ଆଇପିଏଲ-୨୦୨୩ : ଗୁଜରାଟକୁ ୧୫୪ ରନର ଟାର୍ଗେଟ୍ ଦେଲା ପଞ୍ଜାବ
ମୋହାଲି : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ରେ ୧୮ତମ ମ୍ୟାଚ ଗୁରୁବାର ଚଣ୍ଡିଗଡ଼ର ମୋହାଲି ପଞ୍ଜାବ କ୍ରିକେଟ ଆସୋସିଏଶନ ଆଇ.ଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହୋଇଛନ୍ତି । ଗୁଜରାଟ ବୋଲରଙ୍କ ମାପଚୁପ ବୋଲିଂ କାରଣରୁ ପଞ୍ଜାବ କିଙ୍ଗ୍ସ ବଡ ସ୍କୋର କରିବାରେ ବିଫଳ ହୋଇଛି। ଦଳ ପକ୍ଷରୁ କୌଣସି ବ୍ୟାଟର ଅର୍ଦ୍ଧଶତକ ହାସଲ କରିପାରିନଥିଲେ। ମାଥ୍ୟୁ ସର୍ଟ ସର୍ବାଧିକ ୩୬ ରନ କରିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ମଧ୍ୟକ୍ରମ ବ୍ୟାଟରଙ୍କ ଉପଯୋଗୀ ବ୍ୟାଟିଂ ବଳରେ ୮ ଓ୍ବିକେଟରେ ୧୫୩ ରନ ସ୍କୋର କରି ପାରିଛି। ମ୍ୟାଚ୍ ଜିତିବା ପାଇଁ ଗୁଜରାଟ ସମ୍ମୁଖରେ ୧୫୪ ରନର ସହଜ ବିଜୟ ଲକ୍ଷ୍ୟ ଟାର୍ଗେଟ୍ ରହିଛି।
ଏହି ମ୍ୟାଚରେ ଗୁଜରାଟ ଟାଇଟନ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପଂଜାବ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୫୩ ରନ କରିଥିଲା । ଆରମ୍ଭରୁ ପଞ୍ଜାବ ଦଳ ୨ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ପ୍ରଭସିମରନ ସିଂ ୦ ଓ ଶିଖର ଧଓ୍ବନ ୮ ରନ କରି ଆଉଟ ହୋଇଥିଲେ । ତେବେ ମାଥ୍ୟ ସର୍ଟ ଓ ଭାନୁକା ରାଜପକ୍ଷ ସତର୍କତାର ସହ ଖେଳି ଦଳକୁ ବିପଦରୁ ଉଦ୍ଧାର କରିଥିଲେ । କିନ୍ତୁ ଉଭୟ ବଡ଼ ସ୍କୋର୍ କରିପାରିନଥିଲେ । ମାଥ୍ୟୁ ସର୍ଟ ୩୬ ରନ କରିବା ସହ ରାଜପକ୍ଷେ ୨୦ ରନ କରିଥିଲେ । ସେହିପରି ଜିତେଶ ଶର୍ମା ୨୫ରନ କରିଥିବାବେଳେ ସାମ କୁରାନ ଓ ଶାହରୁଖ ଖାଁ ୨୨ରନ ଲେଖାଏଁ କରିଥିଲେ । ଗୁଜରାଟ ପକ୍ଷରୁ ମୋହିତ ଶର୍ମା ୨ଟି ଓ୍ବିକେଟ ନେଇଥିବାବେଳେ ରସିଦ ଖାଁ, ଅଲଜାରି ଜୋସେଫ, ଜୋସୁଆ ଲିଟଲ ଓ ମହମ୍ମଦ ସମି ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
