ନୀଳଗିରି : ଭିନ୍ନ ଭିନ୍ନ ଚୋରୀ ଅଭିଯୋଗରେ ୪ ଗିରଫ, ବିଭିନ୍ନ ସାମଗ୍ରୀ ଜବତ
ନୀଳଗିରି : ନୀଳଗିରି ପୋଲିସ୍କୁ ବଡ଼ ସଫଳତା । ସହର ସମେତ ଆଖପାଖ ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ସମୟରେ ଚୋରୀ ହେଉଥିବା ବେଳେ ଏହାକୁ ନେଇ ଏକପ୍ରକାର ଆତଙ୍କ ଖେଳି ଯାଇଥିଲା । ଯାହା ନୀଳଗିରି ପୋଲିସ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା । ଏହି ପରିପ୍ରେକ୍ଷୀରେ ୪ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବିଭିନ୍ନ ଚୋରୀ ସାମଗ୍ରୀ ଜବତ କରାଯାଇଛି ।
ସୂଚନା ଅନୁସାରେ, ହାଟ ଛକ ଠାରେ ଥିବା କଚ ଲୁହା ଦୋକାନରୁ ବିଭିନ୍ନ ସାମଗ୍ରୀ ଚୋରୀ ହୋଇଥିଲା ବେଳେ ନୀଳଗିରି ଭେଣ୍ଡିଂ ଜୋନ୍ର ଭାସ୍କର ଚନ୍ଦ୍ର ସାହୁଙ୍କ ଦୋକାନରୁ ଇନଭେଟର ଓ ଜେନେରେଟର ଆଦି ଚୋରୀ ହୋଇଥିବା ବେଳେ ସନ୍ତରାଗଡ଼ିଆ ଅଞ୍ଚଳର କ୍ରସର ମାଲିକ ଦୀପକ ଦାସଙ୍କ କ୍ରସରରୁ ବିଭିନ୍ନ କ୍ରସର ୟୁନିଟ୍ର ସାମଗ୍ରୀ ଚୋରୀ ହୋଇଥିବା ନେଇ ନୀଳଗିରି ଥାନାରେ ପୃଥକ୍ ପୃଥକ୍ ଭାବେ ଅଭିଯୋଗ ହୋଇଥିଲା । ନୀଳଗିରି ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ ଘଟଣାକୁ ଗୁରୁତ୍ୱ ଦେଇ ତଦନ୍ତ ଆରମ୍ଭ କରିଥିଲେ । ଶେଷରେ ଉକ୍ତ ଚୋରୀ ଘଟଣାରେ ମଙ୍ଗଳବାର ମଙ୍ଗଳାସାହି ଅଞ୍ଚଳରୁ ଫରିଦୁଲ ଶାହ (୨୫) ଓ ଅବଦୁଲ ଗଫର ଶାହ (୩୨)କୁ ନୀଳଗିରି ପୋଲିସ ଗିରଫ କରିବା ସହ ଚୋରୀ ସାମଗ୍ରୀ କ୍ରୟ କରିଥିବା ରାମଜାନ ଶାହ (୩୦) ଓ ମହମ୍ମଦ ମିରାଜ (୩୯)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସେମାନଙ୍କ ନିକଟରୁ ବ୍ୟାଟେରୀ, ଇନଭେଟର ମେସିନ୍, ନଗଦ ୧୫ଶହ ଟଙ୍କା, ୧୦ ବଣ୍ଡଲ ଟାଟା ଆଇରନ ଜାଲି, ୨ଟି ମୋବାଇଲ, ୨ଟି ସ୍କୁଟି, ଓଲଡ଼ିଙ୍ଗ୍ ମେସିନ୍, ଆଇରନ୍ ରୋଲର, ଗ୍ୟାସ କଟର୍, ବଡ଼ ହାତୁଡ଼ି, ଇଲେକ୍ଟ୍ରି ଗ୍ରାଇଣ୍ଡର ଜବତ କରାଯାଇଛି । ଏନେଇ ନୀଳଗିରି ଥାନାରେ ମାମଲା (ନଂ. ୧୨୨ ।୨୩ ଓ ୧୨୫ ।୨୩) ରୁଜୁ ହୋଇଥିଲା । ୪ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଇନ୍ସପେକ୍ଟର ବିରଞ୍ଚି ସାହୁ, ଏଏସ୍ଆଇ ଅନନ୍ତ ମୁର୍ମୁ, ଉତ୍ତମ ସିଂ ଓ ଚିତ୍ତରଞ୍ଜନ ନାୟକ ପ୍ରମୁଖ ଏହି ଚଢ଼ାଉରେ ସାମିଲ୍ ଥିଲେ ।
