ଆଜି ୨୦୦ତମ ମ୍ୟାଚ୍ ଖେଳିବେ ଧୋନି, ଆଇପିଏଲରେ ପ୍ରଥମ ଅଧିନାୟକ ଭାବେ ରଚିବେ ଇତିହାସ
ଚେନ୍ନାଇ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଆଇପିଏଲ୍ ଇତିହାସରେ ଏକ ନୂଆ ରେକର୍ଡ କରିବାକୁ ଯାଉଛନ୍ତି ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ବୁଧବାର ଚେପକ ଷ୍ଟାଡିୟମ୍ରେ ଧୋନି ନିଜ ଆଇପିଏଲ୍ କ୍ୟାରିୟରର ଅଧିନାୟକ ଭାବେ ୨୦୦ତମ ମ୍ୟାଚ୍ ଖେଳାବାକୁ ଯାଉଛନ୍ତି । ଫଳରେ ଏପରି କରିବାର ପ୍ରଥମ ଖେଳାଳି ହୋଇଯିବେ । ଅଧିନାୟକ ଭାବେ ଧୋନିଙ୍କ ପୂର୍ବରୂ ଆଉ କୌଣସି ଖେଳାଳି ଏପରି ରେକର୍ଡର ଅଧିକାରୀ ହୋଇନାହାନ୍ତି ।
ସେପଟେ ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ଅଲ୍ରାଉଣ୍ଡର ରବିନ୍ଦ୍ର ଜାଡେଜା କହିଛନ୍ତି ଯେ, ଏହି ସ୍ମରଣୀୟ ମୂହୂର୍ତ୍ତକୁ ଆମେ ବିଜୟ ସହ ସ୍ୱାଗତ କରିବୁ । ରାଜସ୍ଥାନ ବିପକ୍ଷ ମ୍ୟାଚ୍ରେ ଟିମ୍ ବିଜୟୀ ହୋଇ ଧୋନିଙ୍କୁ ଗିଫ୍ଟ ଦେବୁ । ୨୦୦ ତମ ମ୍ୟାଚ୍ର ଅଧିନାୟକ କରୁଥିବା ଧୋନିଙ୍କ ପାଇଁ ଏଠାରୁ ଆଉ ଉପହାର କିଛି ହେବନି ।
ସୂଚନା ଯେ, ଆଇପିଏଲ-୨୦୨୩ର ଆଜି ୧୭ତମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ । ବୁଧବାର ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ଏହି ମ୍ୟାଚ ଚେନ୍ନାଇର ଚେପକ ଷ୍ଟାଡିୟମରେ ଖେଳାଯିବ । ତେବେ ମ୍ୟାଚରେ ଚେନ୍ନାଇ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ । ଆଇପିଏଲ୍ ୨୦୨୩ ସିଜିନ୍ରେ ଧୋନିଙ୍କ ନେତୃତ୍ୱାଧୀନ୍ ଚେନ୍ନାଇ ସୁପର କିଙ୍ଗସ୍ ୩ଟି ମ୍ୟାଚ୍ରୁ ୨ଟିରେ ବିଜୟୀ ହୋଇଛି । କେବଳ ଉଦ୍ଘାଟନୀ ମ୍ୟାଚ୍ରେ ଗୁଜୁରାଟ୍ ଟାଇଟନ୍ସଠୁ ପରାଜୟର ସ୍ୱାଦ ଚାଖିଥିଲା । ତାପରଠାରୁ ଆଉ ପଛକୁ ଚାହିଁନି ଦଳ । ଶେଷ ଲଗାତର ୨ଟି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲ୍ରେ ପଞ୍ଚମ ସ୍ଥାନରେ ରହିଛି । ଏବେ ସୁଦ୍ଧା ଦଳ ୪ ପଏଣ୍ଟ ପାଇଛି ।
