ଦୁର୍ଘଟଣାରେ ସଂସ୍କୃତ ଶିକ୍ଷକ ମୃତ
କେନ୍ଦ୍ରାପଡ଼ା : ଦୈତାରୀ- ପାରାଦ୍ୱିପ ଜାତୀୟ ରାଜପଥର ଗୋପଛକ ନିକଟ ଖମରପଡା ଛକରେ ଦୃତଗାମୀ କାର ଧକ୍କାରେ ଶିକ୍ଷକଙ୍କର ଘଟଣା ସ୍ଥଲରେ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ଶୁଭ୍ରଜିତ୍ ପଣ୍ଡା(୪୨) ଘର ସଦର ଥାନା ଅଧିକ କୁହୁଡି ଗ୍ରାମରେ । ସେ ସାନ୍ତସାହି ସ୍ଥିତ ସରସ୍ୱତି ଶିଶୁ ବିଦ୍ୟା ମନ୍ଦିରରେ ଦୀର୍ଘଦିନ ହେବ ସଂସ୍କୃତ ଶିକ୍ଷକ ଭାବେ କାର୍ଯ୍ୟକରି ଆସୁଥିଲେ । ଜଣେ ଉଚ୍ଚକୋଟୀର ଶିକ୍ଷକ ତଥା ଅମାୟିକ ବ୍ୟକ୍ତି ଭାବେ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ତାଙ୍କର ଯଥେଷ୍ଟ ସୁନାମ ଥିଲା । ଖବରପାଇ ତାଙ୍କୁ ତୁରନ୍ତ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ଜଣାପଡିବା ପରେ ବହୁ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ସ୍କୁଲ କତୃପକ୍ଷ ତାଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।
