ଆଇପିଏଲ-୨୦୨୩ : ଆଜି ବାଙ୍ଗାଲୋର ଓ କୋଲକାତା ମୁକାବିଲା, ପ୍ରତିଶୋଧ ଲକ୍ଷ୍ୟରେ ଆରସିବି
ବେଙ୍ଗାଲୁରୁ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୩ର ୩୬ତମ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ । ବୁଧବାର ସନ୍ଧ୍ୟା ସାଢେ ୭ଟା ସମୟରେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଗତ ୬ ତାରିଖରେ ଉଭୟ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ହୋଇଥିଲା। ଏଥିରେ କୋଲକାତା ବିଜୟୀ ହୋଇଥିଲା । ଫଳରେ ଆଜିର ମ୍ୟାଚରେ ବାଙ୍ଗାଲୋର ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ ।
ଗୁଜରାଟ ଟାଇଟନ୍ସକୁ ହରାଇବା ପରେ କୋଲକାତା କ୍ରମାଗତ ଭାବେ ୪ଟି ମ୍ୟାଚରେ ପରାଜିତ ହୋଇଛି । ବିଜୟ ପାଇଁ ବ୍ୟାକୁଳତାର ସହ ଅପେକ୍ଷା କରିଥିବା କୋଲକାତା ଆଜି ବାଙ୍ଗାଲୋରକୁ ମାତ୍ ଦେବାକୁ ରଣନୀତି ପ୍ରସ୍ତୁତ କରିବ । ଉଭୟ ଦଳର ପୂର୍ବ ରେକର୍ଡକୁ ଦେଖିଲେ କୋଲକାତାର ପଲା ଭାରି ରହିଛି । ଉଭୟ ଦଳ ଇତି ମଧ୍ୟରେ ପରସ୍ପରକୁ ୩୧ଥର ଭେଟିଛନ୍ତି । ଏଥିରୁ କୋଲକାତା ୧୭ଟି ମ୍ୟାଚ୍ ଜିତିଥିବାବେଳେ ବାଙ୍ଗାଲୋର ୧୪ଟି ମ୍ୟାଚ୍ରେ ବିଜୟୀ ହୋଇଛି ।
ଆଜି ରୟାଲ ଚ୍ୟାଲେଞ୍ଜର୍ସର ଶେଷ୍ଠ ୩ ବ୍ୟାଟର ଓ ନାଇଟ୍ ରାଇଡର୍ସର ସ୍ପିନ ବାହିନୀ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ । ଫାଫ ଡୁ ପ୍ଲେସି, ବିରାଟ କୋହଲି ଓ ଗ୍ଲେନ ମ୍ୟାକ୍ସୱେଲ୍ ଚମତ୍କାର ଫର୍ମରେ ରହିଛନ୍ତି । ୭ଟି ମ୍ୟାଚ୍ରୁ ୪୦୫ ରନ୍ ସଂଗ୍ରହ କରିସାରିଥିବା ଡୁ ପ୍ଲେସିଙ୍କ ପାଖରେ ଅରେଞ୍ଜ କ୍ୟାପ୍ ରହିଛି । କୋହଲି ୨୭୯ ମ୍ୟାକ୍ସୱେଲ୍ ୨୫୩ ରନ୍ ସଂଗ୍ରହ କରିସାରିଛନ୍ତି। ଏମାନଙ୍କୁ ବ୍ୟାଟ୍କୁ ଚୁପ୍ ରଖିବା ନାଇଟ ରାଇଡର୍ସ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ । ରୟାଲ୍ ଚ୍ୟାଲେଞ୍ଜର୍ସର ବୋଲିଂ ବିଭାଗରେ ସାମାନ୍ୟ ଦୁର୍ବଳତା ରହିଛି । କେବଳ ମହମ୍ମଦ ସିରାଜଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଆଖି ଦୃଶିଆ ପ୍ରଦର୍ଶନ କରିନାହାନ୍ତି । ବୁଧବାର ମ୍ୟାଚରେ ଜୋସ୍ ହାଜେଲଉଡ୍ ଖେଳିବା ସମ୍ଭାବନା ରହିଥିବାରୁ ପେସ୍ ବୋଲିଂ ବିଭାଗ ସୁଦୃଢ ହେବା ନେଇ ଆଶା ରହିଛି । ଆଜିର ମ୍ୟାଚ୍ ରୋମାଞ୍ଚକର ହେବ ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି ।
