ଚୈତ୍ର ଚଡ଼କ ମେଳା : ଆଜି ଚନ୍ଦନେଶ୍ୱର ମହାଦେବଙ୍କ ମହାନୀଳ
ମହାଦେବଙ୍କୁ ବରଣ ମାଳା ଦେବେ କାମିନୀ
ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଯିବେ ବରକନ୍ୟା
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଶ୍ରୀଶ୍ରୀ ଚନ୍ଦନେଶ୍ୱର ଓ ଭୁଷଣ୍ଡେଶ୍ୱର ମହାଦେବଙ୍କ ପ୍ରସିଦ୍ଧ ଚୈତ୍ର ଚଡ଼କ ମେଳାର ମଙ୍ଗଳବାର ଥିଲା ଜୀଉଙ୍କ ତିନି ଅର୍ଘ୍ୟ । ଏହି ୩ ଅର୍ଘ୍ୟରେ ହୁଗୁଳି ଗ୍ରାମର ଜଳଯନ୍ତ୍ର ଦେବତା ଚନ୍ଦନେଶ୍ୱର ମହାଦେବଙ୍କ ଠାରେ ଲକ୍ଷାଧିକ ଶୈବଭକ୍ତଙ୍କ ସମାଗମ ହୋଇଥିବାର ଜଣାଯାଇଛି । ତୃତୀୟ ଅର୍ଘ୍ୟରେ ଚନ୍ଦନେଶ୍ୱର ମହାଦେବଙ୍କ ଆଜ୍ଞାମାଳ ନେଇ ମୌରସୀ ତପନ ପଣ୍ଡା ସହ ଜୀଉଙ୍କ ଶ୍ରେଷ୍ଠ ଭକ୍ତ ପାଟଭକ୍ତ ହରିଶ ଚନ୍ଦ୍ର ସାହୁ, ସହ ଦେଉଳିଆ ଓ ୧୩ ଜଣ ଶ୍ରୀବେକିଡ଼ି, ଶୈବ ଭକ୍ତମାନେ ସେବାୟତ ଓ ପଣ୍ଡାଙ୍କ ଘରେ ବେକଡ଼ା ନୃତ୍ୟ ପରିବେଷଣ କରିଥିଲେ । ଝାଲି, ଘଣ୍ଟା, ଢାକ, ଢୋଲ, ଶାହାନାଇ, ବାଦ୍ୟ ସହ ଚନ୍ଦନେଶ୍ୱର ମହାଦେବଙ୍କ ହରିବୋଲ ଧ୍ୱନୀରେ ଚନ୍ଦନେଶ୍ୱର ପୀଠ ଦୁଲୁକୁଛି । ବୁଧବାର ଭୋଗରାଇ ଅଞ୍ଚଳର ଦୁଇ ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱର ଓ ଭୂଷଣ୍ଡେଶ୍ୱର ମହାଦେବଙ୍କ ଠାରେ ମହାନୀଳ ଉତ୍ସବ ପାଳିତ ହେଉଥିବା ବେଳେ କୁମ୍ଭାରମୂଳୀ ଗ୍ରାମ ସ୍ଥିତ ଧବଳେଶ୍ୱର ଶୈବପୀଠରେ ଧୁମ୍ଧାମ୍ରେ ପାଳିତ ହେବ ।
ମହାନୀଳ ଉତ୍ସବ ଚନ୍ଦନ ବୃକ୍ଷ ନିଟର ଆଲୌକିକ ମହିମାର ଠାକୁର ଚନ୍ଦନେଶ୍ୱର ମହାଦେବଙ୍କ ଚଳନ୍ତି ଘଟ ଭଟ୍ଟପୁର ଗ୍ରାମର ମାଳାକାର ଘରେ ଜନ୍ମିତ କାମିନୀ ଠାକୁରାଣୀଙ୍କୁ ବିବାହ କରିବେ । ଏଥିପାଇଁ ସେବାୟତ, ପଣ୍ଡା, ୧୩ଜଣ ଶ୍ରେଷ୍ଠ ଭକ୍ତ ସହ ମୌରସୀ, ଉପ-ମୌରସୀ, ଟ୍ରଷ୍ଟବୋର୍ଡ଼ର ସଦସ୍ୟମାନେ ଓଡ଼ିଆ ରୀତିନୀତି ଅନୁଯାୟୀ କନ୍ୟା ମାଳାକାର ଘରେ ନିଶିବିସାନରେ ଯାଇ ପୂଜାର୍ଚ୍ଚନା ସହିତ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଚନ୍ଦନେଶ୍ୱର ମହାଦେବ ଓ କାମିନୀ ଘଟକୁ ମନ୍ଦିର ଅଣାଯାଇ ଜୀଉଙ୍କ ରୁଦ୍ଧଦ୍ୱାରରେ କୌଳିକ ନୀତିକାନ୍ତି ପୂଜା କରାଯାଇ କାମିନୀ ବିବାହ ସମ୍ପନ୍ନ ହେବ । ଏଥିନିମନ୍ତେ ଚନ୍ଦନେଶ୍ୱର ପୀଠ ଭକ୍ତମୟ ହୋଇଥିବା ବେଳେ କାମିନୀ ଠାକୁରାଣୀ ଚନ୍ଦନେଶ୍ୱର ମହାଦେବଙ୍କୁ ବରଣମାଳା ଦେଇ ତାଙ୍କ ମନସ୍କାମନା ପୂର୍ଣ୍ଣ କରିବେ । କାମିନୀ ଠାକୁରାଣୀ ଓ ଚନ୍ଦନେଶ୍ୱର ମହାଦେବଙ୍କ ବର୍ଣ୍ଣାଢ଼୍ୟ ବିବାହ ଓ ବିରଳ ଦୃଶ୍ୟ ଦେଖିବା ନିମନ୍ତେ ଶୈବଭକ୍ତଙ୍କ ଜୀଉଙ୍କ ପୀଠକୁ ସୁଅ ଛୁଟୁଛି । ଏଥିସହିତ ପୂର୍ବାହ୍ନରେ ମହାଦେବଙ୍କ ନୀଳ ପୋଖରୀରେ ଭକ୍ତଙ୍କ ଅପୂର୍ବ ଦୃଶ୍ୟର ଧାରା ବିବରଣୀ ନିମନ୍ତେ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ପ୍ରସ୍ତୁତି ନିଆଯାଇଛି । ତିନି ଅର୍ଘ୍ୟରେ ଟ୍ରଷ୍ଟବୋର୍ଡ଼ର ସଭାପତି ତଥା ବିଧାୟକ ଅନନ୍ତ ଦାସ, କାର୍ଯ୍ୟନିର୍ବାହୀ ଅଧିକାରୀ ତହସିଲଦାର ସୁଶାନ୍ତ କୁମାର ପଟ୍ଟନାୟକ, ମୌରସୀ ତପନ କୁମାର ପଣ୍ଡା, ଉପ-ମୌରସୀ ବୁଦ୍ଧଦେବ ପଣ୍ଡା, ବରିଷ୍ଠ ବିଜେଡି ନେତା ବିଶ୍ୱଜିତ୍ ଦାସ, ଇଂ. ବିଦୁବେନ୍ଦୁ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
