ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦାବିରେ ଦାଖଲ ଆବେଦନ ଉପରେ ଶୁଣାଣି ଶେଷ, ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦାବିରେ ଦାଖଲ ଆବେଦନ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି ପୂରା କରିଛନ୍ତି। ଲଗାତାର ୧୦ ଦିନ ଶୁଣାଣି ପରେ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ନେତୃତ୍ଵାଧୀନ ପୀଠ ରାୟ ସଂରକ୍ଷିତ ରଖିଛନ୍ତି। ପାଞ୍ଚ ଜଣିଆ ପୀଠରେ ଚନ୍ଦ୍ରଚୂଡ଼ଙ୍କ ବ୍ୟତୀତ ଜଷ୍ଟିସ ସଞ୍ଜୟ କିଶନ କୌଲ, ଏସ ରବୀନ୍ଦ୍ର ଭଟ୍ଟ, ପିଏସ ନରସିମାହ ଏବଂ ହିମା କୋହଲି ସାମିଲ୍।
ଖଣ୍ଡପୀଠରେ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭି, ରାଜୁ ରାମଚନ୍ଦ୍ରନ, କେଭି ବିଶ୍ଵନାଥନ, ଆନନ୍ଦ ଗ୍ରୋଭର ଏବଂ ସୌରଭ କ୍ରିପାଲ ନିଜର ଆବେଦନକାରୀଙ୍କ ପକ୍ଷରୁ ନିଜର ଦଲିଲ୍ ରଖିଥିଲେ। ଶୁଣାଣି ସମୟରେ ଜାତୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ଅଦାଲତକୁ ଜଣାଇଛନ୍ତି ଯେ, ସମଲିଙ୍ଗୀ ବିବାହର କୌଣସି ଆଇନଗତ ମାନ୍ୟତା ନାହିଁ। କେବଳ ବୀପରିତ ଲିଙ୍ଗ ବିବାହ ହିଁ ପିଲାମାନଙ୍କୁ ସ୍ଥିରତା ପ୍ରଦାନ କରି ପାରିବ। ଅନ୍ୟପଟେ ଆବେଦନକାରୀ ଆଇନ ଅନୁସାରେ ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ଉପରେ ଜୋର ଦେଇଛନ୍ତି। ନିଜ ପସନ୍ଦର ବ୍ୟକ୍ତିଙ୍କୁ ବିବାହର ଅଧିକାର LGBTQIA+ ନାଗରିକଙ୍କୁ ମଧ୍ୟ ମିଳିବା ଉଚିତ୍ ବୋଲି କହିଛନ୍ତି।
କେନ୍ଦ୍ର ସରକାର ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦାବିରେ ଦାଖଲ ଆବେଦନକୁ ପ୍ରଥମରୁ ବିରୋଧ କରି ଆସିଛନ୍ତି। କେନ୍ଦ୍ର କହିଛନ୍ତି, ସମଲିଙ୍ଗୀ ସଂପର୍କ ଭାରତୀୟ ସାମାଜିକ ସଂସ୍କୃତି ଏବଂ ପାରିବାରିକ ପରମ୍ପରା ବିରୋଧୀ। ଯଦି ସମଲିଙ୍ଗୀ ବିବାହକୁ ମାନ୍ୟତା ଦିଆଯାଏ ତେବେ କାହାକୁ ସ୍ତ୍ରୀର ଅଧିକାର ମିଳିବ। ସେହିପରି ଇସଲାମିକ ଧାର୍ମିକ ସଂସ୍ଥା ଜମିୟତ ଉଲେମା ଏ ହିନ୍ଦଙ୍କ ପକ୍ଷରୁ ମଧ୍ୟ ଏହି ଧରଣର ଚିନ୍ତା ବ୍ୟକ୍ତ କରାଯାଇଛି। ସମଲିଙ୍ଗୀ ବିବାହ ପରି ପ୍ରଥା ପାଶ୍ଚାତ୍ୟ ସଂସ୍କୃତିରୁ ସୃଷ୍ଟି। ଏହାକୁ ଭାରତ ଉପରେ ଥୋପା ଯାଇ ପାରିବ ନାହିଁ।
ଜାତୀୟ ଶିଶୁ ସଂରକ୍ଷଣ ଆୟୋଗ ଏକ ଅଧ୍ୟୟନକୁ ଆଧାର କରି ସମଲିଙ୍ଗୀ ଯୋଡ଼ିକୁ ପୋଷ୍ୟ ସନ୍ତାନ ଗ୍ରହଣ ଅଧିକାର ଦେବାକୁ ବିରୋଧ କରିଛନ୍ତି। କାରଣ ଏମିତି ହେଲେ ପିଲା ସାମାଜିକ ଏବଂ ମନୋବୈଜ୍ଞାନିକ ଉଭୟ ଦିଗରେ ପ୍ରଭାବିତ ହେବ। କିନ୍ତୁ ଦିଲ୍ଲୀ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ଆବେଦନକାରୀଙ୍କୁ ସମର୍ଥନ କରିଛନ୍ତି ଏବଂ କହିଛି ସମଲିଙ୍ଗୀ ଯୋଡ଼ିକୁ ପୋଷ୍ୟ ସନ୍ତାନ ଗ୍ରହଣ ଏବଂ ଉତ୍ତରାଧିକାରର ଅଧିକାର ପ୍ରଦାନ କରିବା ଉଚିତ୍।
