ଆସନ୍ତାକାଲି ଖୋଲିବ କେଦାରନାଥ ମନ୍ଦିର, ଖରାପ ପାଗ ଯୋଗୁଁ ତୀର୍ଥଯାତ୍ରୀଙ୍କ ଯାତ୍ରା ସ୍ଥଗିତ
ନୂଆଦିଲ୍ଲୀ : ସର୍ବସାଧାରଣଙ୍କ ପାଇଁ ଆସନ୍ତାକାଲି ଖୋଲିବ କେଦାରନାଥ ମନ୍ଦିର। କିନ୍ତୁ ଖରାପ ପାଗ ଯୋଗୁଁ ତୀର୍ଥଯାତ୍ରୀଙ୍କ ଯାତ୍ରା ସ୍ଥଗିତ ରଖାଯାଇଛି। ୨୦ କ୍ଵିଣ୍ଟାଲ ଫୁଲରେ ମନ୍ଦିରକୁ ସଜା ଯାଉଛି। କର୍ମଚାରୀ ମନ୍ଦିରକୁ ଫୁଲରେ ସଜା ଯାଉଥିବା ଭିଡିଓରୁ ଦେଖିବାକୁ ମିଳିଛି। ସମସ୍ତ ପାରମ୍ପରିକ ରୀତିନୀତି ଅନୁସାରେ ମନ୍ଦିରର ଦ୍ଵାର ଖୋଲିବ।
ହରିଦ୍ଵାର ଏବଂ ଋଷିକେଶରେ ପ୍ରବଳ ତୁଷାରପାତ ଯୋଗୁଁ ତୀର୍ଥଯାତ୍ରୀଙ୍କ ପାଇଁ କେଦାରନାଥ ଯାତ୍ରା ରବିବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। କେଦାରନାଥ ଏବଂ ଯାତ୍ରା ରୁଟ୍ରେ ଆସନ୍ତା ସପ୍ତାହେ ଯାଏଁ ପ୍ରବଳ ତୁଷାରପାତ ହେବା ନେଇ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏପ୍ରିଲ ୩୦ ପର୍ଯ୍ୟନ୍ତ ଋଷିକେଶ ଏବଂ ହରିଦ୍ଵାରରେ କେଦାରନାଥ ଯାତ୍ରା ସ୍ଥଗିତ ରଖାଯାଇଥିବା ଚାରି ଧାମ ଯାତ୍ରା ପ୍ରଶାସନର ଅତିରିକ୍ତ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ନରେନ୍ଦ୍ର ସିଂ କଭିରିୟାଲ କହିଛନ୍ତି।
ସେ କହିଛନ୍ତି, ସରକାର ଆଗାମୀ ଦିନର ପାଣିପାଗ ସମୀକ୍ଷା କରିବା ପରେ ତୀର୍ଥଯାତ୍ରୀଙ୍କ ପାଇଁ ଆବଶ୍ୟକ ନିଷ୍ପତ୍ତି ନେବେ। ଯାତ୍ରା ଆରମ୍ଭ କରିବା ପୂର୍ବରୁ ତୀର୍ଥଯାତ୍ରୀ ପାଣିପାଗ ଖବର ଉପରେ ନଜର ରଖିବା ଉଚିତ୍। ତେବେ ଅନ୍ୟ ତିନୋଟି ଧାମ ବଦ୍ରିନାଥ, ଗଙ୍ଗୋତ୍ରୀ ଏବଂ ୟେମୁନେତ୍ରୀ ପାଇଁ ତୀର୍ଥଯାତ୍ରୀଙ୍କ ନାମ ପଞ୍ଜୀକରଣ ଜାରି ରହିଥିବା ଅଧିକାରୀ କହିଛନ୍ତି।
