୫ରୁ ୩ ଦିନିଆ ସ୍ୱର୍ଣ୍ଣଚୂଡ଼ ଯୁବ ମହୋତ୍ସବ : ମୁଖ୍ୟ ଆକର୍ଷଣ ବଲିଉଡ୍ ଗାୟକ ସଲମାନ୍ ଅଲ୍ଲୀ
ନୀଳଗିରି : ପର୍ଯ୍ୟଟନ ସ୍ଥଳୀର ସହର ନୀଳଗିରି । ଏଠି ବାର ମାସରେ ତେର ପରବ, ସବୁ ଲାଗେ ନୂଆ ନୂଆ । କିନ୍ତୁ ଚଳିତବର୍ଷ ପ୍ରଥମ ଥର ପାଇଁ କେସି ହାଇସ୍କୁଲ ପଡ଼ିଆରେ ଆସନ୍ତା ମଇ ୫, ୬, ୭ ତାରିଖରେ ୩ ଦିନ ପାଇଁ ଜାତି ଧର୍ମ ବର୍ଣ୍ଣ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ନିଆରା ଢ଼ଙ୍ଗରେ ସ୍ୱର୍ଣ୍ଣଚୂଡ଼ ଯୁବ ମହୋତ୍ସବ କରାଯିବାର ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।
ସବ୍ୟସାଚୀ ମହାପାତ୍ରଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ସ୍ୱର୍ଣ୍ଣଚୂଡ଼ ଯୁବ ମହୋତ୍ସବରେ କିପରି ଅଧିକ ଉନ୍ନତ ଧରଣର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିବ ସେନେଇ ୨୫ଜଣ ସଦସ୍ୟ ବିଶିଷ୍ଟ ଏକ କୋର କମିଟି ସହ ୫ ଶହରୁ ଉର୍ଦ୍ଧ୍ୱ ଯୁବକଙ୍କୁ ସଦସ୍ୟ ଭାବେ ପଞ୍ଜୀକୃତ କରାଯାଇ ଉପସ୍ଥିତ ଥିବା ବିଭିନ୍ନ ବର୍ଗର ଯୁବଗୋଷ୍ଠୀ, ସମାଜସେବୀ ଓ ବୁଦ୍ଧିଜୀବୀମାନଙ୍କୁ ମହୋତ୍ସବ ସମ୍ବନ୍ଧରେ ମତାମତ ନିଆଯାଇଥିଲା । ମହୋତ୍ସବ ଉପଲକ୍ଷେ ଆସନ୍ତା ଅପ୍ରେଲ ୨୩ ତାରିଖରେ ରକ୍ତଦାନ ଶିବିର, ମହାବିଦ୍ୟାଳୟ ସ୍ତରିୟ ବକ୍ତୃତା ଏବଂ ସାଧାରଣ ଜ୍ଞାନ, ୨୫ ତାରିଖରେ କବାଡ଼ି ପ୍ରତିଯୋଗୀତା, ୨୬ ତାରିଖରେ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିସହ ଓଲିଉଡ଼ ଓ ବଲିଉଡର ନାମୀଦାମୀ କଳାକାର ଏହି ମହୋତ୍ସବରେ ଯୋଗଦେବେ । ମଇ ୫ ତାରିଖରେ ମିଷ୍ଟର ଗୁଲୁଆ, ଉପାସନା ସାହୁ ଏବଂ ସଂଗୀତା ପାଢ଼ିଙ୍କ ଦ୍ୱାରା ଗୀତ ଏବଂ ସୁଖାନ୍ତକ ନାଟକ ପରିବେଷଣ କରାଯିବ । ସେହିଭଳି ୬ ତାରିଖରେ ମଣ୍ଟୁ ଛୁରୀୟା ଏବଂ ସାଥୀ ଓଲିଉଡ କଳାକାରଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯିବ ଏବଂ ୭ ତାରିଖ ତଥା ଉଦ୍ଯାପନୀ ସନ୍ଧ୍ୟାରେ ବଲିଉଡ୍ ସଙ୍ଗୀତ କଳାକାର ସଲମାନ୍ ଅଲ୍ଲୀ ଏବଂ ସାଥୀ କଳାକାର ମାନଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏଥିସହିତ ପ୍ରତ୍ୟେକ ଦିନ ରାଜ୍ୟ ଏବଂ ରାଜ୍ୟ ବାହାର କଳାକାରମାନଙ୍କ ଦ୍ୱାରା ନାଚ ଓ ବିଭିନ୍ନ କଳା ପ୍ରଦର୍ଶନ କରାଯିବ । ମହୋତ୍ସବରେ ମୀନାବଜର ଓ ବିଭିନ୍ନ ଷ୍ଟଲ୍, ରାମଦୋଳି ମାଧ୍ୟମରେ ଦର୍ଶକ କେମିତି ଭରପୁର ମଜା ନେଇପାରିବେ ସେ ବିଷୟରେ ସ୍ଥିର ହୋଇଥିଲା । ପ୍ରସ୍ତୁତି ବୈଠକରେ ଶରତ ଦାସ, ଉଦୟଜ୍ୟୋତି ମହାନ୍ତି, ଶୁଭେନ୍ଦୁ ଦାସ ମଙ୍ଗରାଜ, ଦୀପକ ରଞ୍ଜନ ଦାସ, ବିଦ୍ୟାଧର ଖଟୁଆ, ବିଜୟ ଲେଙ୍କା, ଲକ୍ଷ୍ମୀଧର ବାରିକ, ନିଗମ ମହାପାତ୍ର, ମାନଗୋବିନ୍ଦ ସିଂ ସମେତ ବହୁ ଯୁବଗୋଷ୍ଠୀ ଉପସ୍ଥିତ ଥିଲେ । ପ୍ରମୁଖ ଆକର୍ଷଣ ବଲିଉଡ୍ର ସୁପ୍ରସିଦ୍ଧ ଗାୟକ ସଲମାନ୍ ଅଲ୍ଲୀ ନୀଳଗିରି ଅଞ୍ଚକୁ ଆସୁଥିବାର ପ୍ରଚାର ହେବା ପରେ ତାଙ୍କର ବିଭିନ୍ନ ଗୀତ ନୀଳଗିରି ଅଞ୍ଚଳରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
