ଆଜି ପବିତ୍ର ଅକ୍ଷୟ ତୃତୀୟା : ଅକ୍ଷି ମୁଠି ଓ ରଥ ନିର୍ମାଣ ଅନୁକୂଳ ସହ ଆରମ୍ଭ ହେବ ଚନ୍ଦନ ଯାତ୍ରା
ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ କହିବାର ଯଥେଷ୍ଟ ତାତ୍ପର୍ଯ୍ୟ ଅଛି । କାରଣ ପୁରାଣ, ଶାସ୍ତ୍ର, ଗ୍ରନ୍ଥ ଅନୁସାରେ ଏହି ଦିନଟିରେ ଅନେକ ଗୁଡିଏ ଶୁଭକାର୍ଯ୍ୟର ଶୁଭାରମ୍ଭ ହୋଇଥିଲା। ଅକ୍ଷୟତୃତୀୟା ଦିନ ମାନବ ତା’ର ଜୀବନର ସମସ୍ତ ଆବଶ୍ୟକତା ପୂରଣ ନିମନ୍ତେ ଭଗବାନ ସ୍ୱୟଂ ପରଂବ୍ରହ୍ମଙ୍କୁ ପ୍ରାର୍ଥନା କରିଥାଏ ଯେ “ଅକ୍ଷୟ ହେଉ ପୁଣ୍ୟ ଜଗତେ ଧର୍ମର ହେଉ ଜୟ” ଅର୍ଥାତ୍ ଜୀବନରୁ ସୁଖ, ଶାନ୍ତି, ସମୃଦ୍ଧି ଓ ପୁଣ୍ୟର କେବେ ବି କ୍ଷୟ ନ ହେଉ। ଏହି ପବିତ୍ର ଅକ୍ଷୟତୃତୀୟା ତିଥିରେ ଓଁକାର ରୂପୀ ପରଂବ୍ରହ୍ମ, ପରମେଶ୍ବର, ପୁରୁଷୋତ୍ତମ, ମହାପ୍ରଭୁ ଜଗତରନାଥ ଶ୍ରୀଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ତିମ ତଥା ଶେଷ ଯାତ୍ରା ଚନ୍ଦନଯାତ୍ରାର ଶୁଭାରମ୍ଭ ହୋଇଥାଏ। ଏହି ପବିତ୍ର ଅକ୍ଷୟତୃତୀୟା ତିଥିରେ ମହାପ୍ରଭୁ ସଚ୍ଚିଦାନନ୍ଦ ଶ୍ରୀ ଜଗନ୍ନାଥଙ୍କର ବିଶ୍ବପ୍ରସିଦ୍ଧ ଘୋଷ ଯାତ୍ରା ନିମନ୍ତେ ରଥନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ। ଏଥିସହିତ ତିନି ରଥର ମୁଖ୍ୟମହାରଣା ତାଙ୍କର ଲୌହକୁରାଢ଼ୀକୁ ରଥଖଳାରେ ରଖାଯାଇଥିବା ତିନିରଥର ତିନି କାଠଖଣ୍ଡକୁ ସ୍ପର୍ଶ କରାଇ ଭଗବାନ ବଳଭଦ୍ରଙ୍କର ତାଳଧ୍ବଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ରଥ ନିର୍ମାଣାର୍ଥେ ପ୍ରାର୍ଥନା କରିଥାନ୍ତି।
ଅକ୍ଷି ମୁଠି ଅନୁକୂଳ :
କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଆଜିର ଦିବ୍ୟ ମୁହୁର୍ତ୍ତରେ ଯେ କୌଣସି କାମ କଲେ ତାହା ନିଶ୍ଚିତ ଶୁଭଫଳ ଦେଇଥାଏ ବୋଲି ବିଶ୍ୱାସ ରହିଛି । ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହି ପର୍ବ ପ୍ରତିଟି ଓଡ଼ିଆଙ୍କ ଆସ୍ଥାର ପ୍ରତୀକ । ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ ।
ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି କୁହାଯାଏ ।
ଚନ୍ଦନ ଯାତ୍ରା ଆରମ୍ଭ :
ଅକ୍ଷୟ ତୃତୀୟା ତିଥିଠାରୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଆରମ୍ଭ ହୁଏ। ଓଡ଼ିଶାର ଅନ୍ୟାନ୍ୟ କେତେକ ସ୍ଥାନରେ ମଧ୍ୟ ଚନ୍ଦନଯାତ୍ରା ପାଳନ କରାଯାଇଥାଏ। ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ। ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ। ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ।
ରଥ ନିର୍ମାଣ ଅନୁକୂଳ :
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ କାର୍ଯ୍ୟର ଆଜି ଅନୁକୂଳ ହେବ । ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ପାରମ୍ପରିକ ରୀତିନୀତିରେ ଯଜ୍ଞ ଓ ପୂଜାର୍ଚ୍ଚନା କରାଯିବ । ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସୋତ୍ରୀୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନିରେ ବିଶ୍ୱକର୍ମାମାନେ ୩ଟି ଧଉରା କାଠରେ ରଥ ନିର୍ମାଣର ଶୁଭାରମ୍ଭ କରିବେ । ଶ୍ରୀନହର ସମ୍ମୁଖରେ ରଥ ନିର୍ମାଣ ପାଇଁ ରଥଖଳାରେ ପ୍ରସ୍ତୁତି ସରିଛି । ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ରଥଖଳା ଉପରେ ଚାଳି ପକାଯାଇଛି।
ରଥ ନିର୍ମାଣ ଅନୁକୂଳ ପାଇଁ ୩ଟି ୧୨ଫୁଟିଆ ଧଉରା କାଠ ମହା ରଥଖଳାରେ ରଖା ସରିଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହେବ ଅପରାହ୍ନ ୪ଟାରେ । ଏହାପରେ ଯଥାବିଧି ପୂଜାର୍ଚ୍ଚନା ସରି ବିଶ୍ୱକର୍ମାମାନେ ଶାଢ଼ି ବନ୍ଧାଇ ସ୍ୱତନ୍ତ୍ର କୁରାଢିରେ ରଥ ନିର୍ମାଣ ଅନୁକୂଳ କରିବେ । ପରଦିନ ଠାରୁ ଶ୍ରୀନହର ସମ୍ମୁଖରେ ତିନି ରଥ ତିଆରିର ଶୁଭାରମ୍ଭ ହେବ । ପ୍ରଥମେ ଚକ ନିର୍ମାଣ କରାଯିବ ।
ରଥଯାତ୍ରା ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଛି । ଗତବର୍ଷର ବଳକା କାଠକୁ ଛାଡିଦେଲେ ଆଉ ୮୦୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଶହ ଖଣ୍ଡ କାଠ ରଥଖଳାକୁ ଆସିସାରିଛି ।
