ଗରିବ ଦଳିତ ପରିବାରଙ୍କୁ ସଶକ୍ତ କରିବା ପାଇଁ ‘ସଶକ୍ତିକରଣ ଯୋଜନା’
- ୪ ବର୍ଷରେ ୪୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା
- ପ୍ରତି ଗରିବ ଦଳିତ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବେ ତେଲେଙ୍ଗାନା ସରକାର
ହାଇଦ୍ରାବାଦ : ମହାମାରୀ କରୋନା ପାଇଁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି। ଗରିବ ଏବଂ ଦିନ ମଜୁରିଆ ଶ୍ରେଣୀର ଲୋକେ କାମଧନ୍ଦା କିଛି ପାଉନଥିବା ଦେଖିବାକୁ ମିଳୁଛି। ଏହାରି ଭିତରେ ରାଜ୍ୟ ସରକାର ଗରିବ ଦଳିତ ପରିବାରଙ୍କୁ ସଶକ୍ତ କରିବା ପାଇଁ ସଶକ୍ତିକରଣ ଯୋଜନା ନେଇଆସିଛନ୍ତି। ତେଲେଙ୍ଗାନା ସରକାର ପ୍ରତି ଗରିବ ଦଳିତ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବେ । ଏମାନଙ୍କ ସଶକ୍ତିକରଣ ପାଇଁ ଆଗାମୀ ୪ ବର୍ଷରେ ୪୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ରଖିଛନ୍ତି ସରକାର।
ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ବରେ ଦଳିତ ସଶକ୍ତିକରକଣକୁ ନେଇ ହୋଇଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ କହିଛନ୍ତି, ଚଳିତ ବର୍ଷ ଏହି ଯୋଜନା ମାଧ୍ୟମରେ ୧୧୯ ବିଧାନସଭା କ୍ଷେତ୍ରରୁ ୧୦୦-୧୦୦ ପରିବାରକୁ ଚୟନ କରାଯିବ। ଯୋଜନା ମାଧ୍ୟମରେ ୨୦୨୧ରେ ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ରାଜ୍ୟରେ ମୋଟ ୧୧୯୦୦ ପରିବାରଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବ ଏବଂ ଏହି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଲାଭାର୍ଥୀଙ୍କୁ ୧୧୯୦ କୋଟି ଟଙ୍କା ଦିଆଯିବାକୁ ଥିବା ବେଳେ ଯୋଜନାର ସୁପରିଚାଳନା ପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର। ପ୍ରଥମେ ୧୨୦୦ କୋଟି ଏବଂ ପରେ ଦରକାର ପଡ଼ିଲେ ଅତିରିକ୍ତ ୩୦୦ କୋଟି ଟଙ୍କା ଜାରି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କେସିଆର କହିଛନ୍ତି। ସୂଚନା ଯେ, ଗ୍ରାମାଞ୍ଚଳ ଏବଂ ସହାରାଞ୍ଚଳରେ ଥିବା ଗରିବ ଦଳିତ ପରିବାରଙ୍କୁ ଭିନ୍ନ ଭାବେ ଚିହ୍ନଟ କରାଯିବ। ଏନେଇ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ମଧ୍ୟ ଦେଇଛନ୍ତି। ଏହି ବୈଠକକୁ ବିଜେପି ବୟକଟ କରିଥିବା ବେଳେ ବିଜେପି ନେତା ମୋଡକୁପଲ୍ଲୀ ନରସିଂହାଲୁ ସାମିଲ ହୋଇଥିଲେ । ଏଭଳି ଏକ ଯୋଜନା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ମଧ୍ୟ କରିଛନ୍ତି ।
