ବ୍ରାସଓ୍ବେଲ ଓ କରନ ଶର୍ମାଙ୍କୁ ୨ଟି ଲେଖାଏଁ ଓ୍ବିକେଟ୍ ମିଳିଛି । ଦ୍ରୁତ ବୋଲର ମହମ୍ମଦ ସିରାଜ ଓ ସ୍ପିନର ଗ୍ଲେନ୍ ମ୍ୟାକ୍ସଓ୍ବେଲ ଗୋଟିଏ ଲେଖାଏଁ ଓ୍ବିକେଟ୍ ପାଇଛନ୍ତି ।
