ପ୍ରଧାନମନ୍ତ୍ରୀଙ୍କ ୭୮ତମ ମନ କି ବାତ୍ କାର୍ଯ୍ୟକ୍ରମ : ଲକ୍ଷ ଲକ୍ଷ ଲୋକଙ୍କୁ ଟିକା ହିଁ ନୂତନ ଭାରତର ଶକ୍ତି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶରେ ତୃତୀୟ ଟୀକାକରଣ ପର୍ଯ୍ୟାୟରେ ଗୋଟିଏ ଦିନରେ ଲକ୍ଷ ଲକ୍ଷ ଲୋକଙ୍କୁ ଟୀକାରଣ କରାଯିବ ବିଷୟ ଉଲ୍ଲେଖ କରି କହିଛନ୍ତି ଯେ ଏହା ହିଁ ହେଉଛି ନୂତନ ଭାରତର ଶକ୍ତି । ଆଜି ଆକାଶବାଣୀରେ ପ୍ରଚାରିତ ମନକି ବାତରେ ଶ୍ରୀ ମୋଦି କହିଛନ୍ତି ଯେ କରୋନା ବିରୁଦ୍ଧରେ ଦେଶବାସୀଙ୍କ ସଂଗ୍ରାମ ଜାରି ରହିଛି କିନ୍ତୁ ଏହି ସଂଗ୍ରାମରେ ଅନେକ ଅସାଧାରଣ ଲକ୍ଷ ମଧ୍ୟ ହାସଲ ହୋଇଛି । ସେ କହିଛନ୍ତି, କିଛିଦିନ ତଳେ ହିଁ ଆମ ଦେଶ ଗୋଟିଏ ଅଭୂତପର୍ବୂ କାର୍ଯ୍ୟ କରିଛି । ଜୁନ୍ ୨୧ତାରିଖ ଦିନ ଟିକାକରଣ ଅଭିଯାନର ପଯବର୍ତୀ ପର୍ଯ୍ୟାୟ ଆରମ୍ଭ ହୋଇଛି ଏଂ ସେହିଦିନ ଆମ ଦେଶ ୮୬ଲକ୍ଷରୁ ଅଧିକ ଲୋକଙ୍କୁ ମାଗଣା ଟିକା ଦେଇ ଗୋଟିଏ ରେକର୍ଡ ସୃଷ୍ଟି କରିଛି ।
କରୋନା ବିରୋଧୀ ଦେଶର ଲଢ଼େଇରେ ଶାସନ, ପ୍ରଶାସନ, ଡ଼ାକ୍ତର ଏବଂ ଅନ୍ୟ ସମସ୍ତ ଲୋକମାନେ ନିଜ ନିଜ ସ୍ତରରେ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି । ଗୁରୁ ପ୍ରସାଦ ମହାପାତ୍ରଙ୍କ ଭଳି ଅନେକ କରୋନା ଯୋଦ୍ଧାଆମ ମାନଙ୍କ ମଧ୍ୟରେ ନାହାନ୍ତି କିନ୍ତୁ ତାଙ୍କର କର୍ତବ୍ୟନିଷ୍ଠା ଏବଂ ସମାଜ ପ୍ରତି ସମର୍ପଣ ଭାବ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ । ଆମେ ସମସ୍ତେ କୋଭିଡ୍ ନିୟମ ମାନିବା ସହ ଟିକା ନେବା ହିଁ ସ୍ୱର୍ଗତ ମହାପାତ୍ରଙ୍କ ପ୍ରତି ଉଚିତ୍ ଶ୍ରଦ୍ଧାଞ୍ଜଳି ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶରେ କାର୍ଯ୍ୟକାରୀ ହେଉଥିବା ମାଗଣା ଟିକାକରଣ ଅଭିଯାନ, କରୋନା ଲଢ଼େଇରେ ହାସଲ କରାଯାଇଥିବା ଉପଲବ୍ଧି ଏବଂ ଟିକାକୁ ନେଇ ହେଉଥିବା ଅପପ୍ରଚାର ଉପରେ ଚର୍ଚ୍ଚା କରିଛନ୍ତି । ମଧ୍ୟପ୍ରଦେଶର ବେତୁଲରେ ବାସ କରୁଥିବା ରାଜେଶଜୀଙ୍କ ସହ ପ୍ରଧାନମନ୍ତ୍ରୀଜୀ ‘ମନ୍ କି ବାତ୍’ ଆଲୋଚନା କରିବା ସମୟରେ କାଶ୍ମୀର, ବାନ୍ଦିପୁରା ଏବଂ ନାଗାଲ୍ୟାଣ୍ଡର ଗ୍ରାମାଞ୍ଚଳରେ ଶତପ୍ରତିଶତ ଟିକାକରଣ ହୋଇଥିବାର ଉଦାହରଣ ସାମ୍ନାକୁ ଆଣିଥିଲେ, ଯାହା ଟିକା ଦ୍ୱନ୍ଦ, ଭ୍ରମ ତଥା ଅପପ୍ରଚାରକୁ ବନ୍ଦ କରିବା ଦିଗରେ ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଜାଗ୍ରତ କରିବ । ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଭୁବନେଶ୍ୱରର ଏକାମ୍ର ନିର୍ବାଚନ ମଣ୍ଡଳୀର ୧୬୧ ନମ୍ବର ବୁଥ ଡାକବଙ୍ଗଳା ଛକ ଠାରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମ ଶୁଣିଥିଲେ । ଏହି ଅବସରରେ ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ଜିଲ୍ଲା ଉପସଭାପତି ଶିବପ୍ରସାଦ ବେହେରା, ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ସମେତ ଦଳୀୟ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।
ଆଜି ୭୮ ତମ ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଟୋକିଓ ଅଲମ୍ପିକ୍ସରେ ପ୍ରତିନିଧିତ୍ୱ କରିବାକୁ ଯାଉଥିବା ଭାରତୀୟ ଆଥଲେଟ୍ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କୋଭିଡ ଟିକାକରଣ ସଂପର୍କରେ ଦେଶବାସୀଙ୍କୁ ଅବଗତ କରାଇବା ସହ ଦେଶବାସୀଙ୍କୁ ଟିକା ନେବା ପାଇଁ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ, ଦେଶର ବରିଷ୍ଠ ବୈଜ୍ଞାନିକ ଓ ଡାକ୍ତରଙ୍କ ଉଦ୍ୟମକ୍ରମେ ଗତ ଜୁନ୍ ୨୧ ତାରିଖରୁ ବ୍ୟାପକ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଗତ ୨୧ ତାରିଖରେ ୮୬ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ମାଗଣାରେ ଟିକାକରଣ କରାଯାଇଥିଲା । ସମସ୍ତଙ୍କୁ ମାଗଣା ଟିକାକରଣ କରାଇବା ଲକ୍ଷ୍ୟରେ ମୋଦି ସରକାର କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ରାଜ୍ୟବାସୀଙ୍କୁ ଟିକା ନେବା ପାଇଁ ରାଜ୍ୟ ସଭାପତି ସମୀର ମହାନ୍ତି ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡିଆ ପ୍ରଶାସନିକ ଅଧିକାରୀ ସ୍ୱର୍ଗତଃ ଗୁରୁ ପ୍ରସାଦ ମହାପାତ୍ରଙ୍କ ସ୍ମୃତି ଚାରଣ କରିଥିଲେ । ସ୍ୱର୍ଗତଃ ମହାପାତ୍ର ନିଜେ କରୋନାରେ ଆକ୍ରାନ୍ତ ହୋଇ କୋଭିଡ ରୋଗୀଙ୍କ ପାଇଁ ଅମ୍ଳଜାନ ଯୋଗାଡ କରିବାର କାର୍ଯ୍ୟ କରିବା ଅତ୍ୟନ୍ତ ପ୍ରଶଂସନୀୟ ଓ ପ୍ରେରଣାଦାୟୀ । ସ୍ୱର୍ଗତଃ ମହାପାତ୍ରଙ୍କ ଏଭଳି ମହାନ ଉଦ୍ୟମ ନିଶ୍ଚିତ ଭାବେ ଓଡିଆ ଜାତିକୁ ଗର୍ବିତ କରିବା ସହ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
