ଅବକାରୀ ଚଢାଉ ରେ ଜଣେ ଗିରଫ, ୩୦ ଲିଟର ୮୧୦ ମିଲି ବିଦେଶୀ ମଦ ଜବତ
କେନ୍ଦୁଝର : ତେଲକୋଇ ବ୍ଲକ ରାଇସୁଆଁ ପଂଚାୟତ ରେ ଦେଶୀ ବିଦେଶୀ ମଦର ବହୁଳ ବ୍ୟବସାୟ ଚାଲିଛି । ଏନେଇ ବାରମ୍ବାର ଅଭିଯୋଗ ପରେ ଶେଷରେ ଆକ୍ସନ ମୋଡ ରେ ଆସିଛି ଅବକାରୀ ବିଭାଗ । ବୁଧବାର ରାତି ରେ ଅତର୍କିତ ଚଢାଉ କରି ଅବକାରୀ ବିଭାଗ ପକ୍ଷରୁ ରାଇସୁଆଁ ରୁ ଜଣଙ୍କୁ ଗିରଫ କରାଯାଇଛି । ରାଇସୁଆଁ ପଂଚାୟତ ମୂଖ୍ୟାଳୟ ଛକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ହୋଟେଲ ରେ ମଦ ବିକ୍ରି କରାଯାଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ବୁଧବାର ରାତି ପ୍ରାୟ ଦଶଟା ସମୟରେ ଅବକାରୀ ଅଧିକ୍ଷକ ନାରାୟଣ ମେହେର ଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଦଳ ଗିରଫ ଅଭିଯୁକ୍ତ ଙ୍କ ହୋଟେଲ ଏବଂ ବାସଗୃହ ରେ ଚଢାଉ କରି ବହୁ ପରିମାଣ ରେ ବିଦେଶୀ ମଦ ଜବତ କରିଛନ୍ତି । ଗିରଫ ଅଭିଯୁକ୍ତ ଜଣକ ରାଇସୁଆଁ ର ପ୍ରଶାନ୍ତ ବାରିକ (୨୭) ବୋଲି ଜଣାପଡିଛି । ତାଙ୍କ ବାସଗୃହ ଘରେ ଏବଂ ରାଇସୁଆଁ ରେ ଥିବା ହୋଟେଲ ରୁ ୨୧ ଲିଟର ୪୫୦ ମି.ଲି ବିଅର ଓ ୯ ଲିଟର ୩୬୦ ମି.ଲି ବିଦେଶୀ ମଦ ଜବତ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚଢାଉ କରିଥିବା ସ୍ୱତନ୍ତ୍ର ଦଳ ରେ କେନ୍ଦୁଝର ଅବକାରୀ ନିରିକ୍ଷକ ବେଣୁଧର ସାମଲ ଙ୍କ ନେତୃତ୍ୱ ରେ ତେଲକୋଇ ଅବକାରୀ ସବ ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତି, କେନ୍ଦୁଝର ମୋବାଇଲ ସବ ଇନ୍ସପେକ୍ଟର ଦିଲ୍ଲୀପ କୁମାର ତଣ୍ଡୋ ଏବଂ କେନ୍ଦୁଝର ସଦର ସବ ଇନ୍ସପେକ୍ଟର ଗିରିଜା ନନ୍ଦନ ଜେନା ସାମିଲ ରହିଥିବା ବେଳେ ସମସ୍ତ ସ୍ଟାଫ ସହଯୋଗ କରିଥିଲେ । ରାଇସୁଆଁ ପଂଚାୟତ କେନ୍ଦୁଝର ଜିଲ୍ଲା ଏବଂ ଢେଙ୍କାନାଳ ଜିଲ୍ଲାର ସୀମାନ୍ତ ରେ ରହିଥିବା ବେଳେ ଏହି ଅଂଚଳର ବେଆଇନ ମଦ ବ୍ୟବସାୟୀଙ୍କୁ ହାତ କରି ଢେଙ୍କାନାଳ ଜିଲ୍ଲା ର ମଦ ମାଫିଆ ନିଜ ବ୍ୟବସାୟ ଲମ୍ବାଇଥିବା ସୂଚନା ରହିଛି । ଅବକାରୀ ବିଭାଗ ଏଭଳି ଅତର୍କିତ ଚଢାଉ ମଦମାଫିଆ ଙ୍କ କାର୍ଯ୍ୟକଳାପ ରେ ରୋକ ଲାଗିବ ବୋଲି ଆଶା କରି ବିଭାଗ ର ପଦକ୍ଷେପ କୁ ଅଂଚଳ ବାସୀ ସ୍ୱାଗତ କରିଛନ୍ତି ।
