ସମ୍ବଲପୁରରେ ସ୍ଥିତି ନିୟନ୍ତ୍ରଣାଧୀନ, ଗିରଫ ସଂଖ୍ୟା ୮୫କୁ ବୃଦ୍ଧି
ସମ୍ବଲପୁର : ସମ୍ବଲପୁରରେ ସ୍ଥିତିରେ ଧୀରେ ଧୀରେ ଉନ୍ନତି ଆସୁଛି । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜିଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ସେହିପରି ସମ୍ବଲପୁର ସହରରେ କର୍ଫ୍ୟୁ କୋହଳ ଅବଧି ସକାଳେ ୪ ଘଣ୍ଟା ଓ ସନ୍ଧ୍ୟାରେ ଅଢ଼େଇ ଘଣ୍ଟା ପାଇଁ ବୃଦ୍ଧି କରାଯାଇଛି । ସକାଳ ୭ଟା ୩୦ରୁ ୧୧ଟା ୩୦ ଯାଏ ଏବଂ ଅପରାହ୍ଣ ୩ଟା ୩୦ରୁ ସନ୍ଧ୍ୟା ୬ଟା ଯାଏ କର୍ଫ୍ୟୁ କୋହଳ କରାଯିବ। ଏହା ଆଜିଠାରୁ ଲାଗୁ ହୋଇଥିବା ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
ସେପଟେ ସମ୍ବଲପୁରରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସୋମବାର ମଧ୍ୟ ସ୍ଥିତିର ସମୀକ୍ଷା କରାଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି। ରବିବାର ସମ୍ବଲପୁରର ସ୍ଥିତି ସମୀକ୍ଷା ପରେ ପୋଲିସ ଡିଜି ସୁନୀଲ ବଂଶଲ କହିଥିଲେ, ଦିନେ ଦୁଇ ଦିନ ଭିତରେ ପରିସ୍ଥିତିକୁ ଦେଖି କର୍ଫ୍ୟୁ ହଟାଇବା ନେଇ ନିଷ୍ପତ୍ତି ନିଆଯିବ।ସେପଟେ ହିଂସା ଘଟଣାରେ ମୋଟ ଗିରଫ ସଂଖ୍ୟା ୮୫କୁ ବୃଦ୍ଧି ପାଇଛି ।
