ଶ୍ରୀଲଙ୍କା ଗସ୍ତ କଲେ ଭାରତୀୟ ଦଳ
ଆଦିଲ୍ଲୀ : ଶିଖର ଧାଓ୍ଵନଙ୍କ ନେତୃତ୍ଵରେ ଭାରତୀୟ କ୍ରିକେଟ୍ ଦଳ ସୋମବାର ଶ୍ରୀଲଙ୍କା ଅଭିମୁଖେ ଯାତ୍ରା କରିଛି। ଏହି ଗସ୍ତରେ ଭାରତୀୟ ଦଳ ଘରୋଇ ଶ୍ରୀଲଙ୍କା ବିପକ୍ଷରେ ତିନୋଟି ଦିନିକିଆ ଓ ତିନୋଟି ଟି-୨୦ ମ୍ୟାଚ୍ ଖେଳିବ। ଦିନିକିଆ ସିରିଜ୍ରୁ ଭାରତୀୟ ଦଳର ଗସ୍ତ ଆରମ୍ଭ ହେବ। ସିରିଜର ପ୍ରଥମ ଦିନିକିଆ ଜୁଲାଇ ୧୩ରେ ଖେଳାଯିବ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଶ୍ରୀଲଙ୍କା ଯାତ୍ରା ପୂର୍ବରୁ ଖେଳାଳିଙ୍କ ଏକ ଗ୍ରୁପ୍ ଫଟୋ ନିଜର ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରେ ସେୟାର କରିଛି। ଶିଖର ଧାଓ୍ଵନ ମଧ୍ୟ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଏଥିରେ ସେ ଭାରତୀୟ ଖେଳାଳିଙ୍କ ସହ ବିମାନରେ ବସିଥିବା ନଜର ଆସିଛନ୍ତି। ଧାଓ୍ଵନ କ୍ୟାପସନରେ ଲେଖିଛନ୍ତି, ଆମର ଗନ୍ତବ୍ୟସ୍ଥଳ ଶ୍ରୀଲଙ୍କା।
All SET! ?
— BCCI (@BCCI) June 28, 2021
Sri Lanka bound ??✈️#TeamIndia ?? #SLvIND pic.twitter.com/eOMmiuxi28
ଶ୍ରୀଲଙ୍କା ଗସ୍ତ ପାଇଁ ରାହୁଲ ଦ୍ରାବିଡ ଭାରତୀୟ ଦଳର ମୁଖ୍ୟ କୋଚ୍ର ଦାୟିତ୍ଵ ସମ୍ଭାଳିଛନ୍ତି। ଭୁବନେଶ୍ଵର କୁମାରଙ୍କୁ ଦଳର ଉପ ଅଧିନାୟକ କରାଯାଇଛି। ଭାରତୀୟ ଦଳର ଖେଳାଳି କିଛି ଦିନ ମୁମ୍ବଇରେ ସଙ୍ଗରୋଧରେ ରହିବା ପରେ ଶ୍ରୀଲଙ୍କା ଅଭିମୁଖେ ଆଜି ଉଡାଣ ଭରିଛନ୍ତି। ସୂଚନା ଯେ, ଦ୍ରାବିଡ ଗତକାଲି କହିଥିଲେ, ଟି-୨୦ ବିଶ୍ଵ କପ୍କୁ ଦୃଷ୍ଟିରେ ରଖି ସମସ୍ତ ଖେଳାଳି ଭଲ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ। ଦଳର ବରିଷ୍ଠ ଖେଳାଳି ଏବେ ଇଂଲଣ୍ଡରେ ଅଛନ୍ତି। ଅନେକ ଯୁବ ଖେଳାଳିଙ୍କୁ ଶ୍ରୀଲଙ୍କା ଗସ୍ତ ପାଇଁ ଦଳରେ ସାମିଲ କରାଯାଇଛି। ଚଳିତ ବର୍ଷ ଟି-୨୦ ବିଶ୍ଵ କପ୍ ହେବାର ଅଛି। ତେଣୁ ଏହା ପୂର୍ବରୁ ଏହି ସିରିଜ୍ ଖେଳାଳିଙ୍କ ପାଇଁ ବହୁ ଗୁରୁତ୍ଵ ବହନ କରୁଛି। ରାହୁଲ ଦ୍ରାବିଡ କହିଛନ୍ତି, ପୃଥ୍ଵୀ ସଙ୍କ ବ୍ୟତୀତ ଦେବଦତ୍ତ ପାଡିକଲ୍ ଓ ଋତୁରାଜ ଗାଏକଓ୍ଵାଡଙ୍କ ପରି ଯୁବ ଖେଳାଳି ଭଲ ପ୍ରଦର୍ଶନ କରିବାକୁ ଉତ୍ସୁକ। ବିଶ୍ଵ କପ୍ ପାଇଁ ଖେଳାଳିଙ୍କ ଚୟନ ଚୟନକର୍ତ୍ତାଙ୍କ କାମ। ଯଦି ଆପଣ ଏହି ସ୍ତରରେ ଭଲ ପ୍ରଦର୍ଶନ କରିବେ ତେବେ ଚୟନକର୍ତ୍ତା ନିଶ୍ଚିତ ରୂପେ ଆପଣଙ୍କ ଉପରେ ଧ୍ୟାନ ଦେବେ। ଅନ୍ତର୍ଜାତୀୟ କ୍ରିକେଟ୍ରେ କିନ୍ତୁ ଭିନ୍ନ ପ୍ରକାରର ଚାପ ରହିଥାଏ। ଦ୍ରାବିଡ କହିଛନ୍ତି, ଶ୍ରୀଲଙ୍କା ଗସ୍ତରେ ମୋଟ୍ ୬ଟି ମ୍ୟାଚ୍ ଖେଳାଯିବ। ତେଣୁ ସମସ୍ତ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ସମ୍ଭବ ନୁହେଁ।
