ପୂର୍ତ୍ତ ବିଭାଗରୁ ଅବସର ନେଇଥିବା କର୍ମଚାରୀମାନେ ପେନ୍ସନ୍ ଓ ସେମାନଙ୍କର ଆଇନଗତ ପ୍ରାପ୍ୟ ଦାବିରେ ଗଣଧାରଣା
ବାଲେଶ୍ୱର : ପୂର୍ତ୍ତ ବିଭାଗର ବାଲେଶ୍ୱର ଡିଭିଜନ୍-୧ରେ ଦୀର୍ଘବର୍ଷ କାର୍ଯ୍ୟ କରି ଚାକିରିରୁ ଅବସର ନେଇଥିବା କର୍ମଚାରୀମାନଙ୍କୁ ଓ ମୃତକର୍ମଚାରୀମାନଙ୍କ ବିଧବାପତ୍ନୀମାନେ ଇପିଏଫ୍ ସଂସ୍ଥାରୁ ପେନସନ୍ ଓ ଅବସର ପରେ ଗ୍ରାଚ୍ୟୁଇଟି ଦାବିକରି ବହୁ ବୟସ୍କ କର୍ମଚାରୀ ଡିଭିଜନ୍ ଅଫିସ୍ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୭ଟାରୁ ଗଣଧାରଣାରେ ବସିଛନ୍ତି । ଡିଭିଜନ୍ର ଅଧୀକ୍ଷଣ ଯନ୍ତ୍ରୀ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରୁନଥିବାରୁ ଇପିଏଫ୍ ସଂସ୍ଥା ଏହି କର୍ମଚାରୀମାନଙ୍କୁ ପେନ୍ସନ୍ ଦେଉନଥିବାର ଅଭିଯୋଗ ହୋଇଛି । ସେହିପରି ଡିଏଲ୍ଆର୍ ୱାର୍କଚାର୍ଯ ଓ ରେଗୁଲାର କାର୍ଯ୍ୟକାଳର ଗ୍ରାଚ୍ୟୁଇଟି ପ୍ରଦାନ କରାଯାଉ ନାହିଁ । ଡିଭିଜନ୍ କର୍ତ୍ତୃପକ୍ଷଙ୍କୁ ବହୁ ଆବେଦନ ଓ ନିବେଦନ ପରେ ମଧ୍ୟ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସେମାନଙ୍କର ଆଇନଗତ ପ୍ରାପ୍ୟ ପ୍ରଦାନରେ ଚରମ ଅବହେଳା କରାଯାଉଥିବାରୁ ସେମାନେ ବହୁ ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି । ଇତିମଧ୍ୟରେ କେତେକ କର୍ମଚାରୀ ଆର୍ଥିକ ଅନାଟନ ଓ ଚିକିତ୍ସା ନପାଇ ମୃତ୍ୟୁବରଣ କରିଛନ୍ତି । ମୃତ କର୍ମଚାରୀମାନଙ୍କ ବିଧବା ପତ୍ନୀମାନେ ମୃତ ସ୍ୱାମୀଙ୍କ ଫଟୋଚିତ୍ର ପାଖରେ ରଖି ଧାରଣାରେ ବସିଥିବାର ଦେଖାଯାଇଥିଲା ।
ପୂର୍ବାହ୍ନରେ ବରିଷ୍ଠ ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବାପରେ ପ୍ରବଳ ଗ୍ରୀଷ୍ମ ସତ୍ତ୍ୱେ ସେମାନେ ଧାରଣାରେ ବସିଛନ୍ତି । ଆଇନ୍ଗତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଗଣଧାରଣା ଚାଲୁ ରହିବ ବୋଲି ଧାରଣାରତ କର୍ମଚାରୀମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଏହି ବରିଷ୍ଠ କର୍ମଚାରୀମାନଙ୍କ ଆଇନଗତ ଦାବି ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ସମର୍ଥନ ଜଣାଇ ଟିୟୁଏସିସିର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ଜିଲା ବରିଷ୍ଠ ନାଗରିକ ମଞ୍ଚର ସଂପାଦକ ଦାମୋଦର ନାୟକ, ଏଆଇଟିୟୁସିର ଜିଲା ସଂପାଦକ ଶ୍ୟାମସୁନ୍ଦର ଜେନା, ଇପିଏଫ୍ ପେନସନର୍ସ ଆସୋସିଏସନ୍ର ଜିଲା ସଂପାଦକ ବିଷ୍ଣୁପ୍ରସାଦ ମହାନ୍ତି, ସମାଜସେବୀ ସୁଦର୍ଶନ ଜେନା ଓ ସୁରେନ୍ଦ୍ର ପଣ୍ଡା ପ୍ରମୁଖ ଧାରଣାସ୍ଥଳରେ ଉପସ୍ଥିତ ଥିଲେ । ଅଧୀକ୍ଷଣ ଯନ୍ତ୍ରୀ ବାଲେଶ୍ୱରରେ ନଥିବାରୁ ତାଙ୍କ ସହ ସାକ୍ଷାତ କିମ୍ବା ପ୍ରତିକ୍ରିୟା ମିଳିପାରି ନାହିଁ ।
