୫୦ ବର୍ଷ ବୟସରେ ପାଦ ଥାପିଲେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର
ମୁମ୍ବାଇ : କ୍ରିକେଟ ଦୁନିଆର ଭଗବାନ ନାମରେ ପରିଚିତ ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକରଙ୍କ ଆଜି ହେଉଛି ଜନ୍ମଦିନ । ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିବା କମ୍ ଉଚ୍ଚତା ଥିବା ଏହି ଖେଳାଳି ନିଜ କ୍ୟାରିଅରରେ ଏତେ ବଡ ବଡ ରେକର୍ଡ କରିଛନ୍ତି ଯେ, ଯାହା ବିଷୟରେ କେହି ଭାବିବା ମଧ୍ୟ ସ୍ୱପ୍ନ । କ୍ରିକେଟ୍ ଦୁନିଆରେ ୨୪ ବର୍ଷ ପର୍ଯ୍ୟନ୍ତ ନିଜ ପତିଆରା ବିସ୍ତାର କରିଥିବା ମାଷ୍ଟର ବ୍ଲାଷ୍ଟର ଆଜି ୫୦ ବର୍ଷ ବୟସରେ ପାଦ ଦେଇଛନ୍ତି।
କ୍ରିକେଟରେ ସଚିନଙ୍କ ନାମ ହିଁ ଯଥେଷ୍ଟ । ସଚିନଙ୍କ ସାନଦାର ପ୍ରଦର୍ଶନ ତାଙ୍କୁ ଫ୍ୟାନ୍ସଙ୍କ ହୃଦୟରେ ସ୍ଥାନ ଦେଇଛି। ଭାରତୀୟ କ୍ରିକେଟର ନିର୍ବିବାଦୀୟ ରାଜା ଯଦି କେହି ହୁଅନ୍ତି, ତେବେ ସେ ହେଉଛନ୍ତି ସଚିନ ତେନ୍ଦୁଲକର । ସେ ହେଉଛନ୍ତି ଅଗଣିତ କ୍ରିକେଟପ୍ରେମୀଙ୍କ ଆବେଗ ।
୧୯୭୩ ମସିହା ଆଜିର ଦିନରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ସଚିନ । ମୁମ୍ବାଇ ସହରରେ ଜନ୍ମ ନେଇଥିବା ସଚିନ ୧୯୮୯ ମସିଆରେ ମାତ୍ର ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅର ଆରମ୍ଭ କରିଥିଲେ । ପ୍ରଥମ ମ୍ୟାଚ ସେ ପାକିସ୍ତାନ ବିପକ୍ଷରେ ଖେଳିଥିଲେ । ୨୪ ବର୍ଷର ଲମ୍ବା କ୍ରିକେଟ କ୍ୟାରିଅରରେ ସେ ୬ ଟି ବିଶ୍ବକପ ଖେଳିଥିଲେ ।
୨୪ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅରରେ ସେ ୨୦୦ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ୪୬୩ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଟେଷ୍ଟ କ୍ୟାରିଅରରେ ସେ ୧୫ ହଜାର ୯୨୧ ରନ କରିଥିବା ବେଳେ ଦିନିକିଆ କ୍ରିକେଟରେ ବିଶ୍ବରେ ସର୍ବାଧିକ ୧୮ ହଜାର ୪୨୬ ରନ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ଏକ ମାତ୍ର ବ୍ୟାଟସମ୍ୟାନ ଭାବରେ ସେ ୧୦୦ଟି ଶତକ ହାସଲ କରିଛନ୍ତି । ୧୬୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ୬ ଟି ଦ୍ବିଶତକ ହାସଲ କରିଛନ୍ତି ସେ । ତାଙ୍କର ବେଷ୍ଟ ସ୍କୋର ରହିଛି ୨୪୮ ନଟଆଉଟ । ୨୦୧୨ ମସିହାରେ ଏସିଆ କପ ଟୁର୍ଣ୍ଣାମେଣ୍ଟରେ ବାଂଲାଦେଶ ବିପକ୍ଷରେ ସେ ୧୦୦ତମ ଶତକ ହାସଲ କରିଥିଲେ ।
